Latest Odisha News

BREAKING NEWS

ହାତୀ ମୃତ୍ୟୁ ନେଇ ଧର୍ମେନ୍ଦ୍ରଙ୍କ ଉଦବେଗ, ନବୀନ ଓ ଭୂପେନ୍ଦରଙ୍କୁ ଚିଠି

ଭୁବନେଶ୍ବର : ଓଡ଼ିଶାରେ ହାତୀ ଓ ବନ୍ୟାପ୍ରାଣୀଙ୍କ ମୃତ୍ୟୁକୁ ନେଇ ଚିନ୍ତାପ୍ରକଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଖାସ କରି ହାତୀମାନଙ୍କର ସୁରକ୍ଷା ଓ ସଂରକ୍ଷଣ ପାଇଁ ସମୟୋଚିତ ପଦକ୍ଷେପ ସମେତ ହସ୍ତକ୍ଷେପ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଭୂପେନ୍ଦର ଯାଦବଙ୍କୁ ପୃଥକ ପୃଥକ ପତ୍ର ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଧର୍ମେନ୍ଦ୍ର କହିଛନ୍ତି ଯେ, ଓଡ଼ିଶାରେ ଦିନକୁ ଦିନ ବଢ଼ି ଚାଲିଥିବା ହାତୀ ମୃତ୍ୟୁ ତଥା ହାତୀ-ମଣିଷ ସଂଘର୍ଷ ଆଜି ଆମ ପାଇଁ ସବୁଠାରୁ ବଡ଼ ଆହ୍ୱାନ ପାଲଟିଛି । ହାତୀ ହେଉଛି ଆମର ପରିବେଶ ସନ୍ତୁଳନ, ସାଂସ୍କୃତିକ ଐତିହ୍ୟ ଏବଂ ଓଡ଼ିଶାରର ସାମଗ୍ରିକ ପରିଚୟର ଅବିଚ୍ଛେଦ୍ୟ ଅଙ୍ଗ । ତେଣୁ ହାତୀମାନଙ୍କର ସୁରକ୍ଷା ଓ ସଂରକ୍ଷଣ ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି । କେନ୍ଦ୍ର ସରକାରଙ୍କ ପରି ସାରା ଓଡ଼ିଶାରେ ହାତୀର ସୁରକ୍ଷିତ ତଥା ଅବାଧ ବିଚରଣକୁ ସୁନିଶ୍ଚିତ କରିବା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ସମୟୋଚିତ ହସ୍ତକ୍ଷେପ ଅତି ଜରୁରୀ ବୋଲି ସେ କହିଛନ୍ତି । ହାତୀଙ୍କ ସୁରକ୍ଷା ତଥା ସଂରକ୍ଷଣ ଦିଗରେ ଯଥାଶୀଘ୍ର ଦୃଢ଼ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଭୂପେନ୍ଦର ଯାଦବଙ୍କୁ ଧର୍ମେନ୍ଦ୍ର ଚିଠିରେ ଅନୁରୋଧ କରିଛନ୍ତି ।

ଧର୍ମେନ୍ଦ୍ର କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ନିଜ ‘ମନ୍ କି ବାତ୍’ରେ ହାତୀଙ୍କ ଗୁରୁତ୍ୱ ଓ ସେମାନଙ୍କ ସଂରକ୍ଷଣ ଉପରେ ବାରମ୍ବାର ଆଲୋକପାତ କରି ଆସୁଛନ୍ତି । ହାତୀମାନଙ୍କ ପାଇଁ ଉଦ୍ଦିଷ୍ଟ ସଂରକ୍ଷିତ ଅଞ୍ଚଳ ନେଟୱର୍କର ସମ୍ପ୍ରସାରଣ ଏବଂ ’ପ୍ରୋଜେକ୍ଟ ଏଲିଫେଣ୍ଟ’ ଗଜରାଜଙ୍କ ସୁରକ୍ଷାର ଏକ ଶକ୍ତ ମୂଳଦୁଆ ପକାଇଛି । ଏପରି ସ୍ଥଳେ ଗତ ଏକ ଦଶନ୍ଧି ମଧ୍ୟରେ ଓଡ଼ିଶାରେ ୭୮୪ଟି ହାତୀ ପ୍ରାଣ ହରାଇବା ଦୁର୍ଭାଗ୍ୟର ବିଷୟ । ବିଗତ ୫ବର୍ଷରେ ୪୧୬ଟି ହାତୀଙ୍କ ମୃତ୍ୟୁ ହୋଇଛି ଓ ପ୍ରତିବର୍ଷ ହାରାହାରି ୮୦ଟି ହାତୀ ମୃତ୍ୟୁବରଣ କରୁଛନ୍ତି । ଚଳିତ ବର୍ଷ କେବଳ ମାର୍ଚ୍ଚ ମାସରେ ୭ଟି ହାତୀ ମୃତ୍ୟୁ ମୁଖରେ ପଡ଼ିଛନ୍ତି, ଯାହା ଗତ ତିନି ବର୍ଷ ମଧ୍ୟରେ ସର୍ବାଧିକ । ଅଧିକାଂଶ ହାତୀ; ବିଦ୍ୟୁତ୍ ଆଘାତ, ରୋଗ ଅଥବା ଟ୍ରେନ, ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଶିକାର ହେବା ପରିତାପର ବିଷୟ ବୋଲି କହିଛନ୍ତି ଧର୍ମେନ୍ଦ୍ର।

ହାତୀଙ୍କ ପରି ବହୁ ବନ୍ୟପ୍ରାଣୀଙ୍କର ମଧ୍ୟ ଏହିଭଳି ଅଭାବନୀୟ ମୃତ୍ୟୁ ଘଟୁଛି । ୨୦୧୭ -୧୮ରୁ ୨୦୨୧-୨୨ ଗତ ୫ ବର୍ଷ ମଧ୍ୟରେ ଓଡ଼ିଶାରେ ୪୧୬ଟି ହାତୀଙ୍କୁ ମିଶାଇ ସମୁଦାୟ ୨,୭୭୬ଟି ବନ୍ୟଜନ୍ତୁଙ୍କର ମୃତ୍ୟୁ ଘଟିଛି । ସେହିପରି ଦିନକୁ ଦିନ ହାତୀ-ମଣିଷ ସଂଘର୍ଷ ସଙ୍ଗୀନ ହେବାରେ ଲାଗିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟରେ ହାତୀ ଆକ୍ରମଣରେ ଘଟିଥିବା ଧନଜୀବନ କ୍ଷୟକ୍ଷତି ଉପରେ ମଧ୍ୟ ଚିନ୍ତାବ୍ୟକ୍ତ କରିଛନ୍ତି ।  ସେହିପରି ଦିନକୁ ଦିନ ହାତୀ-ମଣିଷ ସଂଘର୍ଷ ସଙ୍ଗୀନ ହେବାରେ ଲାଗିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟରେ ହାତୀ ଆକ୍ରମଣରେ ଘଟିଥିବା ଧନଜୀବନ କ୍ଷୟକ୍ଷତି ଉପରେ ମଧ୍ୟ ଚିନ୍ତାବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.