Latest Odisha News

BREAKING NEWS

ରାଜ୍ୟର ଶିଶୁସେବା ଅନୁଷ୍ଠାନ ଗୁଡିକର ଉନ୍ନତି ପାଇଁ ଆର୍ଥିକ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ଶିଶୁ କଲ୍ୟାଣ ଅନୁଷ୍ଠାନ ଗୁଡିକର ଉନ୍ନତି ଓ ପିଲାମାନଙ୍କ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ତଦନୁଯାୟୀ ରାଜ୍ୟର ୩୦ଟି ଜିଲ୍ଲାରେ ଥିବା ଶିଶୁ କଲ୍ୟାଣ ପ୍ରତିଷ୍ଠାନ ଗୁଡିକରେ ରହୁଥିବା ଶିଶୁମାନଙ୍କ ମଙ୍ଗଳ ପାଇଁ ରେଡକ୍ରସ ସୋସାଇଟି ଜରିଆରେ ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ପ୍ରଦାନ କରାଯିବ। ଗଞ୍ଜାମ, ମୟୁରଭଞ୍ଜ, ବାଲେଶ୍ବର, ସୁନ୍ଦରଗଡ, କେଉଁଝର ଓ ସମ୍ବଲପୁର ଭଳି ଜିଲ୍ଲାମାନଙ୍କର ଅତିରିକ୍ତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସେହି ଜିଲ୍ଲାମାନଙ୍କ ପାଇଁ ଅଧିକ ୧୦ ଲକ୍ଷ ଟଙ୍କା ଲେଖାଏଁ ମଞ୍ଜୁର କରାଯାଇଛି।

ସୂଚାନଯୋଗ୍ୟ ଯେ, ଗତ ଦୀପାବଳି ଦିନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବର ସ୍ଥିତ ‘ଏସଓଏସ ଭିଲେଜ’ ପରିଦର୍ଶନ କରି ପିଲାମାନଙ୍କ ସହିତ ଦୀପାବଳି ପାଳନ କରିଥିଲେ। ୫-ଟି କାର୍ଯ୍ୟକ୍ରମର ଅଂଶ ସ୍ବରୂପ ରାଜ୍ୟର ବରିଷ୍ଠ ଅଧିକାରୀ ଓ ଜିଲ୍ଲାପାଳ ମାନଙ୍କୁ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଶିଶୁ ସେବା ଅନୁଷ୍ଠାନ ଯଥା ଅନାଥାଶ୍ରମ, ଭିନ୍ନକ୍ଷମ ପିଲାମାନଙ୍କ ସ୍କୁଲ ଇତ୍ୟାଦି ପରିଦର୍ଶନ କରି ପିଲାଙ୍କ ସହ ଦୀପାବଳି ଉତ୍ସବ ପାଳନ କରିବା ଏବଂ ପିଲାମାନଙ୍କ ଭଲମନ୍ଦ ସଂପର୍କରେ ପଚାରି ବୁଝିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ମୁଖ୍ୟ ସଚିବ, ଅନ୍ୟ ବରିଷ୍ଠ ଅଧିକାରୀମାନେ ଏବଂ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନେ ଶିଶୁ ସେବା ଓ କଲ୍ୟାଣ ସଂସ୍ଥାଗୁଡିକ ପରିଦର୍ଶନ କରିଥିଲେ। ଏହି ପରିଦର୍ଶନ ପରେ ଜିଲ୍ଲାପାଳମାନେ ଏହି ଶିଶୁ ସେବା ସଂସ୍ଥା ଗୁଡିକରେ ରହୁଥିବା ପିଲାମାନଙ୍କ ସହିତ ସେମାନଙ୍କର ଆବଶ୍ୟକତା ଓ ଭଲମନ୍ଦ ସଂପର୍କରେ ପଚାରି ବୁଝିଥିଲେ।

ପିଲାମାନଙ୍କ ମତାମତକୁ ଭିତ୍ତିକରି ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୩୦ଟି ଜିଲ୍ଲାରେ ଥିବା ଶିଶୁ କଲ୍ୟାଣ ସଂସ୍ଥାଗୁଡିକର ଉନ୍ନତି ପାଇଁ ରେଡକ୍ରସ ସୋସାଇଟି ଶାଖାକୁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି।

ଏଠାରେ ସ୍ମରଣ କରାଇଦିଆଯାଇପାରେ ଯେ, କିଛିଦିନ ତଳେ ମୁଖ୍ୟମନ୍ତ୍ରୀ, ରାଜ୍ୟର ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନଙ୍କୁ ସେମାନଙ୍କ ଜିଲ୍ଲା ଗସ୍ତ ସମୟରେ ସ୍କୁଲ, ଅନାଥାଶ୍ରମ, ଭିନ୍ନକ୍ଷମ ସ୍କୁଲ ଆଦିକୁ ଯାଇ ପିଲାମାନଙ୍କ ଭଲମନ୍ଦ ବୁଝିବା ସହ ସେଠାରେ ମଧ୍ୟାହ୍ନ ଭୋଜନ କରିବା ପାଇଁ ପରାମର୍ଶ ଦେଇଥିଲେ।

Leave A Reply

Your email address will not be published.