Latest Odisha News

BREAKING NEWS

ଦୋଳି ଡାକ କଟକଟ

ଦୋଳି ଡାକ କଟକଟ

ପାର୍ଥସାରଥୀ ସାମଲ

ବରଷକେ ଥରେ ଆସିଛି ରଜ। ଆସିଛି ରଜ ଲୋ ଘେନି ନୂଆ ସଜବାଜ। ଆଜି ପହିଲି ରଜ। ତା ପାଇଁ କେତେ ସଜବାଜ। କି ଉଦ୍ଦୀପନା ! କିନ୍ତୁ ଆଜିର ଏ ରଜ ଦେଖିଲେ ଲାଗୁଛି ନା ସେ ସଜବାଜ ଅଛି ନା ସେ ରଜ।

ସଜବାଜ

ରଜ ଥିବ ଆଠ ଦିନ କି ମାସେ। ଘରର ଯେତେକ କୁନି କୁନି ପିଲାମାନେ ଅଳି କରୁଥିବେ “ବାପା, ନୂଆ ଜାମାପଟା କେବେ ଆଣିବ ଯେ”? ରଜ ଥିବ ଦୁଇ ଦିନ। ବୋଉ ବାପାଙ୍କୁ ପଚାରୁଥିବ , “ରଜ ସଉଦା କେବେ ଆଣିବ ଯେ?” ଏଥର ସୁଜି ଆଉ ଗୂଡ଼ କିଲେ ଲେଖା ଅଧିକ ଆଣିବ।”

ରଜ ର ଆଗ ଦିନ ଝିଅମାନେ ସଜବାଜ ଆରମ୍ଭ କରିଦଉଥିବେ। ଟିକିଲି, ସୁଅଁ, ଅଳତା, ନଖପାଲିସି ର ସମ୍ଭାର। ଦଳଦଳ ହେଇ ବସି ସଜ ହେଉଥିବେ। କେତେ ମନର କଥା ବାଣ୍ଟି ଦେଉଥିବେ ନିଜ ନିଜ ଭିତରେ। ଗପର ପସରାରେ ଆଉ ସେମାନଙ୍କର ହସରେ ଫାଟି ପଡୁଥିବ ସେ ଦଳଟି।

କିନ୍ତୁ ଆଜିର ଝିଅମାନଙ୍କର ପାର୍ଲର ଭିତରେ, ଏସି ହାୱା ରେ, ଆଖି ଉପରେ କାକୁଡ଼ି ରଖି, ଚୁପ ଚାପ ବସି ସଜ ହେବା ଭିତରେ ହଜି ଯାଇଛି ସେ ଗପର ପସରା, କଥା ହେବାର ଚପଳତା, ସଜ ହେବାର ଉତ୍ସାହ, ଉଦ୍ଦୀପନା ଆଉ ରଜର ସେ ମଉଜ। ସାନ ଭଉଣୀ କହୁଥିବ ମୋର ଦଉଡ଼ି ଦୋଳି ଲାଗିବ, ବଡ଼ କହୁଥିବ ମୋର ପଟାଦୋଳି ନ ଲାଗିଲେ ମୁଁ କଥା ହେବିନି ତୋ ସହ। ଆଉ ଗୁରୁଜନ ମାନେ କହୁଥିବେ, “ଆରେ ସେ ଛୁଆ ମାନଙ୍କ ଲାଗି ଟୋକେଇ ଦୋଳି ଟିଏ ଲଗେଇ ଦେବ ରେ।”

ପହିଲିରଜ

ପହିଲି ରଜ। ବଡି ଭୋର ରୁ ଉଠି ଗାଧେଇ ପାଧେଇ ସମସ୍ତେ ଲାଗି ପଡ଼ନ୍ତି ନୂଆ ଜାମା ପିନ୍ଧିବାରେ। ସମସ୍ତେ ନିଜ ଆର୍ଥିକ ସ୍ୱଚ୍ଛଳତା ହିସାବରେ ନୂଆ ନୂଆ ଜାମାପଟା ପିନ୍ଧନ୍ତି। କୁଆଁରୀ ଝିଅଟିଏ ନିଜକୁ ଶାଢ଼ୀ ବେଶ ରେ ସଜେଇ ହେଇ, ପାଦରେ ଅଳତା ଲଗେଇ, ଲାଜେଇ ଲାଜେଇ ସଖୀ ମେଳରେ ବାହାରି ଯାଏ ଦୋଳି ଖେଳିବାକୁ। ଜେଜେମା ଆଉ ଆଈମା ମାନେ ଭାଙ୍ଗି ଚାଲିଥିବେ ଅସଂଖ୍ୟ ପାନ। ରଜ ପାନ। ପାନ ନ ଖାଉଥିବା ଲୋକ ଟିଏ ମଧ୍ୟ ସେଦିନ ଦି’ ଚାରି ଖଣ୍ଡ ପାନ ଖାଇ ଦିଏ। ପ୍ରତି ବର୍ଷ ରଜରେ ମାମୁଁ ଘରକୁ ଗଲେ ବଡ଼ ଆଈମା ଧରେଇ ଦିଏ ସାଦା ପାନ ଖଣ୍ଡେ। ଘରର ସମସ୍ତ ଲୋକ ତା ହାତ ଭଙ୍ଗା ପାନ ଖାଇଥିବେ। ଆଜି କିନ୍ତୁ ଆଈମା ନାହିଁ କି ତାର ସେ ପାନ ଡାଲା ବି ନାହିଁ। ସେ ରଜ ବି ଆଉ ରଜ ହେଇ ନାହିଁ।

ଭେଳିକି ଭେଳି ଦୋଳି। ଝିଅମାନଙ୍କର ମେଳି। ଆଉ ସେମାନଙ୍କର ହସର ବୋବାଳି। ତା ଭିତରେ ରଜ ଗୀତ ର ଶବ୍ଦ ମାନେ ଉଡିଯାଉଥିବେ ଗଛର ଶିଖରକୁ ଦୋଳି ର ତାଳେ ତାଳେ। ପ୍ରତିଦ୍ବନ୍ଦିତା ଲାଗିଥିବ ଦୋଳି ଖେଳ ରେ। କିଏ କେତେ ଜୋରସେ ବାଇ ପାରିବ! କାହାର ଦୋଳି କେତେ ଉପରକୁ ଯିବ! ପଟା ଦୋଳି ଦୁଇ ଜଣିଆ ପ୍ରତିଦ୍ବନ୍ଦିତା ରେ ତ ଲାଗେ ସତେ ଯେମିତି ଦୋଳି ଟା ଆକାଶ କୁ ଛୁଇଁ ତଳକୁ ଫେରୁଛି। ପଟା ଦୋଳିକୁ ଝୁଙ୍କେ ବାଇଦେଇ, ଆଉ ତା ପରେ ହାତ ମେଲେଇ, ସ୍ଥିର ଝୁଲିବା ଭିତରେ ସେ ଯେଉଁ ଡର ଆଉ ଉନ୍ମାଦନା ! ସେ ଉନ୍ମାଦନାରେ ଫିକା ପଡ଼ିଯାଏ ଉପରେ ଉଡ଼ିବାର ଡର।

ସେପଟେ ବୋଉ ଡାକ ଛାଡୁଥିବ, “ପୋଡ଼ ପିଠା ଖାଇବନି କି ରେ! !” ଆଜି କାଲିର ସେ ଓଭେନ ପୋଡ଼ା ପୋଡ଼ପିଠା ଆଗରେ ଧୀରେ ଧୀରେ ହଜିବାକୁ ବସିଲାଣି ଚୁଲି ପୋଡ଼ା ପୋଡ଼ପିଠା ର ବାସ୍ନା ଆଉ ସ୍ୱାଦ। ରଜ ପାଗ ଦେଇଥିବ। ଗାଁ ଚାନ୍ଦିନୀ ରେ ପଡ଼ିଥିବ ତାସ, ଇସ୍କୁଲ ବାରଣ୍ଡା ରେ ପଡ଼ିଥିବ ବାଘ ଛେଳି ଆଉ ନଈ ବାଲି ରେ ପଡ଼ିଥିବ କବାଡି, ଲୁଣି ଆଉ ବୋହୁଚୋରି। ଆମ ଗାଁ ପାଖ ଗାଁ ନୂଆପାଟଣା ରେ ରାଜ୍ୟସ୍ତରୀୟ କବାଡି ପ୍ରତିଯୋଗୀତା ର ଆୟୋଜନ। ଦଶ କୋଡ଼ିଏ ଖଣ୍ଡ ଗାଁରୁ ଲୋକ ଆସନ୍ତି ଦେଖିବାକୁ। କବାଡି ପ୍ରତଯୋଗିତା ରଜ ର ଏକ ପ୍ରତୀକ ସଦୃଶ। ସେତକ ବି ନାହିଁ। ଟିଭି ଆଉ ମୋବାଇଲ ଦେଖି ଦେଖି ଆମର ସମୟ ଚାଲି ଯାଉଛି। ହଁ, ରଜ ବି ସେମିତି କଟି ଯାଉଛି ନା କଣ !!! ଏ ପ୍ରକୃତି ବି କେଡ଼େ ଦୁଃଖ ରେ ବସିଛି। ରଜ ପାଗ ବି ଟିକେ ନାହିଁ। ଖାଲି ଢୁ ଢୁ ଖରା।

ନିବେଦନ: ରଜ ମନାନ୍ତୁ। ଫୋନ ରେ ନୁହେଁ। ଗଛ ରେ ଦୋଳି ଟିଏ ବାନ୍ଧନ୍ତୁ, ଚୁଲି ରେ ପିଠା ଟିଏ ପୋଡ଼ନ୍ତୁ। ଝିଅମାନେ ପାଦରେ ଅଳତା ଟିକେ ଲଗାନ୍ତୁ। ପୁଅମାନେ କବାଡି ଆଉ ବାଗୁଡ଼ି ଖେଳନ୍ତୁ। ଦୋଳିଟା ଯାଇକି ଗଛ ଡାଳ ରେ ବାଜୁ। ରଜ ପାନ ରେ ପାଟିଟା ନାଲି ପଡ଼ି ଯାଉ। ରଜ ଟା ରଜ ଭଳିଆ ଯାଉ। ଏ ପରମ୍ପରା ବଂଚିକି ଥାଉ।

………………..
ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଲାଞ୍ଜିଗଡ, କଳାହାଣ୍ଡି
ଫୋନ- 8249484203

Leave A Reply

Your email address will not be published.