Latest Odisha News

BREAKING NEWS

ଧୋନୀ ଖେଳିବେ ଟି-୨୦ ବିଶ୍ୱକପ୍ !

ମୁମ୍ବାଇ: ସାରା ବିଶ୍ୱରେ କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ କ୍ରୀଡ଼ା ଜଗତ ମଧ୍ୟ ପ୍ରଭାବିତ ହୋଇଛି । ଆଇପିଏଲ୍ ସହିତ ଟୋକିଓ ଅଲିମ୍ପିକ୍ସ ଆୟୋଜନ ମଧ୍ୟ ଘୁଞ୍ଚିଯାଇଛି । ଭାରତୀୟ କ୍ରିକେଟ ଜଗତର ସଫଳ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଗତ ବିଶ୍ୱକପରୁ କ୍ରିକେଟରୁ ଦୂରରେ ରହିଥିବା ବେଳେ ଏବେ କରୋନା ସଂକ୍ରମଣ ଦେଶରେ ବ୍ୟାପିଥିବା ଯୋଗୁଁ କ୍ରିକେଟ ମ୍ୟାଚ୍ ମଧ୍ୟ ଆୟୋଜନ ହେଉନାହିଁ । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଧୋନୀ ଆଉ କ୍ରିକେଟ ଖେଳିବେ ତ? ନା କ୍ରିକେଟରୁ ଅବ୍ୟାହତି ନେଇଯିବେ । ଧୋନୀଙ୍କ ଖେଳିବାକୁ ନେଇ ବିଭିନ୍ନ କଳ୍ପନାଜଳ୍ପନା ଜାରି ରହିଥିଲେ ମଧ୍ୟ ତାଙ୍କର ପିଲାଦିନର କୋଚ୍ ଏବେ ମୁହଁ ଖୋଲିଛନ୍ତି । ଧୋନୀ ଆଗାମୀ ଟି-୨୦ ବିଶ୍ୱକପରେ ଭାରତକୁ ପ୍ରତିନିଧିତ୍ୱ କରିବେ ବୋଲି କହିଛନ୍ତି ।

ଧୁରନ୍ଧର ଧୋନୀଙ୍କ ପିଲାଦିନର କୋଚ୍ ହେଲେ କେଶବ ରଞ୍ଜନ ବାନାର୍ଜୀ । ଧୋନୀ ଏବେ ମଧ୍ୟ କୋଚ୍ କେଶବଙ୍କୁ ବହୁତ ସମ୍ମାନ କରିଥାଆନ୍ତି । କେଶବଙ୍କ କହିବାନୁଯାୟୀ, କରୋନା ଭୂତାଣୁ ଯୋଗୁଁ ଆଇପିଏଲ୍ ବନ୍ଦ ରହିଥିବା ଯୋଗୁଁ ଆଉ ଅନୁଷ୍ଠିତ ହେବାର ସମ୍ଭାବନା ଦେଖାଯାଉନାହିଁ । ତେବେ ଟି-୨୦ ବିଶ୍ୱକପରେ ଧୋନୀ ଖେଳିବା ଆଶା କ୍ଷୀଣ ରହିଥିଲେ ମଧ୍ୟ ଧୋନୀ ବିଶ୍ୱକପ ଖେଳିବାର କ୍ଷମତା ରଖିଛନ୍ତି । ଏବେ ମଧ୍ୟ ଧୋନୀ ଫିଟ୍ ଅଛନ୍ତି । ତେଣୁ ଉଭୟ ବ୍ୟାଟିଂ ଓ କିପିଂରେ ଭଲ ପ୍ରଦର୍ଶନ କରି ବିଶ୍ୱକପରେ ଖେଳିପାରିବେ ବୋଲି କେଶବ ଆଶା ପୋଷଣ କରିଛନ୍ତି ।

ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ପୂର୍ବରୁ ମଧ୍ୟ କହିଥିଲେ ଯେ, ଧୋନୀ ଆଇପିଏଲରେ ଭଲ ପ୍ରଦର୍ଶନ କରିପାରନ୍ତି । ତେଣୁ ଆଇପିଏଲ ହିଁ ଧୋନୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବ । ଶାସ୍ତ୍ରୀଙ୍କ ଏହି କଥାକୁ ଯଦି ବିଶ୍ଳେଷଣ କରାଯାଏ ତେବେ ଧୋନୀ ଆଗାମୀ ବିଶ୍ୱକପରେ ପଦାର୍ପଣ କରିବା ସମ୍ଭାବନା ମଧ୍ୟ ରହିଛି ।

Leave A Reply

Your email address will not be published.