Latest Odisha News

BREAKING NEWS

ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ଦିନ ନିର୍ଘଣ୍ଟ, ଜାନୁଆରୀ ୧୫ରୁ ଆରମ୍ଭ

ଭୁବନେଶ୍ବର: ଆସନ୍ତା ଜାନୁଆରୀ ୧୫ ତାରିଖରୁ ଆରମ୍ଭ ହେବ ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ଦୁଲୁକିବ ବିଶ୍ୱର ସବୁଠାରୁ ବଡ ମୁକ୍ତାକାଶ ରଙ୍ଗମଞ୍ଚ। ୧୧ଦିନ ଧରି ଚାଲିବ ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକେ ଏହି ନିଷ୍ପତ୍ତି ନିଆଯାଇଛି। ଧନୁଯାତ୍ରା କମିଟି, ଜ଼ିଲ୍ଲା ପ୍ରଶାସନ ତଥା ବରଗଡ଼ର ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସର୍ବସମ୍ମତି କ୍ରମେ ଏହି ତାରିଖ ଧାର୍ଯ୍ୟ କରାଯାଇଛି।

ଧନୁଯାତ୍ରା ମହୋତ୍ସବ ସମିତିର ଏହି ସାଧାରଣ ପରିଷଦ ବୈଠକ ଜିଲ୍ଲାପାଳ ମୋନୀଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ହୋଇଛି। ବୈଠକରେ ନାନାଦି ଅଭିଯୋଗ ସାମନାକୁ ବି ଆସିଛି। ଧନୁଯାତ୍ରା ଓଡ଼ିଶାର ବରଗଡ଼ରେ ଏକ ବାର୍ଷିକ ନାଟକ-ଭିତ୍ତିକ ଖୋଲା ରଙ୍ଗମଞ୍ଚ ଯାତ୍ରା। ବରଗଡ଼ ପୌରାଞ୍ଚଳର ୭କିମି ପରିଧି ମଧ୍ୟରେ ଆୟୋଜିତ ଏହି ଯାତ୍ରା ପୃଥିବୀର ବିଶାଳତମ ଖୋଲା ରଙ୍ଗମଞ୍ଚ ଭାବେ ଜଣା। ପୌରାଣିକ କଥାବସ୍ତୁ ହରିବଂଶର ମଥୁରା ବିଜୟକୁ ନାଟ୍ୟ ରୁପାନ୍ତର ଆକାରରେ ମଞ୍ଚସ୍ଥ କରାଯାଇଥାଏ ଧନୁଯାତ୍ରାରେ।

ଧନୁଯାତ୍ରା ମାତୁଳ କଂସର ଧନୁଯାତ୍ରାରେ ଭାଗନେବାପାଇଁ ଭଗବାନ କୃଷ୍ଣଙ୍କର ମଥୁରାଯାତ୍ରାର ସ୍ମୃତି ବହନ କରେ। ଯାତ୍ରା ସମୟରେ ବରଗଡ଼ ସହର କଂସଙ୍କ ମଥୁରା ପାଲଟୁଥିବା ବେଳେ ପୌରାଞ୍ଚଳର ୧୭ନଂ ୱାର୍ଡ଼ ଅମ୍ବାପାଲି ପାଲଟି ଥାଏ ଗୋପପୁର, ବରଗଡ଼ ସହରବାସୀ ଓ ଦର୍ଶକ ପାଲଟିଥାନ୍ତି ପ୍ରଜା। ମହାରାଜା କଂସଙ୍କ ଆଦେଶ ଅବମାନନା କଲେ ଯେତେବଡ଼ ପଦପଦବୀରେ ଥିଲେ ସୁଦ୍ଧା ଦଣ୍ଡଭୋଗିବାକୁ ହୋଇଥାଏ। ଏହି ମଞ୍ଚରେ କଂସ ଦୋଷ ନିମନ୍ତେ ଲୋକଙ୍କୁ ଦଣ୍ଡବିଧାନ ମଧ୍ୟ କରିଥାନ୍ତି।

Leave A Reply

Your email address will not be published.