Latest Odisha News

BREAKING NEWS

ବାଲିଅନ୍ତା ସୌମ୍ୟରଞ୍ଜନ ହତ୍ୟା ମାମଲା: ତଦନ୍ତ ପରିସରକୁ ଆସିଲେ ସୌମ୍ୟଙ୍କ ବାନ୍ଧବୀ, କ୍ରାଇମବ୍ରାଞ୍ଚ ହାତରେ ଆଉ ଏକ ଡାଏରୀ

ବାଲିଅନ୍ତା ସୌମ୍ୟରଞ୍ଜନ ହତ୍ୟା ମାମଲା: ତଦନ୍ତ ପରିସରକୁ ଆସିଲେ ସୌମ୍ୟଙ୍କ ବାନ୍ଧବୀ, କ୍ରାଇମବ୍ରାଞ୍ଚ ହାତରେ ଆଉ ଏକ ଡାଏରୀ

ଭୁବନେଶ୍ୱର: ବାଲିଅନ୍ତା ଅଞ୍ଚଳର ଚର୍ଚ୍ଚିତ ସୌମ୍ୟରଞ୍ଜନ ହତ୍ୟାକାଣ୍ଡ ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ଜୋରଦାର ହୋଇଛି। ଏହି ମାମଲାରେ ଏବେ ଏକ ନୂଆ ମୋଡ଼ ଆସିଥିବା ବେଳେ ଏନଏଚଆରସିରେ ପଚରାଉଚରା କରାଯାଇଥିବା ସୌମ୍ୟଙ୍କ ସେହି ରହସ୍ୟମୟୀ ଯୁବତୀ ବାନ୍ଧବୀଙ୍କୁ ନେଇ ସୌମ୍ୟଙ୍କ ମାମୁଁ ଏକ ବଡ଼ ଖୁଲାସା କରିଛନ୍ତି।

 

ଅନ୍ୟପଟେ କ୍ରାଇମବ୍ରାଞ୍ଚ ଟିମ୍ ସୌମ୍ୟଙ୍କ ବାପା-ମାଆଙ୍କୁ ପଚରାଉଚରା କରିବା ସହ ଘରୁ ଆଉ ଏକ ଡାଏରୀ ଜବତ କରିଛି, ଯାହା ଆଗକୁ ତଦନ୍ତର ଦିଗ ବଦଳାଇ ପାରେ ବୋଲି ଅନୁମାନ କରାଯାଉଛି।

 

ଏହି ସଂଘାତିକ ଘଟଣା ଉପରୁ ପରଦା ହଟାଇ ସୌମ୍ୟଙ୍କ ମାମୁଁ ଗଣମାଧ୍ୟମ ଆଗରେ କହିଛନ୍ତି ଯେ, ଏନଏଚଆରସିରେ ଜେରା ହୋଇଥିବା ସେହି ଯୁବତୀଙ୍କ ସହ ସୌମ୍ୟଙ୍କର ବାହାଘର ପ୍ରାୟ ଠିକ୍ ହୋଇସାରିଥିଲା। ଏହି ବିବାହ ପାଇଁ ଦୁଇ ପରିବାର ମଧ୍ୟରେ ସମ୍ପୂର୍ଣ୍ଣ ସହମତି ଥିଲା ଏବଂ ଖୁବଶୀଘ୍ର ଉଭୟେ ବିବାହ ବନ୍ଧନରେ ବାନ୍ଧି ହୋଇଥାନ୍ତେ। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମୁଖ୍ୟ ଅଭିଯୁକ୍ତ ଓମ୍ ଏବଂ ସୌମ୍ୟଙ୍କ ମଧ୍ୟରେ ଲାଗି ରହିଥିବା ସମସ୍ତ ବିବାଦ ସମ୍ପର୍କରେ ସୌମ୍ୟ ନିଜର ଏହି ଭାବି ପତ୍ନୀ ତଥା ବାନ୍ଧବୀଙ୍କୁ ସବୁ କଥା ଜଣାଇଥିଲେ।

 

ହତ୍ୟାକାଣ୍ଡର ରହସ୍ୟ ଭେଦିବା ପାଇଁ କ୍ରାଇମବ୍ରାଞ୍ଚ ଟିମ୍ ସୌମ୍ୟଙ୍କ ଘରେ ପହଞ୍ଚି ତାଙ୍କ ବାପା ଓ ମାଆଙ୍କୁ ଦୀର୍ଘ ସମୟ ଧରି ପଚରାଉଚରା କରିଛି। ପରିବାର ଲୋକଙ୍କ ବୟାନ ରେକର୍ଡ କରିବା ସହ ସୌମ୍ୟଙ୍କ କୋଠରୀରୁ ତଦନ୍ତକାରୀ ଦଳ ଆଉ ଏକ ବ୍ୟକ୍ତିଗତ ଡାଏରୀ ଜବତ କରିଛନ୍ତି। ସୌମ୍ୟ ନିଜ ମୃତ୍ୟୁ ପୂର୍ବରୁ ଏହି ଡାଏରୀରେ କେଉଁ କେଉଁ କଥା ଉଲ୍ଲେଖ କରିଛନ୍ତି ଏବଂ ଏଥିରେ ଓମ୍‌ ବିରୋଧରେ କିଛି ତଥ୍ୟ ଅଛି କି ନାହିଁ, ସେ ସମସ୍ତ ଦିଗର ଏବେ ଗଭୀର ଅନୁସନ୍ଧାନ କରାଯାଉଛି।

 

ଏହି ଘଟଣାର ସୂତ୍ର ଖୋଜିବା ପାଇଁ କ୍ରାଇମବ୍ରାଞ୍ଚ ଏବେ ଜିମ୍ ସଂପୃକ୍ତି ଉପରେ ଫୋକସ୍ କରିଛି। ଅଡଶପୁର ଅଞ୍ଚଳରେ ଥିବା ଜିମ୍‌ରୁ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଡାଟା ଓ ତଥ୍ୟକୁ ସଂଗ୍ରହ କରାଯାଇ ତାର ଯାଞ୍ଚ ଚାଲିଛି। ଏହା ସହିତ ସତ୍ୟବିହାର ସ୍ଥିତ ଜିମ୍ ରୁ ମଧ୍ୟ କିଛି ଆଧାର ମିଳିଲେ ସେଠାରେ ମଧ୍ୟ କ୍ରାଇମବ୍ରାଞ୍ଚ ଟିମ୍ ଚଢ଼ାଉ କରି ତଦନ୍ତ କରିବ ବୋଲି ସୂଚନା ମିଳିଛି।

 

“ପରିବାର ପକ୍ଷରୁ ଯେଉଁ ସବୁ ଅଭିଯୋଗ ଅଣାଯାଇଛି, ଆମେ ସେହି ସମସ୍ତ ଦିଗକୁ ଆଧାର କରି ତଦନ୍ତ କରୁଛୁ। ଘରୁ ମିଳିଥିବା ନୂଆ ଡାଏରୀର ଯାଞ୍ଚ କରାଯାଉଛି। ଓମ୍ ବିରୁଦ୍ଧରେ ଯଦି କୌଣସି ବି ଠୋସ୍ ପ୍ରମାଣ ହସ୍ତଗତ ହୁଏ, ତେବେ ତାଙ୍କ ବିରୋଧରେ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।” ବୋଲି କ୍ରାଇମବ୍ରାଞ୍ଚ ଡିଏସପି ନରେନ୍ଦ୍ର ବେହେରା କହିଛନ୍ତି ।

Leave A Reply

Your email address will not be published.