Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ଯୋରନ୍ଦା ଗାଦିରେ ମାଘ ଚତୁର୍ଦ୍ଦଶୀ ମହିମା ନୀତି

ଢେଙ୍କାନାଳ: ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମେଳା । ମାଘ ଚତୁର୍ଦ୍ଦଶୀ ମହିମା ଗୋଷାଇଁଙ୍କ ମହାପ୍ରୟାଣ ଦିବସରେ ମାଘ ମେଳା ଆରମ୍ଭ । ଏଥିରେ ଦେଶର କୋଣ ଅନୁକୋଣରୁ ଶହ ଶହ ମହିମା ସାଧୁଙ୍କ ସମାଗମ ହୋଇଥାଏ । ଉଭୟ ବକ୍କଳଧାରୀ ଏବଂ କୌପୁନିଧାରୀଙ୍କ ଗାଦି ମନ୍ଦିର, ଧୁନି ମନ୍ଦିର, ବତୀ ମନ୍ଦିରରେ ଅପରାହ୍ନରୁ ଝାଡବତୀ ପ୍ରଜଳନ କରାଯିବାର ରହିଛି ପରମ୍ପରା ।

 

ଦୂରଦୂରାନ୍ତରୁ ଅନେକ ଲୋକ ଏଇ ତିନିଦିନିଆଁ ମେଳାରେ ଭାଗ ନେବାକୁ ଆସିଥାନ୍ତି । ଏହି ଦିନ ମହିମା ସନ୍ନ୍ୟାସୀମାନେ ମହିମା ଗୋସେଇଁଙ୍କ ସମାଧି ପୀଠରେ ପୂଜାର୍ଚ୍ଚନା କରିଥାନ୍ତି । ଅନେକ ମହିମା ସନ୍ନ୍ୟାସୀ ଏହିଦିନ ବୈରାଗୀରୁ ଅପରା ସନ୍ନ୍ୟାସୀ ଭାବେ ଘୋଷିତ ହୁଅନ୍ତି ।

ଏହି ମେଳା ପ୍ରତିବର୍ଷ ମାଘମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ଦିନରେ ଅନୁଷ୍ଠିତ ହୁଏ । ଏହାର ପାଞ୍ଚଦିନ ପୂର୍ବରୁ ତଥା ଦଶମୀ ତିଥିରୁ ମହିମାଗାଦିରେ ସନ୍ନ୍ୟାସୀଙ୍କର ସମାବେଶ ହୁଏ ।ତ୍ରୟୋଦଶୀ ପାହାନ୍ତାରେ ମହିମା ମେଳା ଆରମ୍ଭ ହୁଏ ଏବଂ ଏହାକୁ ପାହାନ୍ତା ପୂର୍ଣ୍ଣମୀ ମଧ୍ୟ କୁହାଯାଏ । ଏହି ଉତ୍ସବରେ ବେଢା ପରିକ୍ରମା କାର୍ଯ୍ୟ ହୋଇଥାଏ । ବଳ୍‌କଳଧାରୀ ମହିମା ସମାଜ ତରଫରୁ ଯେଉଁ ସନ୍ନ୍ୟାସୀମାନେ ବଳ୍‌କଳ ପାଇବାକୁ ଯୋଗ୍ୟ ଏବଂ କୌପୀନଧାରୀ ସମାଜ ପକ୍ଷରୁ ଯେଉଁମାନେ ଆଡ଼ବନ୍ଧ ପାଇବା ପାଇଁ ମନୋନୀତ ହୁଅନ୍ତି ସେମାନଙ୍କୁ ତାହା ପ୍ରଦାନ କରାଯାଏ । ଏହି ଉତ୍ସବ ଦେଖିବା ପାଇଁ ସାଧାରଣ ଭକ୍ତଙ୍କୁ ଅନୁମତି ନଥାଏ ।ସତ୍ୟମହିମା ଧର୍ମର ପ୍ରଚାର ପାଇଁ ଏହାର ପ୍ରତିଷ୍ଠାତା ମହିମାପ୍ରଭୁ ଯୋଗେଶ୍ୱର ପାଦରେ ସାରା ଓଡ଼ିଶା ଭ୍ରମଣ କରିଥିଲେ । ଶେଷରେ ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ଗ୍ରାମରେ ଉପସ୍ଥିତ ହୋଇ ଶିଷ୍ୟଙ୍କ ମଧ୍ୟରୁ ୮୪ଜଣଙ୍କୁ କୌପୀନ ଏବଂ ୯୧ଜଣଙ୍କୁ ବକ୍‌କଳ ପ୍ରଦାନ କରି ମହିମା ସନ୍ନ୍ୟାସୀ ନାମରେ ଅଭିହିତ କରିଥିଲେ ।

ଶ୍ରୀ ଦିଲ୍ଲୀଶ୍ୱରାବ୍ଦ ୧୨୮୩ ଫାଲଗୁନ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ଶ୍ରୀ ଯୋଗେଶ୍ୱର ମହିମାପ୍ରଭୁ ପଦ୍ମାସନରେ ଉପବିଷ୍ଟ ହୋଇ ଦେହତ୍ୟାଗ କରିଥିଲେ । ତାଙ୍କର ଶରୀରକୁ ଯୋରନ୍ଦାଠାରେ ଭୂସମାଧି ଦିଆଗଲା ଏବଂ ଢେଙ୍କାନାଳ ନରେଶ ଅଲେଖ ମହିମା’ ମହାମନ୍ତ୍ର ଉଚ୍ଚାରଣ କରି ଏହି କାର୍ଯ୍ୟ ସମାପନ କରିଥିଲେ ।

ସେହି ସମାଧି ମନ୍ଦିର ବା ‘ସ୍ମୃତିମନ୍ଦିର’ ମହିମାଗାଦି ନାମରେ ପ୍ରସିଦ୍ଧ । ମହିମା ପ୍ରଭୁଙ୍କର ଦେହ ତ୍ୟାଗ ପରଠାରୁ ପ୍ରତିବର୍ଷ ମହିମାଗାଦି ପ୍ରାଙ୍ଗଣରେ ମହିମା ମେଳା ମହୋତ୍ସବ ପାଳିତ ହୋଇଆସୁଛି ।

Comments are closed, but trackbacks and pingbacks are open.