Latest Odisha News

BREAKING NEWS

ସମ୍ବଲପୁରରେ ଡବଲ ମର୍ଡର: ଗିରିପାଲି ଗାଁରେ ମା’ ଓ ଝିଅଙ୍କୁ ଅତି ନିର୍ମମ ଭାବେ ହତ୍ୟା

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଶାସନ ଥାନା ଅଞ୍ଚଳରେ ଏକ ସଂଘାତିକ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି। ଜଣେ ଦୁର୍ବୃତ୍ତ ଘରେ ପଶି ମାଆ ଏବଂ ଝିଅଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛି। କୁକୁଡ଼ାପାଲି ପଞ୍ଚାୟତର ଗିରିପାଲି ଗାଁରେ ଘଟିଥିବା ଏହି ଦୋହରା ହତ୍ୟାକାଣ୍ଡ (ଡବଲ ମର୍ଡର) ସାରା ଅଞ୍ଚଳରେ ଗଭୀର ଚାଞ୍ଚଲ୍ୟ ଖେଳାଇ ଦେଇଛି। ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଏହି ମାମଲାରେ ଜଣେ ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚରା କରୁଛି।

 

ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମୃତକ ଦ୍ୱୟ ହେଲେ ଗିରିପାଲି ଗାଁର ୬୦ ବର୍ଷୀୟା ଉର୍ମିଳା ପାତ୍ର ଏବଂ ତାଙ୍କ ୩୫ ବର୍ଷୀୟା ଝିଅ ଲିଲିମା କୁଦେର। ଗତକାଲି ବିଳମ୍ବିତ ରାତିରେ କୌଣସି କାରଣକୁ ନେଇ ଦୁର୍ବୃତ୍ତ ଜଣକ ଉଭୟଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଥିବା ଜଣାପଡ଼ିଛି। ଆଜି ସକାଳେ ସ୍ଥାନୀୟ ଲୋକେ ଏ ସମ୍ପର୍କରେ ଜାଣିବାକୁ ପାଇ ପୋଲିସକୁ ଖବର ଦେଇଥିଲେ। ଗୋଟିଏ କୋଠରୀ ଭିତରୁ ମାଆ ଓ ଝିଅଙ୍କ ରକ୍ତରଞ୍ଜିତ ଶବ ଉଦ୍ଧାର କରାଯାଇଛି।

 

ଶାସନ ଥାନା ପୋଲିସ ସାଇଣ୍ଟିଫିକ୍ ଟିମ୍ ଏବଂ ସ୍ନିଫର୍ ଡଗ୍ ସହ ଗିରିପାଲି ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମାଆ-ଝିଅଙ୍କୁ କେଉଁ ପରିସ୍ଥିତିରେ ଏବଂ କେଉଁ ଉଦ୍ଦେଶ୍ୟରେ ଏଭଳି ନିଷ୍ଠୁର ଭାବେ ହତ୍ୟା କରାଗଲା, ତାହାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ପୂର୍ବ ଶତ୍ରୁତା କିମ୍ବା ପାରିବାରିକ କଳହ ଯୋଗୁଁ ଏହି ଅଘଟଣ ଘଟିଥାଇପାରେ ବୋଲି ସନ୍ଦେହ କରାଯାଉଛି। ପୋଲିସ ଗାଁର ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ଜେରା କରୁଥିବା ବେଳେ ଖୁବଶୀଘ୍ର ହତ୍ୟାକାରୀ ସାମ୍ନାକୁ ଆସିବ ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି।

Leave A Reply

Your email address will not be published.