Latest Odisha News

BREAKING NEWS

ଭଲ କବିତାର ଖୋଜ ପକ୍ଷରୁ କବି ରମାକାନ୍ତ ରଥଙ୍କ କବିତା ଚର୍ଚ୍ଚା

ବାଲେଶ୍ଵର : ଭଲ କବିତାର ଖୋଜ୍ ପକ୍ଷରୁ କବି ରମାକାନ୍ତ ରଥଙ୍କ କବିତା ଚର୍ଚ୍ଚା ଆଜି ଏହାର ୬୭ତମ ଆସରରେ ଅନୁଷ୍ଠିତ ହୋଇଛି।  ସ୍ଥାନୀୟ ହୋଟେଲ ପଞ୍ଚଜନ୍ୟ ପରିସରରେ ୨୦୧୯ର ପ୍ରଥମ ଆସର ଆୟୋଜିତ ହୋଇଥିଲା। ଏଣିକି ପ୍ରତ୍ୟେକ ମାସରେ ଗୋଟିଏ ଆସର ଜଣେ ସ୍ରଷ୍ଟାଙ୍କୁ ନିବେଦିତ ହେବ ଏବଂ ସେହି ଆସରରେ କେବଳ ତାଙ୍କ ଲେଖା ବିଷୟରେ ଅନ୍ତରଙ୍ଗ ଆଲୋଚନା, ଚୟନିତ ଲେଖା ପଠନ ଓ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ କରାଯିବ ବୋଲି  ଆସର ପ୍ରାରମ୍ଭରେ ଆବାହକ କୃଷ୍ଣ କୁମାର ମହାନ୍ତି ସୂଚନା ପ୍ରଦାନ କରିଥିଲେ।

ଏହି ଆସରରେ ଅତିଥି ଭାବେ ଯୋଗ ଦେଇଥିଲେ ଡକ୍ଟର ହରିଶ୍ଚନ୍ଦ୍ର ବେହେରା, ଡକ୍ଟର କୁଞ୍ଜବିହାରୀ ଧଳ, ଡକ୍ଟର ଶିରୀଶ ଚନ୍ଦ୍ର ଜେନା, ଡକ୍ଟର ସୁବାସ ଚନ୍ଦ୍ର ପାତ୍ର, ରଞ୍ଜନ ବାଗ ପ୍ରମୁଖ। ରମାକାନ୍ତ ରଥଙ୍କ କବିତା ସମ୍ପର୍କରେ ଉପସ୍ଥିତ ଆଲୋଚକମାନେ ଚର୍ଚ୍ଚା କରିବା ସହ ତାଙ୍କ କବିତାର ସରଳ ଭାଷା, ବାକ୍-ଚାତୁରୀ ଓ ଭାବ କିପରି ତାଙ୍କୁ ଅପ୍ରତିଦ୍ଵନ୍ଦ୍ଵୀ କବି ଭାବେ ପରିଚିତି ଦେଇଛି ସେ ସମ୍ପର୍କରେ ସବିଶେଷ ଆଲୋଚନା କରିଥିଲେ। ତାଙ୍କର ‘ଶ୍ରୀରାଧା’ ସମ୍ପର୍କରେ ଆଲୋଚନା କରି ଅତିଥି କହିଥିଲେ ଯେ, କୃଷ୍ଣଙ୍କ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସମୟକୁ କବି ଶ୍ରୀରାଧା କାବ୍ୟରେ ବର୍ଣ୍ଣନା କରିଥିବା ବେଳେ ରାଧାଙ୍କୁ ପରମା ପ୍ରକୃତି ଭାବେ ଦର୍ଶାଇଛନ୍ତି। ଶ୍ରୀରାଧାର ମୂଳପିଣ୍ଡ ହେଉଛି ଜୀବନ-ପରମ-ତତ୍ତ୍ଵ। ଏହାର ପୃଷ୍ଠଭୂମି ପୁରାଣ, ମାଧ୍ୟମ ମଧ୍ୟ ପୁରାଣ। ଗୋଟେ ପଟେ ଆଶା ତ ଅନ୍ୟପାଖରେ ଅବଲୁପ୍ତି। ସାଧାରଣ ପ୍ରେମକୁ ଏକ ଉଚ୍ଚତର ସୋପାନକୁ ଘେନିଯାଇ କବି କହିଛନ୍ତି : ତୁମେ ଯଦି ମରିନଥାନ୍ତ, ତମକୁ ମୁଁ ଗୋଟାପଣେ ପାଆନ୍ତି କିପରି।

ଏହି ଅବସରରେ ରମାକାନ୍ତ ରଥଙ୍କ ‘ଭୋକ’, ‘ସନ୍ନ୍ୟାସିନୀ’ ଓ ‘ଶବ୍ଦ’ ଶୀର୍ଷକ ତିନୋଟି କବିତା ଆବୃତ୍ତି କରିଥିଲେ ଆବାହକ ଶ୍ରୀଦେବ, କୃଷ୍ଣ କୁମାର ମହାନ୍ତି ଓ ରଞ୍ଜନ ବାଗ୍। କବିତାରେ ସରଳତା ସହ ଚାତୁରୀ ଓ ପ୍ରତୀକ ବ୍ୟବହାର ରମାକାନ୍ତଙ୍କୁ ପ୍ରସିଦ୍ଧି ଦେଇଛି ବୋଲି ମତପ୍ରକାଶ ପାଇଥିଲା।

ପ୍ରାରମ୍ଭରେ ଅର୍ଜୁନ ସାମଲ, ରାମଚନ୍ଦ୍ର ପ୍ରତିହାରୀ, ସୁବୋଧ ନାୟକଙ୍କ ବିୟୋଗରେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯିବା ସହ କବି ଜୟନ୍ତ ମହାପାତ୍ରଙ୍କୁ କେନ୍ଦ୍ର ସାହିତ୍ୟ ଅକାଦେମି ମହତ୍ତର ସଦସ୍ୟ (ଫେଲୋ) ମନୋନୀତ କରିଥିବାରୁ ତାଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଥିଲା। ଶେଷରେ ଆବାହକ ଉତ୍ପଳ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.