ନିତ୍ୟା ମରିୟମ ଜନ, କେରଳରେ ରହୁଥିବା ନୂଆ ପ୍ରଜନ୍ମର ଅତ୍ୟନ୍ତ ଶକ୍ତିଶାଳୀ କବି। ତାଙ୍କ ଇଂରାଜୀ କବିତାର ନୂଆ ସଂକଳନ ‘RUMINATIONS & REFLECTIONS’ ଏବେ ଚର୍ଚ୍ଚାରେ। ମହାନଦୀ ବୁକ୍ସ, ଭୁବନେଶ୍ୱର ଦ୍ଵାରା ପ୍ରକାଶିତ ଏ ବହିରେ ରହିଛି କେତୋଟି ଚମକପ୍ରଦ କବିତା। ନିତ୍ୟାଙ୍କ ପାଞ୍ଚୋଟି କବିତାର ମର୍ମାନୁବାଦ କରିଛନ୍ତି ପ୍ରଭାବଶାଳୀ ଓଡିଆ କବି ଶକ୍ତି ମହାନ୍ତି
- ସ୍ତ୍ରୀଲୋକର ଲେଖା ●
ଏଥିରେ ଆଶ୍ଚର୍ଯ୍ୟ ହେବାର କଣ ଅଛି
ଯଦି ଦେଖିଲ
ସ୍ତ୍ରୀଲୋକ ଟିସୁ ପେପରରେ ଗାରଉଛି,
ଅବା ଖବର କାଗଜ ମାର୍ଜିନ୍ ରେ,
କି ବସ୍ ଟିକେଟ୍ ପଛରେ,
ପ୍ୟାଣ୍ଟି ,
ବ୍ରା ,
ଏମିତିକି ପୋଛକନାକୁ ଚାପି ଧରୁଛି ।
ଏଇ ତ’ ସେ ସବୁ ଜାଗା
ଯେଉଁଠି ସ୍ୟାହି
ସେମାନଙ୍କ ଦେହର ମିଜାଜକୁ
ଥଣ୍ଡା କରି ବରଫ କରିଦିଏନା । ■
- ପରଫେକ୍ଟ୍ ସେକ୍ସ୍ ●
ଏହାର କି ବା ଅର୍ଥ ଥାଏ
କିଏ କାହା ଉପରେ ଶୋଇଲା,
ଅବା କିଏ ତଳେ,
କିଏ ଦୀର୍ଘଶ୍ବାସ ଫିଙ୍ଗିଲା
ଅବା କାହାର ସିତ୍କାର ଶୁଭିଲା ।
ଯୌନତୃପ୍ତିର ଶିଖରକୁ କିଏ
ଘୋଡା ଚଢି ଚାଲିଗଲା,
କିଏ କଇଁଛ ପରି, ଅବା
ଆଗପଛରେ କିଏ କାହାକୁ ଭିଡି ଧରିଲା ।
ଏହାର କି ବା ଅର୍ଥ ଥାଏ
ଅଙ୍ଗ ସବୁ ଛୁଆଁ ପାଇଲେ କି ନା
ଆଉଁସା ହେଲେ କି ନା, ଅବା
ଏସବୁ ରାତିରେ ହେଲା ନା ଖରାବେଳେ ।
ଯାହାର ହୃଦୟ ଭାଙ୍ଗିଛି
ତା ପାଇଁ ତ ବଡ କଥା,
ନିଜ ନାଁ ତମେ ଫିସ୍ ଫିସ୍ ଶୁଣିଛ
କେତେ ଥର, ବାରମ୍ବାର, ଢେଉ ପରି,
ଲୋଟି ପଡିବା ଯାଏଁ ତା ବାହୁରେ,
ଯିଏ ତମକୁ ଆବୋରି ଧରିବ
ତମ ସ୍ୱପ୍ନର ଚିକ୍ ଚିକ୍ ରେ । ■
- ମୁଖା ●
ଚିତ୍ର କରୁଥାଅ ।
ରଙ୍ଗ ଦଉଥାଅ ।
ଯାହା ହେଲେ ବି
ତମେ ମୁଖା ପିନ୍ଧିଛ,
ଯେ ଯାଏଁ ଏ ପୃଥିବୀ
ତମକୁ ପଚିବାକୁ ଦେଇନି
ତମର ଆଦିମତା ପର୍ଯ୍ୟନ୍ତ,
ମୌଳିକତା ପର୍ଯ୍ୟନ୍ତ,
ତମର ମୂଳାଧାର ପର୍ଯ୍ୟନ୍ତ ।
ତମ ସାଂସ୍କୃତିକ ଚେହେରାରେ
ଏ ଚିତ୍ରିତ ଛଦ୍ମବେଶ
ନିହାତି ଉଜ୍ଜ୍ୱଳ ଦିଶୁଥିବ । ■
- ନାଁ ●
ମତେ ବଗିଚା କୁହନା,
ବଗିଚା ତ ସଫା ସୁତୁରା , ପରିଚ୍ଛନ୍ନ,
ଯତ୍ନରେ ବଢୁଥାଏ,
କଟା ହେଉଥାଏ ।
ମୁଁ ତ ଅରଣ୍ୟ –
ବନ୍ୟ, କ୍ରୋଧୀ, ଅନିଶ୍ଚିତ ।
ଫୁଲ, ଲଟା, ବଣୁଆ ଘାସ ଓ ଅନାବନା,
ଅଯତ୍ନରେ ବଢୁଥାନ୍ତି ସବୁ କିଛି ।
କେବେ ବର୍ଷା ହୁଏ ।
ପକ୍ଷୀମାନେ ଡେଣା ଝାଡ଼ି ଉଡି ଆସନ୍ତି,
ପତ୍ର ଗହଳିରେ ଛପି ଯାଆନ୍ତି ।
ଯେବେ ନିଆଁ ଧରେ, ବ୍ୟାପିଯାଏ,
ମୁଁ ମୋର ବାଳ ମୁକୁଳା କରେ,
ଆଉ ଗର୍ଜନ କରେ ।
ଏଇ ତ’ ମୋର ସୁଖ । ■
- ବହିଥାକ ●
ମୋର ମୃତ୍ୟୁରେ
ବହି ମାନଙ୍କ ସହ
ମତେ ସମାଧୀ ଦବ
ସେମାନଙ୍କୁ ଥାକ ଥାକ ଖଞ୍ଜିବ…
…ଯେମିତିକି
ସବୁ ସରିଗଲା ପରେ
କୀଟ ହୋଇ ମୁଁ ପୁଣି ଉଠିବି
ତୁମ ସ୍ୱପ୍ନ ମାନଙ୍କୁ ଖାଇବା ପାଇଁ ।
Comments are closed.