ୱାଶିଂଟନ: ଆଜିଠୁ ଆମେରିକାରେ ପୁଣି ଆରମ୍ଭ ହେବ ଟ୍ରମ୍ପ ସରକାର। ଆଜିଠାରୁ ଟ୍ରମ୍ପଙ୍କ ଦ୍ୱିତୀୟ ଇନିଂସ। ବିଶ୍ବର ଶକ୍ତିଶାଳୀ ରାଷ୍ଟ୍ରର ରାଷ୍ଟ୍ରପତି ଭାବେ ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବକୁ ସାରା ବିଶ୍ବବାସୀ ଉତ୍ସୁକତାର ସହ ଚାହିଁ ରହିଛନ୍ତି । ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ନେବେ ଡୋନାଲ୍ଡ ଟ୍ରମ୍ପ। ଆମେରିକା ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। ଚୂଡାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି।
ଭାରତୀୟ ସମୟ ରାତି ୧୦ଟା ୩୦ରେ ହେବ ଶପଥ ଗ୍ରହଣ ଉତ୍ସବ। ଏହି ଶପଥ ଗ୍ରହଣ ଉତ୍ସବରେ ଭାରତ ପକ୍ଷରୁ ଉପସ୍ଥିତ ରହିବେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର। ଶପଥ ଗ୍ରହଣ ପାଇଁ ଡୋନାଲ୍ଡ ଟ୍ରମ୍ପ ୱାଶିଂଟନ ଡିସିରେ ପହଞ୍ଚି ସାରିଛନ୍ତି। ସାଙ୍ଗରେ ସ୍ତ୍ରୀ ମେଲାନିଆ ଓ ପୁଅ ବାରନ ମଧ୍ୟ ଅଛନ୍ତି। ଆଜି ଶପଥ ଗ୍ରହଣ ପୂର୍ବରୁ ଚର୍ଚ୍ଚରେ ପ୍ରାର୍ଥନା କରିବା ପରେ ହ୍ୱାଇଟ ହାଉସରେ ପହଞ୍ଚିବେ।
ସେଠାରେ ବିଦାୟୀ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟିବା ପରେ ଶପଥ ଗ୍ରହଣ କାର୍ଯ୍ୟକ୍ରମକୁ ଯିବେ ଟ୍ରମ୍ପ। ଆମେରିକା ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜନ ରବର୍ଟ୍ସ ରାଷ୍ଟ୍ରପତି ଟ୍ରମ୍ପ ଏବଂ ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କୁ ଶପଥ ପାଠ କରାଇବେ। ପ୍ରବଳ ଥଣ୍ଡା ଯୋଗୁଁ କ୍ୟାପିଟଲ ହିଲର ଇଣ୍ଡୋର ଅଡିଟୋରିୟମରେ ଶପଥ ଗ୍ରହଣ ସମାରୋହ ହେବ। ଏହି ଉତ୍ସବରେ ବିଶ୍ବବ୍ୟାପୀ ବହୁ ଅତିଥି ଯୋଗ ଦେଉଛନ୍ତି। ଆଜି ଅଫିସ ଗ୍ରହଣ କରିବା ପରେ ଟ୍ରମ୍ପ ୧୦୦ ଏଗଜେକୁଟିଭ ଅର୍ଡରରେ ଦସ୍ତଖତ କରିପାରନ୍ତି। ଆମେରିକାକୁ ପୁଣି ଥରେ ମହାନ କରି ଗଢ଼ି ତୋଳିବା ପାଇଁ ଶପଥ ଗ୍ରହଣ କରିବେ।

ଅନ୍ୟପଟେ ଟ୍ରମ୍ପଙ୍କ ଶପଥ ଗ୍ରହଣ ସମାରୋହ ପୂର୍ବରୁ ରବିବାର ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଓଡ଼ିଶାର ପୁରୀ ସମୁଦ୍ର ବେଳାଭୂମିରେ ତାଙ୍କ ଏକ ବାଲୁକା କଳା ତିଆରି କରିଛନ୍ତି। ଡୋନାଲ୍ଡ ଟ୍ରମ୍ପଙ୍କ ଏକ ୪୭ ଫୁଟ ଲମ୍ବର ଏକ ବାଲୁକା କଳା ସ୍ଥାପନା କରିଛନ୍ତି। ଏହି କଳା ମାଧ୍ୟମରେ ଟ୍ରମ୍ପଙ୍କୁ ହ୍ୱାଇଟ୍ ହାଉସରେ ସ୍ୱାଗତ କରାଯାଉଛି। ଏନେଇ ବାଲୁକା ଶିଳ୍ପୀ କହିଛନ୍ତି, “୪୭ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବେ ଟ୍ରମ୍ପ। ମୁଁ ରାଷ୍ଟ୍ରପତିଙ୍କ ଜଣେ ବଡ଼ ପ୍ରଶଂସକ… ଆମେ ଆଶା କରୁଛୁ ଯେ ତାଙ୍କ ରାଷ୍ଟ୍ରପତିତ୍ୱରେ ଭାରତ-ଆମେରିକା ସମ୍ପର୍କ ଆହୁରି ମଜବୁତ ହେବ।”

ଅନ୍ୟପଟେ ଶପଥ ଗ୍ରହଣର ସ୍ବତନ୍ତ୍ର କାର୍ଯ୍ୟକ୍ରମ ପୂର୍ବରୁ ଗତକାଲି ସାରା ଦୁନିଆର କୋଣ ଅନୁକୋଣରୁ ବଛା ବଛା ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ରାତ୍ରିଭୋଜନ ନିମନ୍ତେ ନିମନ୍ତ୍ରଣ ଦିଆଯାଇଥିଲା। ୱାଶିଂଟନରେ ଆୟୋଜିତ ହୋଇଥିବା ଏହି ପ୍ରାଇଭେଟ ରିସେପସନ ପାର୍ଟିରେ ଭାରତର ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀ ଓ ତାଙ୍କ ପତ୍ନୀ ନୀତା ଅମ୍ବାନୀ ସାମିଲ ହୋଇଥିଲେ। ଟ୍ରମ୍ପଙ୍କୁ ଶପଥ ଗ୍ରହଣ ପୂବର୍ରୁ ଅମ୍ବାନୀ ଦମ୍ପତ୍ତି ଅଭିନନ୍ଦନ ଜଣାଇଥିଲେ। ଟ୍ରମ୍ପ ରାଷ୍ଟ୍ରପତି ଭାବେ ଦାୟିତ୍ବ ନେବା ପରେ ଭାରତ-ଆମେରିକା ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ସୁଦୃଢ଼ ହେବ ବୋଲି ଅମ୍ବାନୀ ଦମ୍ପତ୍ତି ଆଶାବ୍ୟକ୍ତ କରିଥିଲେ। ଏଥିସହିତ ଟ୍ରମ୍ପଙ୍କ ପରିବର୍ତ୍ତନକାରୀ ନେତୃତ୍ବରେ ଦୁଇ ରାଷ୍ଟ୍ରର ବିକାଶ ହେବା ସହ ସମଗ୍ର ବିଶ୍ବର ବିକାଶ ହେବ ବୋଲି ଅମ୍ବାନୀ ଶୁଭକାମନା ଜଣାଇଥିଲେ।
Comments are closed.