Latest Odisha News

ଖୋଲାଗଲା ମା’ ସମଲେଇଙ୍କ ହୁଣ୍ଡି ବାକ୍ସ, ମିଳିଲା ପ୍ରେମ ପତ୍ର

ସମ୍ବଲପୁର: “ମା’ ଏବେ ତୁ ହିଁ ଭରସା । ମୁଁ ଶୁଣିଛି ତୁ ସମସ୍ତଙ୍କ ମନସ୍କାମନା ପୂରା କରୁ । ମୋର ବି କରିଦେ ମା’ । ତୁତ ଜାଣିଛୁ ମୁଁ କାହ୍ନାକୁ କେତେ ଭଲ ପାଉଛି । ମୋ ଉପରେ ଏତିକି କୃପା କର, ଆମ ଦୁଇ ଜଣଙ୍କୁ ସବୁଦିନ ପାଇଁ ଏକ କରିଦେ । ଆମ ଦୁଇ ଜଣଙ୍କ ବାହାଘର କରେଇ ଦେ ମା’” । ଏସବୁ କଥା ଶୁଣି ଆପଣ ବି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି ନା । ଏହା କୌଣସି ଫିଲ୍ମ କି ନାଟକର ସଂଳାପ ନୁହେଁ । ଏ ହେଉଛି ନିଜ ପ୍ରେମକୁ ପାଇବାକୁ ଗୋଟେ ପ୍ରେମିକାର ଆକୁଳ ନିବେଦନ ପତ୍ର । ଯେଉଁ ପ୍ରେମ ପତ୍ର ମା’ ସମଲେଶ୍ଵରୀ ମନ୍ଦିର ହୁଣ୍ଡିରୁ ବାହାରିଛି ।

ସୂଚନା ଅନୁସାରେ, ଆରମ୍ଭ ହୋଇଛି ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ଵରୀଙ୍କ ହୁଣ୍ଡିରେ ଭକ୍ତମାନେ ଦାନ କରିଥିବା ଟଙ୍କା ଗଣତି । ଆଜି ଟଙ୍କା ଗଣତି ସମୟରେ ସେଥିରୁ ଏକ ଚିଠି ବାହାରିଥିଲା । ଯାହାକୁ ପଢି ଗଣତି କରୁଥିବା ଲୋକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାରଣ ସେ ଚିଠି ଆଉ କୌଣସି ଚିଠି ନଥିଲା ସେ ଥିଲା ଏକ ପ୍ରେମ ପତ୍ର । ସେଥିରେ ନିଜର ପ୍ରେମକୁ ସଫଳ କରିବା ପାଇଁ ଜଣେ ଯୁବତୀ ମା’ ସମଲେଶ୍ଵରୀଙ୍କୁ ଆକୁଳ ନିବେଦନ କରିଥିଲେ । ଯୁବତୀଙ୍କ ନାଁ ବର୍ଷା ହୋଇଥିବା ବେଳେ, ସେ ତାଙ୍କ ପ୍ରେମିକ କାହ୍ନା ପାଇଁ ଏହି ପ୍ରେମ ପତ୍ର ଲେଖିଛନ୍ତି ।

କାହ୍ନା ସହ ତାଙ୍କର ସୁରୁଖୁରୁରେ ବାହାଘର ହୋଇଯାଉ ଓ ବିବାହ ପରେ ଉଭୟେ ଏକା ସାଙ୍ଗରେ ମାଙ୍କ ଦର୍ଶନ ପାଇଁ ଆସିବେ ବୋଲି ଏହି ପ୍ରେମପତ୍ରରେ ଲେଖିଛନ୍ତି ବର୍ଷା । କେବଳ ଏତିକି ନୁହେଁ ଶାଶୁଘର ଲୋକଙ୍କୁ ସେ କିଭଳି ଖୁସିରେ ରଖିପାରିବେ ସେନେଇ ତାଙ୍କୁ ସହାୟ ହେବାକୁ ସେ ମା’ଙ୍କୁ ନିବେଦନ କରିଛନ୍ତି । ତେବେ ଏହା ପ୍ରଥମ ଚିଠି ନୁହେଁ ଏହା ପୂର୍ବରୁ ମଧ୍ୟ ମା’ ସମଲେଶ୍ୱରୀଙ୍କ ହୁଣ୍ଡିରୁ ଏମିତି ଅନେକ ଥର ଚିଠି ବାହାରିଛି । ମା’ଙ୍କ ପାଖରେ ଅନେକ ଲୋକ ଅନେକ ମାନସିକ କରିଥାନ୍ତି । କିନ୍ତୁ ଗତ କିଛି ବର୍ଷ ହେବ ମା’ ସମଲେଶ୍ଵରୀଙ୍କ ପାଖରେ ଶ୍ରଦ୍ଧାଳୁ ଏପରି କିଛି ଭିନ୍ନ ଢଙ୍ଗରେ ପତ୍ର ଲେଖି ଗୁହାରି କରୁଥିବାର ଚିତ୍ର ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

 

 

 

 

Leave A Reply

Your email address will not be published.