Latest Odisha News

BREAKING NEWS

କଂଗ୍ରେସରେ କନ୍ଦଳ ତେଜିଲା; ନେତୃତ୍ୱ ପରିବର୍ତ୍ତନ ଲାଗି ଦାବୀ କଲେ ବିରୋଧୀ ଗୋଷ୍ଠୀ

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି)ର ପୁନର୍ଗଠନ ହେବା ପୂର୍ବରୁ ଅସନ୍ତୁଷ୍ଠ ଗୋଷ୍ଠୀର ନେତାମାନେ ନେତୃତ୍ୱ ପରିବର୍ତ୍ତନ ଲାଗି ଦାବୀ କରିଛନ୍ତି ।

ଏସମ୍ପର୍କରେ ଭୁବନେଶ୍ୱରସ୍ଥିତ ପାନ୍ଥନିବାସଠାରେ କଂଗ୍ରେସ ନେତା ବାପି ସର୍ଖେଲଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବୁଧବାର ଦିନ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଅନେକ ବରିଷ୍ଠ କଂଗ୍ରେସ ନେତାଙ୍କ ସମେତ ଦଳର ବହୁ ପୂର୍ବତନ ବିଧାୟକ ଏବଂ ପୂର୍ବତନ ସାଂସଦମାନେ ମଧ୍ୟ ଯୋଗଦେଇଛନ୍ତିି । ଏପରିକି ବୈଠକରେ ବିଭିନ୍ନ ଜିଲ୍ଲାର ସଭାପତି ତଥା ଯୁବ ତଥା ଛାତ୍ର ନେତା ଅଂଶଗ୍ରହଣ କରିଥିବାର ସୂଚନା ମିଳିଛି ।

ଏହି ବୈଠକ ପରେ ଗଣମାଧ୍ୟମକୁ ସୂଚନାଦେଇ ଶ୍ରୀ ସର୍ଖେଲ୍ କହିଛନ୍ତି, ଗତ ସାଧାରଣ ନିର୍ବାଚନ ଏବଂ ବିଧାନସଭା ନିର୍ବାଚନରେ କଂଗ୍ରେସର ଦୟନୀୟ ପରାଜୟ ହେବାପରେ ଜନସାଧାରଣଙ୍କର ଦଳ ଉପରୁ ଭରସା ତୁଟିଯାଉଛି । “ଏହି ପରିପ୍ରେକ୍ଷୀରେ, ବର୍ତ୍ତମାନର ଓପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦଳକୁ ସଠିକ୍ ନେତୃତ୍ୱ ଦେଇପାରିବେ ନାହିଁ । ତାଙ୍କର ଦୁର୍ବଳ ନେତୃତ୍ୱ ହିଁ ନିର୍ବାଚନରେ ଅତ୍ୟନ୍ତ ଖରାପ ପ୍ରଦର୍ଶନ କରିଛି,” ବୋଲି କହିଛନ୍ତି ଶ୍ରୀ ସର୍ଖେଲ୍ ।

ଆହୁରି ମଧ୍ୟ ସେ ଅଭିଯୋଗ କରି କହିଛନ୍ତି ଯେ, ଏବେ କଂଗ୍ରେସ ଏକ ସାଇନବୋର୍ଡ଼ ପାର୍ଟି ହୋଇଯାଇଛି । ଓପିସିସି ସଭାପତିଙ୍କ ମନୋମୁଖି କାର୍ଯ୍ୟକଳାପ ଏବଂ ଏକଚାଟିଆ ଆଚରଣ ଯୋଗୁଁ ଅନେକ ବରିଷ୍ଠ ନେତାମାନେ ଦଳ ପରିତ୍ୟାଗ କରି ଅନ୍ୟ ଦଳମାନଙ୍କରେ ଯୋଗଦାନ କରିଛନ୍ତି ।

“କଂଗ୍ରେସକୁ ଏହି ଦୟନୀୟ ପରିସ୍ଥିତିରୁ ମୁକୁଳାଇବା ଲାଗି ଆଜି ଦଳର ଅନେକ ସଦସ୍ୟମାନେ ଯୋଗଦାନ କରିଥିଲେ । ବରିଷ୍ଠ ନେତା ତଥା କଟକ ବିଧାୟକ ମହମ୍ମଦ ମୋକିମଙ୍କୁ ଓପିସିସି ସଭାପତି ଦାୟିତ୍ୱ ଦେବାନେଇ ଅଧିକାଂଶ ସଭ୍ୟମାନେ ପ୍ରସ୍ତାବ ଦେଇଛନ୍ତି । ଏହି ପ୍ରସ୍ତାବ ନେଇ ଆମେ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଅବଗତ କରିବୁ । ଏହାବ୍ୟତୀତ, ଆଗାମୀ ନଭେମ୍ବର ପ୍ରଥମ ସପ୍ତାହରେ ଏକ ପ୍ରତିନିଧି ଦଳ ତାଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି,” ବୋଲି ଶ୍ରୀ ସର୍ଖେଲ୍ ଗଣମାଧ୍ୟମରେ ସୂଚନା ପ୍ରଦାନ କରିଛନ୍ତି ।

ଏସମ୍ପର୍କରେ ଓପିସିସି ସଭାପତିଙ୍କଠାରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

Leave A Reply

Your email address will not be published.