ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ ‘ଶବ୍ଦ ତୂଣୀର’
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ମୋଦିଙ୍କ ମାର୍ଫତ୍ ଦେଶରେ ଥିବା ୮୧ କୋଟି ୩୦ ଲକ୍ଷ ଗରିବଙ୍କୁ ୨୦୨୩ ଡିସେମ୍ବର ମାସ ଯାଏଁ ମାଗଣା ରାସନ୍ ପ୍ରଦାନ ଉଦ୍ଦେଶ୍ୟରେ କ୍ୟାବିନେଟ୍ରେ ନିଷ୍ପତି ନିଆସରିଛି । ସେହିଭଳି ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ହିତାଧିକାରୀମାନଙ୍କୁ ମୁଣ୍ଡ ପିଛା ୫ କେଜି ଚାଉଳ ମାଗଣାରେ ୨୦୨୩ ଜାନୁୟାରୀରୁ ଡିସେମ୍ବର ମାସ ପର୍ଯ୍ୟନ୍ତ ଯୋଗାଇ ଦିଆଯିବା ମଧ୍ୟ ଘୋଷଣା ହୋଇଛି । ଏଥିପାଇଁ ରାଜକୋଷରୁ ଖର୍ଚ୍ଚ କରିବାକୁ ପଡିବ ଅନୂନ୍ୟ ୧୮୫ କୋଟି ଟଙ୍କା । ସରକାର ନିଜସ୍ୱ ଯୋଜନାରେ ଟଙ୍କିକିଆ ଚାଉଳ ପ୍ରଦାନ କରିଆସୁଛନ୍ତି । ୨୦୦୯ରେ ସରକାର କେଜି ୨ ଟଙ୍କା ଦରରେ ପ୍ରଥମେ ଚାଉଳ ଯୋଗାଉଥିଲେ । ଏହାପରେ ୨୦୧୩ରୁ ଏକ ଟଙ୍କାରେ କେଜିଏ ଚାଉଳ ଦେଇଚାଲିଛନ୍ତି ୨ ଟଙ୍କାରୁ ୧ ଟଙ୍କାକୁ ନାମକୁ ମାତ୍ର । ଏପରି ଦରହାସ୍ର ବେପାରଟି କହିବାକୁ ଗଲେ ଏବର ଏକ ପ୍ରକାର ମାଗଣା ଯୋଗାଣ ସରକାରୀ ସଂସ୍କୃତିର ଚଳଣିଟାଏ । ମାଗଣା ଯୋଗାଣ ବାଦୀପାଲାରେ ମୋଦିବାବୁ, ନବୀନବାବୁ ଟକ୍କର ଦେବାରେ ଧୁରନ୍ଧର ।
ମାଗଣାଖିଆ ସଂସ୍କୃତି ଏକ ଭୟଙ୍କର ସାମାଜିକ ବ୍ୟାଧି । ଏହି ମାଗଣା ଯୋଗାଣ ସରକାରୀ ସଂସ୍କୃତିଟି ସବା ପହିଲେ ଚାଲୁ ହୋଇଥିଲା ତାମିଲନାଡୁରେ । ସେତେବେଳେ ମୁଖ୍ୟମନ୍ତ୍ରୀ ଜୟଲଳିତାବ୍ୟାପକ ଭାବରେ ଏ ଚଳଣି ଆରମ୍ଭ କରି ନିରଙ୍କୁଶ ଶାସନ କ୍ଷମତାରେ ରହିଲେ ସୁଦୀର୍ଘ କାଳ । ତାଙ୍କ ପଦାଙ୍କ ଅନୁସରଣ କରି ତାମିଲନାଡୁର ପରବର୍ତ୍ତୀ ରାଜନୀତିରେ ବି ବଜାୟ ରହିଲା ଏହି ମାଗଣା ସରକାରୀ ଧାରା । ସେଠାକାର ଯୁବଉଦ୍ୟୋଗୀମାନେ ମଧ୍ୟ ମାଗଣା ଦେଇ ନିଜ ନିଜର କାମ ହାସଲ କରିବାରେ ଧୁରନ୍ଧର ହୋଇଗଲେ । ଏହି ନିଆରା ନାରାର ଧାରାରେ ତାମିଲନାଡୁ ସରକାରଙ୍କ ଭୋଟ୍ ରାଜୀନତିରେ କ୍ରମବର୍ଦ୍ଧିତ କ୍ଷମତା ହାସଲକୁ ଲକ୍ଷକରି କେନ୍ଦ୍ରଠୁ ଆରମ୍ଭ କରି ବିଭିନ୍ନ ରାଜ୍ୟରେ ରାଜନୀତିକ ଦଳ ଗରିବ ଭୋଟଦାତାମାନଙ୍କୁ ମାଗଣା ଯୋଗାଣ ବଚନାମୃତ ବଖାଣି କେତେ କ’ଣ ଚିଜ ପ୍ରଦାନ କରିବାର ପ୍ରତିଶ୍ରୁତି ମଧ୍ୟ ପ୍ରଚୁର ପରିମାଣରେ ବର୍ଷା କଲେ । ଏଣେ କ୍ଷମତାସୀନ ଦଳର
ସରକାର ନିର୍ବାଚନ ପ୍ରତିଶ୍ରୁତି ପାଳନ ପାଇଁ ରାଜକୋଷରୁ ପାଣିଭଳି ଟଙ୍କା ଖର୍ଚ୍ଚ କରିଚାଲିଲେ । ଦାନ ପାଇଁ ଧନ ଊଣା ହେଲା ତ ବିଶ୍ୱବ୍ୟାଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ସଂସ୍ଥାରୁ ଋଣ ଉଠାଇଲେ ।
ଏବେ ଆମ ଓଡିଶାର ୪ କୋଟି ୫୦ ଲକ୍ଷ ଲୋକଙ୍କ ମୁଣ୍ଡରେ ପାଖାପାଖି ୯୮ ଲକ୍ଷ କୋଟି ଟଙ୍କାରୁ ଉର୍ଦ୍ଧ୍ବ କରଜ ବୋଝ ହେଲାଣି । ଛୁଆଟିଏ ଆଜି ଜନ୍ମ ହେଲେ କାଲି ଅତି କମ୍ରେ କୋଡିଏ
ହଜାର ଟଙ୍କାରୁ ଉର୍ଦ୍ଧ ସରକାରୀ କରଜ ତା’ ନାଆଁରେ ଗଡିବ ହିଁ ଗଡିବ – ଏହାଛଡା ଆଉ ଅନ୍ୟଗତି ନାହିଁ । ଏବେ ମୋଦି ସରକାର ହିତାଧିକାରୀମାନଙ୍କୁ ବର୍ଷେ ମାଗଣା ଚାଉଳ ଦେବେ ।
ମୋଦି ପଛେ ପଛେ ନବୀନ ସରକାର ମଧ୍ୟ ବର୍ଷକ ପାଇଁ ମାଗଣା ଚାଉଳ ଦେବେ ! ଚାଉଳ ବାବଦ ବି ଏଣିକି ଟଙ୍କାଟିଏ ଆଉ ଦେବାକୁ ପଡିବ ନାହିଁ । ଦି’ଟଙ୍କା-ଟଙ୍କେ ଅମଳକୁ ପଛରେ ପକାଇଦେଇ ଇଏ ଏବେ ଆରମ୍ଭ ହେଲା ଜାଣ ଅଟଙ୍କିଆ ଚାଉଳର ଚାରିଚାନ୍ଦିଆ ଅଖାବୁହା ଅମଳକାଳ !! କେନ୍ଦ୍ର ସମେତ ବିଭିନ୍ନ ରାଜ୍ୟ ସରକାର ଏହି ମାଗଣା ବ୍ୟବସ୍ଥା ଚାଲୁରଖିଛନ୍ତି । ଦିଲ୍ଲୀ ସରକାର ପାଣି ବିଜୁଳି ମାଗଣା ଦେବାପାଇଁ ଘୋଷଣା କରି କ୍ଷମତାସୀନ । ମୋଦି ସରକାର ଅଧିକାଂଶ ମାଗଣା ଯୋଜନା ବଢାଇରଖିବାର ଅଙ୍କକଷିଚାଲୁଛନ୍ତି । ଆମ ଓଡିଶାର ନବୀନ ସରକାର ଏନ୍ତୁଡିଶାଳଠାରୁ ମଶାଣିପଦା ପର୍ଯ୍ୟନ୍ତ ସବୁ ଯାଗାପାଇଁ ମାଗଣା ସୁବିଧାସୁଯୋଗ ସହାୟତାମାନ ବାଣ୍ଟି ଚାଲିଛନ୍ତି । ସବୁ ରାଜ୍ୟରେ ଲୋକେ ମାଗଣା ଖାଇ ଭୋଟ୍ ବି ଦେଉଛନ୍ତି । କାଳେ ଭୋଟର ଠକିଦେବେ, ତାଙ୍କୁ ଭୋଟ୍ ପିଛା କେଉଁଠି ଏକ ହଜାର ଆଉ କେଉଁଠି ଦଶହଜାର ଟଙ୍କା ଯାଏ ସୁଦ୍ଧା ହାତଗୁଞ୍ଜା ଦିଆଯାଉଛି । କେବଳ ନବୀନବାବୁ ନୁହଁନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିବାବୁ ଓ ଅନ୍ୟାନ୍ୟ ରାଜ୍ୟ ମୁଖ୍ୟମନ୍ତ୍ରୀ, ଦଳ ମଧ୍ୟ ଏ ପନ୍ଥା ଅନୁସରଣ କରିଚାଲିଛନ୍ତି । ପୃଥିବୀରେ ପ୍ରାୟ ଆଠଶହ କୋଟି ଜନସଂଖ୍ୟା । ଏଥିରୁ ନାହିଁନଥିବା କୋଟିପତି ହେଉ କି କାହିଁ କାହିଁକା କାଙ୍ଗାଳ ଭିକାରୀ ହେଉ, ପ୍ରତ୍ୟେକେ ହିଁ ବର୍ତ୍ତମାନ ଏହି ମାଗଣା ନେଣ ମୋହରେ କବଳିତ । ଏ ଅଧମ ଯାଜପୁର ରୋଡରେ ‘ଥିଲେ ଦିଅ, ନଥିଲେ ନିଅ’ କାର୍ଯ୍ୟକ୍ରମ ଆରମ୍ଭ କଲାବେଳେ ଏମିତି ଗୋଟିଏ ଅଙ୍ଗେଲିଭା ଦୁଃଖସୁଖର ଦୃଷ୍ଟାନ୍ତ ଏଠାରେ ଦେଉଛି । ସଂଗୃହିତ କିଛି ନୂଆ ପୁରୁଣା ଲୁଗାପଟା, କମ୍ବଳ ଶୀତଦିନେ ଦେବାକୁ ମନ ସ୍ଥିର କରି ନାନା ଅଞ୍ଚଳର କିଛି ଗରିବଗୁରୁବା, ଅସହାୟ ଲୋକଙ୍କୁ ଖବର ପଠାଇଥିଲି । ବିଜୁଳି ବେଗରେ ଖବର ଖେଳିଗଲା ।
ଆମେ ପାଖାପାଖି ହଜାରେ ଲୋକଙ୍କ ପାଇଁ ଶୀତବସ୍ତ୍ର ସଂଗ୍ରହ କରିଥିଲୁ । କିନ୍ତୁ ତିନିହଜାରରୁ ଉର୍ଦ୍ଧ ଛୁଆପିଲା ବୁଢାବୁଢି ରୁଣ୍ଡ ହୋଇଗଲେ । ଭୀଷଣ ବିଶୃଙ୍ଖଳା କରି ଯିଏ ଯୁଆଡେ ପାରିଲେ
ଶୀତପୋଷାକ ସବୁ ଆଖି ପିଛୁଳାକେ ବୋହିନେଲେ । ଏଥିରୁ ଗୋଟିଏ ସତ୍ୟ ଉପଲବ୍ଧି ହେଉଛି ଯେ, ସରକାରୀ ହେଉ କି ବେସରକାରୀ – ଯେଉଁ ସ୍ତରରେ ସୁଦ୍ଧା ଏପରି ମାଗଣା ଯୋଗାଣ କାର୍ଯ୍ୟକ୍ରମ ଚାଲେ, ସେଠାରେ ନା ରହେ ଦେବାର ପ୍ରକୃତ ମନ ନା ରହେ ନେବାର ମାନ । ମନ ଓ ମାନ ଏ ଯୋଡିକ ଯାକ ଚାରିତ୍ରିକ ମୂଲ୍ୟବୋଧ ଏକାଠି ନହୋଇପାରିଲେ କାର୍ଯ୍ୟ ହୋଇପଡେ ଅକାର୍ଯ୍ୟଟାଏ ହିଁ ଅବଶେଷରେ । ନିଅଌକ୍ଷଗ୍ଧ;ିଆ ଅବସ୍ଥାର ଅପନ୍ତରାରେ ଇତିହାସ ଅଜସ୍ର ମୋଡ ଅତିକ୍ରମ କରିଆସିଛି ଏ ଭାରତବର୍ଷର ଖଟିଖିଆ ମଣିଷର ମହାସ୍ରୋତ । ମାତ୍ର ସେଇମାନେ ହିଁ ସାଜିଛନ୍ତି ବିପ୍ଲବର ବିଶାଳ ବାହିନୀ, ପରିବର୍ତ୍ତନର ପ୍ରକୃତ ଯୋଦ୍ଧା । ସଂଘର୍ଷ, ସଂଗ୍ରାମ, ସଂଘାତ ମଧ୍ୟରୁ ସେମାନେ ସାଉଁଟିଛନ୍ତି ଅସଲ ଜୀବନର ଜୟଗାନ ପାଇଁ ମୁକ୍ତିପଥର ମହାମନ୍ତ୍ର ।
ଏବେ କିନ୍ତୁ ସମଗ୍ର ବିଶ୍ୱରେ ମାଗଣା ଯୋଗାଣ ସଂସ୍କୃତି ଉଣାଅଧିକେ ଚାଲୁରହିଛି । ଠେଲାପେଲା, ଦଳାଚକଟା, ମାଡପିଟ୍ରେ ମଧ୍ୟ ଜୀବନ ଚାଲିଯାଉଥିବାର ଖବର ପ୍ରସାରଣ ହେଉଥିବାର
ଦେଖିଥିବେ । ବର୍ତ୍ତମାନର ମାଗଣା ଯୋଜନାରେ ସାମିଲ ହେବାକୁ ନେତାଠାରୁ କୁଜିନେତା, ଅଫିସରମାନଙ୍କ ସାହାରା ନିଆଯାଉଛି । ଲୋକେ ଏପଟେ ମାଗଣା ନେବେ ସେପଟେ କରଟିକସ ଦେବେ । ଅତ୍ୟାବଶ୍ୟକ ଦ୍ରବ୍ୟର ଆକାଶଛୁଆଁ ଦରବୃଦ୍ଧିକୁ ମୁଣ୍ଡପାତି ସହି ନେଉଥିବେ । ଦେଶର ଭବିଷ୍ୟତ ଛାତ୍ରଯୁବକଙ୍କୁ ମଧ୍ୟ ମାଗଣା ନିଆ ମନୋଭାବ ଶିଖେଇ ଦିଆହେଲାଣି । ସରକାରମାନେ ଜିଆ, କେରାଣ୍ଡି ଗୁନ୍ଥି ବାଳିଆମାଛ ଧରିବାରେ ଶତପ୍ରତିଶଦ ସିଦ୍ଧହିସ୍ତ ପାଲଟିଗଲେଣି ।
ଯେବେଠୁ ଦେଶରେ ମାଗଣା ସଂସ୍କୃତି ପ୍ରଚଳନ ହେଲା ସେବେଠୁ ଆରମ୍ଭ ହେଲା ଘୋର କର୍ମକୁଣ୍ଠାର ନିଘୋଡ ଘୁଙ୍ଗୁଡିମରା ପହର । ଦେଶ ରସାତଳକୁ ଯିବାକୁ ଆଉ ବେଶି ଡେରି ନାହିଁ । ଲୋକେ ପହିଲେ କାମଧନ୍ଦା ଛାଡ କଲେ, କାମ ନକରିବାର ଅଭ୍ୟାସରେ ପଡି ଏକବାରେ ମାନ୍ଦା ହୋଇଗଲେ । ଇଏ ତ ଛାଡ ବାହାର କଥା । ଏପରିକି ଘରେ ନିଜ କାମ ବେଳକୁ ବି ନିପଟ ଅଳସୁଆ ହୋଇଗଲେ । ମଗଜରୁ ବୁଦ୍ଧି କମିଗଲା । ବେପାରବଣିଜରେ ମଧ୍ୟ ମାଗଣା ସଂସ୍କୃତି ବ୍ୟାପକ ଭାବେ ଚାଲୁରହିଛି । ବ୍ୟବସାୟୀ ପ୍ରତିଷ୍ଠାନ, ବଡ ବଡ ମଲ୍ମାନଙ୍କରେ ବେଶ୍ ଆଖି ଝଲ୍ସା ସାଜସଜ୍ଜାରେ ଶସ୍ତା ଜିନିଷ ଉପରେ ଚଢା ରେଟ୍ ଲେଖି ୨୦ରୁ ୫୦ ପରସେଌକ୍ଷଗ୍ଧ;୍ ରିହାତିରେ ବିକ୍ରି କରୁଛନ୍ତି । ପୁଣି ଗୋଟିଏ କିଣିଲେ ଦି’ଟା ମାଗଣା ବୋଲି ଧୁମ୍ ପ୍ରଚାର ଚଳାଇରଖିଛନ୍ତି । ଆମ ଲୋକମାନେ ପିମ୍ପୁଡି ମାର୍କା ଧାର ବା ଧାଡି ଲମ୍ବାଇ ଚାଲୁଛନ୍ତି ମାଗଣା ଓ ଶସ୍ତା ଜିନିଷ ପାଇବାକୁ । ଏବେ “ୟୁଜ୍ ଆଣ୍ଡ୍ ଥ୍ରୋ” ବୋଲିବାଣିର ବେଶ୍ ପ୍ରଚାରପ୍ରିୟ ପର୍ବପର୍ଯ୍ୟାୟ ବଳବତ୍ତର । କିଣା ପଦାର୍ଥସହିତ ଅ’କିଣା ବହୁ ସାମଗ୍ରୀ ମଧ୍ୟ ମାଗଣାରେ ସୁଲଭ ବୋଲି ବିଜ୍ଞପ୍ତିର ଲୋଭନୀୟ ପ୍ରସ୍ତାବମାନ ଶୁଣି ଗରାଖର ମୁଣି ଭିତରୁ ମୁଣ୍ଡ କାଡିବାକୁ ସଞ୍ଚିତ ମୁଦ୍ରାସବୁ ଏକବାର ତୟାର୍ ।
ଏ ମାଗଣା ଯୋଗାଣ ସଂସ୍କୃତିଟା ଏବେ ଅଜଗର ଭଳି ପ୍ରକାଣ୍ଡ ଚେହେରା ଧରି ଧିରେ ଧିରେ ସବୁଆଡକୁ ମୁହାଁଇଲାଣି । ଖଟି ଖାଇବାର ସେ କର୍ମଚଞ୍ଚଳ ଦିନ ଆଜି ଦିଅଁଖିଆ
ଖଟୁଳିଖିଆ ଦିନ ଦ୍ୱିପହରରେ ପରିଣତ । ଯୁଆଡେ ଅନାଅ କର୍ମଛଡା ଗୋଷ୍ଠି ଆଉ ସୃଷ୍ଟିଛଡା ଦଳ । ଖାଇବାକୁ ମିଳୁଛି ମୋଫତ୍ – ଖଟିବ କାହିଁକି କିଏ ? ଖଟରେ କରମାଡି
ଶୋଇବେ, ନହେଲେ ଖଟିରେ ବକରବକର ହୋଇ ମାତିବେ । ଘରେ ଘରେ ବେକାର । କଳକାରଖାନା ଭଲଭାବେ ଚାଲୁନି । ସରକାରୀ ବେସରକାରୀ ଅଫିସ୍ ଅନୁଷ୍ଠାନମାନଙ୍କରେ ଚାକିରୀ ନାହିଁ – ଥିବା ଚାକିରୀ ସଂକୁଚିତ ହେଉଛି । ମାଗଣାଖିଆ ରାଜ୍ୟରେ ଏତେ ଲୋକ ଦାଦନ ଖଟିବାକୁ କାହିଁକି ଯାଉଛନ୍ତି । ଅଭାବଅନାଟନ ସାଧାରଣ ଲୋକଙ୍କୁ ସିନା ବାଧୁଛି – ଯେଉଁମାନଙ୍କ ପାଖରେ ଧନସମ୍ପତି ଅଛି – ସେମାନେ ଧନକୁ ବହୁଗୁଣିତ କରିବା ପାଇଁ ନାନା ଫନ୍ଦିଫିକର କରି ମଧ୍ୟ ସଫଳ ହେଇପାରୁନାହାଁନ୍ତି । ଫଳରେ ଏକପ୍ରକାର ହତାଶର କରାଳ ଛାୟା ମାଡିଗଲାଣି । ମୁଣ୍ଡ କାମ କରୁନି । ଏଇଭଳି ଭାବେ ଶ୍ରୀଲଙ୍କା, ପାକିସ୍ଥାନ, ଆଫ୍ରିକା ପ୍ରମୁଖ ଦେଶରେ ସରକାରମାନେ ମାଗଣା ବାଣ୍ଟି ବାଣ୍ଟି ଦେବାଳିଆ ହୋଇଗଲେଣି । ଆମ ଭାରତ ମଧ୍ୟ ସେଇ ରାସ୍ତାରେ ଅଗ୍ରସର ହେଉଛି । ଏ ମାରକ ମୂଲକରେ ମହାମାରୁ ମାହାଳିଆମାନଙ୍କ ଅବସ୍ଥା ଦିନକୁ ଦିନ ସାଂଘାତିକ ହେବାକୁ ଯାଉଛି । ଯେଉଁମାନେ ଶତଚେଷ୍ଟା କରି ଦୁଇଓଳି ଖାଇବା ଯୋଗାଡ କରିପାରୁନାହାଁନ୍ତି ସେମାନଙ୍କୁ ବଂର ମାଗଣା ସବୁକିଛି ଦିଆଯାଉ । ରାଜ୍ୟରେ ସବୁଲୋକଙ୍କୁ ଧୁଆଅଧୂଆ ମୂଳା ଏକକରି ମାଗଣା ସଂସ୍କୃତି ଜାଲରେ ଛନ୍ଦି ଦିଆନଯାଉ । ଏହା ସଂପୂର୍ଣ୍ଣ କର୍ମସଂସ୍କୃତିକୁ ବିଗାଡି ଦେଇପାରେ ! ସମୟ ଆସୁଛି ଦେଶ ଆହୁରି ଭୟଙ୍କର ଅବସ୍ଥା ଆଡକୁ ଗତି କରିବ ।
ମାଗଣା ସଂସ୍କୃତି ବନ୍ଦ କରି ସବୁ ଲୋକଙ୍କୁ କ୍ଷମତାନୁଯାୟୀ କାମ ଯୋଗାଇଦେବା ଆବଶ୍ୟକ । ଏହାଦ୍ୱାରା ଲୋକେ ବାସ୍ତବରେ ସ୍ୱାବଲମ୍ବି ହେବେ । ଦେଶର ବିକାଶ ହେବ । ଏହି ୨୦୨୩ ସଂଘର୍ଷର ବର୍ଷ ହେବାକୁ ଯାଉଛି । କେହି କାହାକୁ ମାନିବେନି । ବହୁ ଲୋକଙ୍କ ମୁକୁଟ ଖସିପଡିବ । ମୁଣ୍ଡର ବୁଦ୍ଧି କାମ ଦେବନି । ମନେରଖନ୍ତୁ – ମୁକୁଟ ଠୁ ମୁଣ୍ଡ ମୂଲ୍ୟବାନ୍ ।
ଯାଜପୁର ରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩
Comments are closed.