Latest Odisha News

BREAKING NEWS

ଶ୍ରମିକ ସ୍ପେଶାଲ ଟ୍ରେନ୍‌ ଚାଲୁ କରିବାକୁ ରେଳମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି

ଭୁବନେଶ୍ୱର: ଓଡ଼ିଶାରୁ ଶ୍ରମିକ ସ୍ପେଶାଲ୍ ଟ୍ରେନ୍ ପୁଣି ଥରେ ଚଳାଚଳ କରିବା ପାଇଁ ରେଳ ମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଶାରୁ ଗୁଜରାଟ, କର୍ଣ୍ଣାଟକ ଓ ମହାରାଷ୍ଟ୍ର ଭଳି ରାଜ୍ୟକୁ ପୁନର୍ବାର ଶ୍ରମିକ ସ୍ପେଶାଲ୍ ଟ୍ରେନ୍ ଚାଲୁ ପାଇଁ ଚିଠିରେ ଉଲ୍ଲେଖ କରିଛନ୍ତି ।

ଧର୍ମେନ୍ଦ୍ର ପ୍ରଧାନ ଲେଖିଛନ୍ତି, ଦେଶ ଅର୍ଥନୀତିର ପୁନରୁଦ୍ଧାର ତଥା ପ୍ରବାସୀ ଓଡିଆ ଲୋକଙ୍କ ଜୀବନଜୀବିକାକୁ ଦୃଷ୍ଟିରେ ରଖି ଶ୍ରମିକ ସ୍ପେଶାଲ୍ ଟ୍ରେନ ଚଲାଯାଉ । ଗଞ୍ଜାମ ଜିଲ୍ଲାର ଅନେକ ପ୍ରବାସୀ ଓଡିଆ ଗୁଜୁରାଟ ଓ ଅନ୍ୟ ରାଜ୍ୟକୁ ରେଳ ସେବା ଚାଲୁ କରିବା ପାଇଁ ତାଙ୍କୁ ଅନୁରୋଧ କରିଛନ୍ତି ।

ଜୀବନଜୀବିକା ପାଇଁ ସୁଯୋଗର ଅଭାବ ଥିବା ଏବଂ ପୁଣି କାର୍ଯ୍ୟକ୍ଷେତ୍ରରେ ଯୋଗଦେବା ପାଇଁ ଯିବାରେ ଅସୁବିଧା ହେଉଥିବା ସେମାନେ ଦର୍ଶାଇଛନ୍ତି । କରୋନା ଓ ଲକଡାଉନ ବେଳେ ଗୁଜରାଟ, କର୍ଣ୍ଣାଟକ, ମହାରାଷ୍ଟ୍ର ଭଳି ରାଜ୍ୟରୁ ପ୍ରବାସୀମାନେ ଶ୍ରମିକ ସ୍ପେଶାଲ୍ ଟ୍ରେନରେ ଓଡ଼ିଶା ଫେରିଥିଲେ ।

ଧର୍ମେନ୍ଦ୍ର ଉଲ୍ଲେଖ କରିଛନ୍ତି, ଲକଡାଉନ୍ ଉଠିବା ପରେ ସବୁକିଛି ସ୍ୱାଭାବିକ ସ୍ଥିତିକୁ ଫେରୁଛି । କାର୍ଯ୍ୟସ୍ଥଳୀକୁ ସମସ୍ତେ ଫେରୁଛନ୍ତି । ମୌସୁମୀ ପରିସ୍ଥିତି ଓ ସଡ଼କପଥରେ ଅନ୍ୟ ରାଜ୍ୟକୁ ଯିବା କଷ୍ଟକର ଓ ନିରାପଦ ବି ନୁହେଁ । ଏହାକୁ ଦୃଷ୍ଟିରେ ରଖି ଶ୍ରମିକ ସ୍ପେଶାଲ୍ ଟ୍ରେନ ପୁନଃ ଚଳାଚଳ କରିବା ଦିଗରେ ପଦକ୍ଷେପ ନେବାକୁ ରେଳମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଅନୁରୋଧ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

Leave A Reply

Your email address will not be published.