Latest Odisha News

ପରମ୍ପରା ଭାଙ୍ଗିଲେ ଶରତ !

ଭୁବନେଶ୍ୱର: ଶରତଙ୍କ ଯୁବ କାର୍ଡ। ପାରମ୍ପରିକ ରାଜନୀତିରୁ ଟିକେ ବାହାରକୁ ଯାଇ ନୂଆ ପିଢିଙ୍କୁ ରାଜନୀତିରେ ଅଧିକ ସୁଯୋଗ ଦେବାକୁ ପିସିସି ସଭାପତି ଶରତ ପଟ୍ଟନାୟକ ଉଦ୍ୟମ କରିଛନ୍ତି। ବିଳମ୍ବରେ ହେଲେ ମଧ୍ୟ ଶରତଙ୍କ ଟିମରେ ଏଭଳି କିଛି ଦେଖିବାକୁ ମିଳିଛି।

କଂଗ୍ରେସରେ ବିଶାଳ ଟିମରେ ଯୁବ ବର୍ଗଙ୍କୁ ପ୍ରମୁଖ ଦାୟିତ୍ୱ ମିଳିଥିବା ବେଳେ ବରିଷ୍ଠଙ୍କୁ କାର୍ଯ୍ୟକାରିଣୀ କମିଟିରେ ନିଆଯାଇଛି। ନିର୍ବାଚନ ପୂର୍ବରୁ ନୂଆ ଏକ୍ସପେରିମେଂଟ କରିଛନ୍ତି ଶରତ। ବହୁ ବିଳମ୍ବରେ ହେଲେ ମଧ୍ୟ ଶରତଙ୍କ ଜୁମ୍ବୋ ଟିମକୁ ନେଇ ଏବେ ରାଜନୈତିକ ଚର୍ଚ୍ଚା ଜୋର ଧରିଛି।

ସଭାପତି ଭାବେ ଦାୟିତ୍ୱ ନେବାର ପାଖାପାଖି ବର୍ଷେ ହେବାକୁ ବସିଲାଣି। ଏଭଳି ସ୍ଥିତିରେ ଶରତ ପଟ୍ଟନାୟକଙ୍କ ଏକ ବିଶାଳ ଟିମ ଗଠନ କରିଛନ୍ତି। ଏହି ଟିମରେ ବିଭିନ୍ନ ପଦପଦବୀରେ ୨୧୨ ଜଣ ସ୍ଥାନ ପାଇଛନ୍ତି। କମିଟିରେ ୫ଜଣ ବରିଷ୍ଠ ଉପସଭାପତି, ୧୨ଜଣ ଉପସଭାପତି, ୩୯ଜଣ ସାଧାରଣ ସମ୍ପାଦକ, ୬୧ଜଣ ସମ୍ପାଦକ ଓ ଜଣେ କୋଷାଧ୍ୟକ୍ଷ ରହିଛନ୍ତି।

୬୭ ଜଣ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଓ ୨୭ଜଣ ଗଣମାଧ୍ୟମ ବିଭାଗରେ ସ୍ଥାନ ପାଇଛନ୍ତି। ଶରତଙ୍କ ଟିମରେ ଯୁବବର୍ଗଙ୍କୁ ଗୁରୁତ୍ୱ ଦିଆଯାଇଥିବା ଦେଖିବାକୁ ମିଳିଛି। ଏଥିସହିତ ବରିଷ୍ଠ ନେତାଙ୍କୁ କାର୍ଯ୍ୟକାରିଣୀ କମିଟିର ସଦସ୍ୟ ଭାବେ ସ୍ଥାନ ଦିଆଯାଇଛି। କଂଗ୍ରେସରେ ଗୋଷ୍ଠୀ କନ୍ଦଳକୁ ଆଖି ଆଗରେ ରଖି ସବୁ ଗୋଷ୍ଠୀଙ୍କୁ ସନ୍ତୁଷ୍ଟ କରିବାକୁ ଏଭଳି କରାଯାଇଥିବା ଚର୍ଚ୍ଚା ହେଉଛି।

ବର୍ତ୍ତମାନ ଝାରସୁଗୁଡ଼ା ଉପନିର୍ବାଚନ ଚାଲିଥିବା ବେଳେ ଆଗକୁ ରାଜ୍ୟରେ ନିର୍ବାଚନ ହେବ। ସେପଟେ ଦୀର୍ଘଦିନ ଧରି କମିଟି ନ ହେବାରୁ ଦଳ ସଂଗଠିତ ହୋଇପାରୁ ନ ଥିଲା। କିନ୍ତୁ କମିଟି ଘୋଷଣା ପରେ ଦଳ ଏବେ ଜୋରଦାର କାମ ଆରମ୍ଭ କରିବ ବୋଲି କୁହାଯାଉଛି।

ଏପରିକି ପୂର୍ବରୁ ପାରମ୍ପରିକ ଧାରାରେ ତୁଷ୍ଟିକରଣ ନୀତି ଅନୁଯାୟୀ କମିଟି ହୁଏ ବୋଲି କୁହାଯାଏ। କିନ୍ତୁ ଏଥର ସେହି ଧାରାରୁ ବାହାରି ଟିମ ଗଠିତ ହୋଇଛି ଵୋଲି ଆଲୋଚନା ହେଉଛି। କିନ୍ତୁ କମିଟି ଘୋଷଣା ହେବାର କେଇ ଘଣ୍ଟା ନ ପୁରୁଣୁ ଦଳ ଭିତରେ ପୁଣି ବିରୋଧ ଆରମ୍ଭ ହୋଇଥିବା ଚର୍ଚ୍ଚା ହେଲାଣି।

ଦଳର ବିଭିନ୍ନ ଗୋଷ୍ଠୀକୁ ଅଣଦେଖା କରାଯାଇଥିବା ଅଭିଯୋଗ ହେଲାଣି। ଯାହାକୁ ନେଇ ଦଳ ଭିତରେ ଅଡୁଆ ସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି। ସେପଟେ ନୂଆ ଟିମକୁ ନେଇ ଶରତ ନିର୍ବାଚନକୁ ଦମଦାର ଢଙ୍ଗରେ ଓଲ୍ହାଇଵାକୁ ପ୍ରସ୍ତୁତି କରୁଛନ୍ତି। ୨୦୧୯ ନିର୍ବାଚନରେ ରାଜ୍ୟରେ ତୃତୀୟ ସ୍ଥାନକୁ ଖସିଥିବା କଂଗ୍ରେସ ମାତ୍ର ୯ ଟି ବିଧାନସଭା କ୍ଷେତ୍ରରେ ଜିତିପାରିଥିଲା।

ଏଥର ପିସିସି ସଭାପତି ୯ ରୁ ୯୦ ଆସନ ଜିତିବାକୁ ବୟାନ ଦେଉଥିଲେ ମଧ୍ୟ ଦଳ ସେତେ ଦମଦାର ଢଙ୍ଗରେ କାମ କରୁଥିବା ଦେଖାଯାଉ ନ ଥିଲା। ଏପରିକି ରାଜ୍ୟର ପ୍ରମୁଖ ପ୍ରସଙ୍ଗ ଗୁଡିକରେ ବିଜେପି ଯେଉଁ ଢଙ୍ଗରେ ବାରମ୍ବାର ସରକାରଙ୍କୁ ଘେରୁଛି କଂଗ୍ରେସର ସେଭଳି କାର୍ଯ୍ୟକ୍ରମ ନାହିଁ। ତେଣୁ ନୂଆ ଟିମ ଗଠନ ପରେ ଦଳ କିଭଳି ଚଳଚଞ୍ଚଳ ହେବ ତା ଉପରେ ସମସ୍ତଙ୍କର ନଜର ରହିଛି।

Leave A Reply

Your email address will not be published.