ଦୋଷମୁଣ୍ଡିଆ

ଦୋଷମୁଣ୍ଡିଆ

ପରଂବ୍ରହ୍ମ ତ୍ରିପାଠୀ

ରଜା ବୁଢା ହଉଥିଲେ। ପାଚିଲା ତାଳ, କି ଭରସା? ପୁଅ, ମାନେ ଯୁବରାଜ, ଅକ୍ସଫୋର୍ଡ କି ଷ୍ଟାନଫୋର୍ଡରେ ପଢୁଥିଲେ। ପାଠ ସରି ସାରିଥିଲା, ଖାଲି ଯାହା ଦେଶ ବିଦେଶ ବୁଲା ଚାଲିଥିଲା। ରାଜା ଯୁବରାଜଙ୍କୁ ନିଜ ଇଚ୍ଛା ଜଣେଇଲେ। ଯୁବରାଜ ବି ରାଜି ହେଲେ। ହେଲେ କହିଲେ ମୁଁ ଡାଇରେକ୍ଟ ରାଜା ହେବିନି, ପ୍ରଥମେ କିଛିଦିନ ଇଣ୍ଟର୍ନସିପ କରିବି ଦରବାରରେ, ତାପରେ ଦାୟିତ୍ୱ ନେବି।

ଯୁବରାଜ ଆସିଲେ, ଦରବାର ଗଲେ। ସମସ୍ତଙ୍କ ସହ ମିଶିଲେ। ଦରବାରରେ କିଏ ଅମାତ୍ୟ, କିଏ କଟୁଆଳ, କିଏ ମନ୍ତ୍ରୀ, କିଏ ସେନାପତି, କିଏ କାରଣିକ, କିଏ ରାଜ ବୈଦ୍ୟ, କିଏ ଭାଟ, କିଏ ପୁରୋହିତ। କେବଳ ଗୋଟିଏ ଲୋକର କିଛି ନିର୍ଦ୍ଧାରିତ ଡେଜିଗନେସନ ବା ପଦବୀ ନଥିଲା। ସମସ୍ତଙ୍କର ଦରବାରକୁ ଆସିବା ଓ ଯିବାର ଗୋଟେ ନିର୍ଦ୍ଧାରିତ ସମୟ ଥିଲା, ହେଲେ ଏ ମହାଶୟଙ୍କ ପାଇଁ ସେମିତି କିଛି ନିୟମ ନାହିଁ। କିନ୍ତୁ ତା ଚୌକି ଥିଲା ରାଜାଙ୍କ ସିଂହାସନର ଡାହାଣ ପଟକୁ! ଆଉ ତା ଦରମା, ରାଜାନୁଗ୍ରହ, ମହାମନ୍ତ୍ରୀଙ୍କଠାରୁ ବି ତିନି ଗୁଣ ଅଧିକ ଥିଲା। ସବୁଠାରୁ ଅଧିକ ଆଶ୍ଚର୍ଯ୍ୟ ହେଲେ ଯୁବରାଜ ଯେତେବେଳେ ଜାଣିଲେ ଯେ ଅତୀତରେ ଅନ୍ତତଃ ଚାରିଥର ଦେଶଦ୍ରୋହ ଭଳି ସଙ୍ଗୀନ ଅପରାଧରେ ଉକ୍ତ ଭଦ୍ରବ୍ୟକ୍ତିଙ୍କୁ ଦେଶାନ୍ତର ଭଳି ଦଣ୍ଡ ମଧ୍ୟ ଦିଆଯାଇଛି, କିନ୍ତୁ ଦେଶାନ୍ତର ସମୟରେ ତାଙ୍କ ରହିବା, ଖାଇବା, ଭ୍ରମଣ ଏବଂ ପରିବାରର ସମସ୍ତ ଖର୍ଚ୍ଚ ରାଜକୋଷରୁ ଭରଣା ହେଇଛି।

ଅକ୍ସଫୋର୍ଡ ପଢୁଆ ଯୁବରାଜ ଟେନସନରେ। ଲୋକଟା କଣ ପାଇଁ ଏତେ ଦରମା ଓ ସମ୍ମାନ ନେବ ? ଯୁବରାଜ ପଚାରିଲେ ମହାମନ୍ତ୍ରୀଙ୍କୁ, ସେ ଲୋକଟି କି କାମ କରୁଛି ଯେ ବାପା ତାକୁ ଏତେ ସମ୍ମାନ ଆଉ ଏତେ ପଇସା ଦେଉଛନ୍ତି? ତାପରେ ପୁଣି ବିଭିନ୍ନ ଅପରାଧରେ ଦଣ୍ଡିତ ଲୋକଟାକୁ ଗୋପନୀୟ ଭାବେ ଏପରି ସୁବିଧା ସୁଯୋଗ ଯୋଗାଇ ଦିଆଯାଇଛି କଣ ପାଇଁ ?

ମହାମନ୍ତ୍ରୀ ହସିକି କହିଲେ, ତାର ଏକମାତ୍ର କାମ ଦୋଷ ମୁଣ୍ଡେଇବା। ରାଜ୍ୟରେ ମରୁଡି ପଡିଲେ ଦୋଷ ତାର, ବନ୍ୟାରେ ଲୋକ ଭାସିଗଲେ ଦୋଷ ତାର, ଏମିତିକି ସଂକ୍ରାନ୍ତି ଯଦି ଗୁରୁବାର ନପଡ଼ି ଶୁକ୍ରବାର ବି ପଡିଲା ଦୋଷ ତାର। ରାଜ୍ୟବାସୀଙ୍କୁ ମଶା କାମୁଡିବାଠାରୁ ଆରମ୍ଭ କରି ରାଜାଙ୍କର ଯେକୌଣସି ଯୋଜନା ଫଳବତୀ ନହେବା ପଛରେ ପ୍ରମୁଖ କାରଣ ଭାବେ ଏହି ଭଦ୍ରବ୍ୟକ୍ତିଙ୍କୁ ଦୋଷୀ କରାଯାଏ ଓ ସର୍ବସାଧାରଣରେ ଅପମାନିତ ଏବଂ ଦଣ୍ଡିତ ମଧ୍ୟ କରାଯାଏ। ଘଟଣାର କିଛି ଦିନ ପରେ ମହାଶୟ ନିସର୍ତ୍ତ କ୍ଷମା ମାଗନ୍ତି ଓ ମହାରାଜ ଉଦାର ହୃଦୟରେ ତାଙ୍କୁ ପୁଣି ଦରବାରକୁ ଫେରାଇ ଆଣନ୍ତି। ମହାରାଜଙ୍କ ସୁଶାସନ ବଜାୟ ରଖିବା, ମହାରାଜାଙ୍କ ଯଶ କୀର୍ତ୍ତି ଯୁଗ ଯୁଗ ପାଇଁ ଅମଳିନ ରଖିବାରେ ପାଇଁ ତାର ଆବଶ୍ୟକତା ଅପରିହାର୍ଯ୍ୟ। ହେଲେ, ଆପଣ ଯଦି କହିବେ ତାକୁ କାଢ଼ିଦେବା।

ଯୁବରାଜ ଦୁଇ ମିନିଟ ଚୁପ ରହି କହିଲେ, ନା ନା ମୁଁ ଏମିତି ହିଁ ପଚାରିଥିଲି, ତାଙ୍କୁ କୁହନ୍ତୁ ମୋ ସହ ଆସନ୍ତାକାଲି ସକାଳେ ଦେଖା କରିବାକୁ।

ସିଷ୍ଟମ ବା ବ୍ୟବସ୍ଥା ମୋଟାମୋଟି ଏମିତି ହିଁ କାମ କରେ। ଦୋଷ ମୁଣ୍ଡେଇବାବାଲା ନଥିଲେ ଇତିହାସର ଅନେକ ଲୋକପ୍ରିୟ ଶାସକ ଆଜି ନିଶ୍ଚିତ ଭାବେ ଜନତାର ଅଦାଲତରେ କାଠଗଡ଼ା ଭିତରେ ମଥାନତ କରି ଅପରାଧୀ ଭାବେ ଠିଆ ହୋଇଥାନ୍ତେ। ରାଜ୍ୟର ଯଶକୀର୍ତ୍ତିର ଶିରିପା ବନ୍ଧାହୁଏ ରାଜା ମୁଣ୍ଡରେ, ଆଉ ସବୁ ବିଫଳତାର କାରଣ ଭାବେ ତିଆରି କରାଯାଏ ଗୋଟେ ”ଦୋଷ ମୁଣ୍ଡିଆ”କୁ। ପ୍ରଜାଙ୍କୁ ବୁଝେଇ ଦିଅ ଯାଏ ଯେ ରାଜା ତ ଚାହୁଁଥିଲେ ସ୍ୱର୍ଗକୁ ନିଶୁଣି ବାନ୍ଧି ଅମୃତ ଆଣି ସବୁ ପ୍ରଜାଙ୍କ ତୁଣ୍ଡରେ ବୁନ୍ଦେବୁନ୍ଦେ ଦେବାକୁ। ନିଶୁଣି ବି ବନ୍ଧା ସରିଥିଲା। ହେଲେ କଣ ହେବ? ଶେଷ ମୁହୂର୍ତ୍ତରେ ବା ଏ ଅମଙ୍ଗଳିଆଟା ଛିଙ୍କିଦେଲା। ରାଜା ଭାରି ଦୁଃଖିତ। ରାଜ ପୁରୋହିତ ଗଣନା କରି କହିଛନ୍ତି ଯେ ସ୍ୱର୍ଗକୁ ନିଶୁଣିରେ ଯିବାର ମାହେନ୍ଦ୍ରବେଳା ପୁଣି ଆସିବ ବାର ବର୍ଷ ନଅ ମାସ ତେଇଶ ଦିନ ତିନି ଦଣ୍ଡ ଚାରି ଲିତା ପରେ। ରାଜା ସେତେବେଳେ ହିଁ ନିଶୁଣି ଚଢ଼ିବେ। ପ୍ରଜା ଅମୃତ ବୁନ୍ଦେର ଲାଳସାରେ ରାଜାଙ୍କର ଜୟ ଜୟ କରି ଆଶାରେ ବଞ୍ଚେ ସେତେଦିନ।

ଏଇଠି ଆପଣ ପଚାରି ପାରନ୍ତି ସେ ସମୟ ତ ପୁଣି ଆସିବ, ଯେବେ ଆସିବ ସେତେବେଳେ ରାଜା ବା ବ୍ୟବସ୍ଥା କଣ କରେ? ସ୍ୱର୍ଗକୁ ନିଶୁଣିରେ ଯାଇ ଅମୃତ ଆଣିବା ତ ଅସମ୍ଭବ! ସମୟ ଗଡ଼ିଗଲା ପରେ ରାଜା ବା ବ୍ୟବସ୍ଥା ଏପରି ପରିସ୍ଥିତିରେ କଣ କରେ? ଏହାର ଅନେକ ସମାଧାନ ରହିଛି। ଗୋଟିଏ ଦୁଇଟି ଲେଖୁଛି ।

ପ୍ରଥମତଃ, ପ୍ରଜାର ସ୍ମରଣ ଶକ୍ତି ଦୁର୍ବଳ ଓ ବାର ବର୍ଷ ନଅ ମାସ ତେଇଶ ଦିନ ତିନି ଦଣ୍ଡ ଚାରି ଲିତା ପରେ ଆଜିର କେତେ ଜଣ ବଂଚିଥିବେ ଓ ଯଦି ବଂଚିଥିବେ ତାହାଲେ ସେମାନେ ଅମୃତ ପାଇଁ ହଟଗୋଳ କରିବେ କି ନାହିଁ ତାହା ବିଚାରସାପେକ୍ଷ। ଦ୍ଵିତୀୟଟି ହେଲା ଯଦି ପ୍ରଜା ଦାବି କଲା, ହୁଏତ ଏମିତି ବି ହୋଇ ପାରେ ରାଜା ସ୍ଵର୍ଗାରୋହଣ ପାଇଁ ଏକ ଭବ୍ୟ ମହୋତ୍ସବର ଆୟୋଜନ କରିପାରନ୍ତି। ସମସ୍ତ ପ୍ରଜାଙ୍କ ପାଇଁ ରାଜ୍ୟ ରାଜସ୍ୱ ବିନିମୟରେ ନାଚ ଗୀତ, ଖାଦ୍ୟ ପେୟ ତିନି ଚାରିଦିନ ପାଇଁ ଚାଲି ପାରେ। ଆଉ ଠିକ ନିଶୁଣି ଚଢିଲା ବେଳକୁ ରାଜ୍ୟର ଯନ୍ତ୍ରୀ ମାନେ ଦେଖନ୍ତି ଯେ ନିଶୁଣିରେ ଫାଟ। ଚଢ଼ିହେବ ନାହିଁ। ଆଉ ଏଥିପାଇଁ ରାଜାଙ୍କ ଆଦେଶରେ ଗଠିତ ବିଶେଷଜ୍ଞ ଓ ତଥ୍ୟ ଯାଂଚକାରୀ ଦଳ, ”ଦୋଷମୁଣ୍ଡିଆ”କୁ ଅପରାଧୀ ବୋଲି ନିଜ ରିପୋର୍ଟରେ ଦର୍ଶାଇ ପାରନ୍ତି। ଯଦି ରିପୋର୍ଟ ପ୍ରସ୍ତୁତ କରିବାର ସମୟ ଦୀର୍ଘତା ଭିତରେ ପ୍ରଜା ଆନ୍ଦୋଳନ ଥମି ଯାଇଥାଏ, ତେବେ ଦୋଷମୁଣ୍ଡିଆ କୌଣସି ବାହାର ଦେଶରେ ନିଜ ଅବଶିଷ୍ଟ ଜୀବନ ଆରାମରେ କାଟି ଦେଇ ପାରେ। ହେଲେ ଯଦି ପ୍ରଜା ଆନ୍ଦୋଳନ ଥମି ନଥାଏ, ତାହାଲେ କଠୋର ଶାସ୍ତି ପ୍ରଦାନ ପୂର୍ବକ ” ଦୋଷମୁଣ୍ଡିଆ”କୁ ସର୍ବସାଧାରଣରେ ଫାଶୀ ଦେବାର ଆଦେଶ ମଧ୍ୟ ରାଜା ଦେଇ ପାରନ୍ତି।

ଆଉ ହଁ, ଦୋଷମୁଣ୍ଡିଆ ଫାଶୀ ପାଇଲେ ବି ଜୟ ଜୟକାର ହୁଏ ରାଜାଙ୍କର। ବ୍ୟବସ୍ଥା ମାନେ ସେଇଆ, ଆପଣ ସେଇଟା ହିଁ ଦେଖନ୍ତି ଯାହା ଆପଣଙ୍କୁ ଦେଖାଇ ଦିଆଯାଏ।