Latest Odisha News

BREAKING NEWS

ତୁକାରାମ ମୁଣ୍ଢେଙ୍କ ଉପରେ ବର୍ଷିଲେ ବମ୍ବେ ହାଇକୋର୍ଟ: ‘ନିଜକୁ କ’ଣ ଭଗବାନ ଭାବୁଛନ୍ତି କି?’

ମୁମ୍ବାଇ: ମହାରାଷ୍ଟ୍ର ଖାଦ୍ୟ ଓ ଔଷଧ ପ୍ରଶାସନ (ଏଫଡିଏ)ର ଆୟୁକ୍ତ ତଥା ଚର୍ଚ୍ଚିତ ଆଇଏଏସ ଅଧିକାରୀ ତୁକାରାମ ମୁଣ୍ଢେଙ୍କ କାର୍ଯ୍ୟଶୈଳୀକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ବମ୍ବେ ହାଇକୋର୍ଟ । ସିପ୍ଲା ଫାର୍ମା ଏବଂ ମୁମ୍ବାଇ କ୍ରିକେଟ୍ ଆସୋସିଏସନ (ଏମସିଏ)ର ୫ଟି ରେଷ୍ଟୁରାଣ୍ଟ ଉପରେ ବିଭାଗ ପକ୍ଷରୁ ନିଆଯାଇଥିବା ତରବରିଆ କାର୍ଯ୍ୟାନୁଷ୍ଠାନକୁ କୋର୍ଟ କଡ଼ା ସମାଲୋଚନା କରିଛନ୍ତି । ବିଭାଗର ଅଧିକାରୀମାନଙ୍କୁ ଭର୍ତ୍ସନା କରି କାର୍ଯ୍ୟକାରୀ ପ୍ରଧାନ ବିଚାରପତି ରବୀନ୍ଦ୍ର ଘୁଗେ ଏବଂ ବିଚାରପତି ଗୌତମ ଅଙ୍ଖଡଙ୍କୁ ନେଇ ଗଠିତ ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି ଯେ, ‘ଆପଣମାନେ ନିଜକୁ କ’ଣ ଭଗବାନ ଭାବୁଛନ୍ତି କି ଯେ ଯାହା ଇଚ୍ଛା ତାହା କରିବେ?’

ପ୍ରଥମ ମାମଲାରେ ପୁଣେର ୱାଡକି ସ୍ଥିତ ସିପ୍ଲାର ଏକ ୟୁନିଟର ଔଷଧ ବିକ୍ରି ଲାଇସେନ୍ସକୁ ଏଫଡିଏ ବାତିଲ କରିଦେଇଥିଲା। ଏପରିକି ଏକ ସରକାରୀ ଛୁଟିଦିନରେ ଶୁଣାଣି ପାଇଁ କମ୍ପାନୀ ପ୍ରତିନିଧିଙ୍କୁ ଡକାଯାଇଥିଲା। ଏହାକୁ ‘ପ୍ରାକୃତିକ ନ୍ୟାୟର ଉଲ୍ଲଂଘନ’ ଦର୍ଶାଇ କୋର୍ଟ କହିଥିଲେ ଯେ ବିଭାଗ ସବୁ ସୀମା ପାର କରୁଛି । କୋର୍ଟଙ୍କ ହସ୍ତକ୍ଷେପ ପରେ ବିଭାଗ ଏହି ଲାଇସେନ୍ସ ବାତିଲ ଆଦେଶକୁ ପ୍ରତ୍ୟାହାର କରିବାକୁ ବାଧ୍ୟ ହୋଇଛି ।

ଦ୍ୱିତୀୟ ମାମଲାଟି ବାନ୍ଦ୍ରା-କୁର୍ଲା କମ୍ପ୍ଲେକ୍ସ (ବିକେସି) ସ୍ଥିତ ଏମସିଏ ପରିସରରେ ଥିବା ୫ଟି ରେଷ୍ଟୁରାଣ୍ଟ ସହିତ ଜଡିତ। ଖାଦ୍ୟ ନିରାପତ୍ତା ଓ ପରିମଳ ଆଳରେ ଏଗୁଡ଼ିକର ଲାଇସେନ୍ସକୁ ଏଫଡିଏ ନିଲମ୍ବିତ କରିଥିଲା । ପରବର୍ତ୍ତୀ ଯାଞ୍ଚରୁ ଏହି ରେଷ୍ଟୁରାଣ୍ଟଗୁଡ଼ିକ ୮୮ ପ୍ରତିଶତ ନିୟମ ପାଳନ କରୁଥିବା ଜଣାପଡ଼ିଥିଲା । ତଥାପି ଏମସିଏ ନାମରେ ଲାଇସେନ୍ସ ଥିବାବେଳେ ଅନ୍ୟ ଏକ ସଂସ୍ଥା ଏହାର ପରିଚାଳନା କରୁଥିବା କାରଣ ଦର୍ଶାଇ ବିଭାଗ ନିଜ ଜିଦ୍‌ରେ ଅଟଳ ଥିଲା । ଏଥିରେ ବିରକ୍ତ ହୋଇ ଖଣ୍ଡପୀଠ କହିଥିଲେ ଯେ, ‘ଖଣ୍ଡାରେ ମଶା ମାରିବାକୁ ଚେଷ୍ଟା କରନ୍ତୁ ନାହିଁ’। ନିୟମର ସଠିକ୍ ପାଳନ ନ କଲେ ଅବମାନନା ମାମଲା ରୁଜୁ କରିବାକୁ କୋର୍ଟ ଚେତାବନୀ ଦେଇଥିଲେ । ଶେଷରେ ଏଫଡିଏ ଏହି ନିଲମ୍ବନ ଆଦେଶ ହଟାଇବାକୁ ରାଜି ହୋଇଥିଲା, ଯାହା ଫଳରେ ରେଷ୍ଟୁରାଣ୍ଟଗୁଡ଼ିକୁ ପୁଣି ଖୋଲିବାକୁ ବାଟ ଫିଟିଛି ।

ମେ’ ମାସରେ ମୁଣ୍ଢେ ଏଫଡିଏ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ରାଜ୍ୟରେ ହୋଟେଲ, ରେଷ୍ଟୁରାଣ୍ଟ ଓ ଔଷଧ ଦୋକାନ ଆଦି ଉପରେ ଚଢ଼ାଉ ଜୋରଦାର ହୋଇଛି । ତେବେ ନ୍ୟାୟାଳୟ ସ୍ପଷ୍ଟ କରିଛନ୍ତି ଯେ, କର୍ତ୍ତୃପକ୍ଷ ନିଶ୍ଚିତ ଭାବେ ପ୍ରଶଂସନୀୟ କାମ କରୁଛନ୍ତି, କିନ୍ତୁ କ୍ଷମତାର ଅପବ୍ୟବହାର କରାଯିବା ଉଚିତ ନୁହେଁ । ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ କଡ଼ା ପଦକ୍ଷେପ ଆବଶ୍ୟକ ହେଲେ ମଧ୍ୟ, ବ୍ୟବସାୟୀଙ୍କୁ ପକ୍ଷ ରଖିବାର ସୁଯୋଗ ନ ଦେଇ ରାତାରାତି ବ୍ୟବସାୟ ବନ୍ଦ କରିଦେବା ଗ୍ରହଣୀୟ ନୁହେଁ । ବିନା ନୋଟିସ୍ ଏବଂ ଆଇନଗତ ପ୍ରକ୍ରିୟାକୁ ଅଣଦେଖା କରି ଏପରି ତରବରିଆ କାର୍ଯ୍ୟାନୁଷ୍ଠାନରୁ ନିବୃତ୍ତ ରହିବାକୁ ବମ୍ବେ ହାଇକୋର୍ଟ ବିଭାଗକୁ କଡ଼ା ଭାଷାରେ ତାଗିଦ୍ କରିଛନ୍ତି ।

Leave A Reply

Your email address will not be published.