Latest Odisha News

BREAKING NEWS

ବ୍ରହ୍ମପୁରରେ ଗରିବଙ୍କୁ ମିଳୁଛି ‘ବସ୍ତ୍ର ଉପହାର’; ୮ ମାସରେ ୩୦ ହଜାର ପୋଷାକ

ବ୍ରହ୍ମପୁର: ମଣିଷର ସର୍ବନିମ୍ନ ଆବଶ୍ୟକତା ଭିତରେ ରହିଛି ଖାଦ୍ୟ, ବସ୍ତ୍ର ଏବଂ ବାସଗୃହ । ପୂର୍ବରୁ ବିଭିନ୍ନ ସରକାରୀ ଯୋଜନାରେ ଖାଦ୍ୟ ଏବଂ ବାସଗୃହ ମିଳୁଥିଲା । କିନ୍ତୁ ବର୍ତ୍ତମାନ ବ୍ରହ୍ମପୁର ମହାନଗର ନିଗମ ତରଫରୁ ବସ୍ତ୍ର ମଧ୍ୟ ଯୋଗାଇ ଦିଆଯିବ । ଅସହାୟ ଏବଂ ଆବଶ୍ୟକକାରୀଙ୍କୁ ବସ୍ତ୍ର ଯୋଗାଇ ଦେବା ପାଇଁ ମହାନଗର ପକ୍ଷରୁ ଆରମ୍ଭ ହୋଇଛି ‘ବସ୍ତ୍ର ଉପହାର’।

ପୁରୁଣା ଏବଂ ବଳକା ପୋଷାକକୁ ଏହି କେନ୍ଦ୍ରରେ ସହରବାସୀ ଦାନ କରୁଛନ୍ତି । ସେଗୁଡ଼ିକ ସଫା ସୁତରା କରାଯାଇ ଲୋକମାନଙ୍କୁ ବଣ୍ଟନ କରାଯାଉଛି । ମହାନଗର ନିଗମର ଏଭଳି ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଉଛି । ଗତ ୮ ମାସରେ ପ୍ରାୟ ୩୦ ହଜାରରୁ ଅଧିକ ପୋଷାକକୁ ଗରିବ ଏବଂ ଆର୍ଥୀକ ଦୁର୍ବଳ ଶ୍ରେଣୀର ବ୍ୟକ୍ତିଙ୍କୁ ପ୍ରଦାନ କରାଗଲାଣି ।

ବ୍ରହ୍ମପୁର ମହାନଗର ନିଗମ (ବିଏମସି) ପକ୍ଷରୁ ଅସହାୟ ଓ ଆବଶ୍ୟକକାରୀଙ୍କୁ ବସ୍ତ୍ର ଯୋଗାଇବା ଉଦ୍ଦେଶ୍ୟରେ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ପଛ ପାର୍ଶ୍ବରେ ‘ବସ୍ତ୍ର ଉପହାର’ କେନ୍ଦ୍ର ରହିଛି । କେନ୍ଦ୍ର ନିର୍ମାଣ ପାଇଁ ମହାନଗର ନିଗମ ପକ୍ଷରୁ ୧୨ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି । କେନ୍ଦ୍ରରେ ରହିଛି ୪ଟି କୋଠାରୀ। ସେଗୁଡ଼ିକ ହେଲା କାର୍ଯ୍ୟାଳୟ, ପ୍ରଦର୍ଶନ, ସିଲେଇ ଏବଂ ସଫେଇ କକ୍ଷ। ପୁରୁଣା ଏବଂ ବ୍ୟବହାରରେ ଲାଗୁନଥିବା ପୋଷାକକୁ ସାଧାରଣତଃ ଲୋକମାନେ ଫିଙ୍ଗି ଦେଇଥାନ୍ତି । କିନ୍ତୁ ବାହାରେ ଫିଙ୍ଗିବା ବଦଳରେ ଏହି କେନ୍ଦ୍ରରେ ଦାନ କରିବାକୁ ବିଏମ୍‌ସି ତରଫରୁ ଆହ୍ବାନ ଦିଆଯାଇଥିଲା ।

ସେଗୁଡ଼ିକର ପୁନଃ ବ୍ୟବହାର ପାଇଁ ବସ୍ତ୍ର ଉପହାର ଜରିଆରେ ଯୋଜନା କରିଛି ମହାନଗର ନିଗମ । ସହରବାସୀ ଏଠାରେ ସେମାନଙ୍କ ପୁରୁଣା ଲୁଗାକୁ ଦେଉଛନ୍ତି । କେନ୍ଦ୍ରରେ ସେଗୁଡ଼ିକୁ ସଫା କରାଯାଉଛି । ଚିରି ଯାଇଥିଲେ ସିଲେଇ ହେଉଛି । ଯେଉଁମାନେ ଆବଶ୍ୟକ କରୁଛନ୍ତି, ସେମାନଙ୍କୁ ଏହି ପୁରୁଣା ଲୁଗା ଯୋଗାଇ ଦିଆଯାଉଛି । ମହାନଗର ନିଗମ ପକ୍ଷରୁ ଏହି କେନ୍ଦ୍ରର ଦାୟିତ୍ବ ତ୍ରିଶକ୍ତି ସ୍ବୟଂ ସହାୟକ ଗୋଷ୍ଠୀକୁ ପ୍ରଦାନ କରାଯାଇଛି ।

 

ସଭାନେତ୍ରୀ ସଂଯୁକ୍ତା ପଣ୍ଡାଙ୍କ କହିବାନୁଯାୟୀ, କେନ୍ଦ୍ର ପରିଚାଳନାରେ ୪ଜଣଙ୍କୁ ନିୟୋଜିତ କରାଯାଇଛି । ଏହି ମହିଳାମାନେ ପୁରୁଣା ଲୁଗାକୁ ଗ୍ରହଣ କରିବା ଠାରୁ ଆରମ୍ଭ କରି ସିଲେଇ, ସଫେଇ ଏବଂ ସାଇତା କାମ କରୁଛନ୍ତି। ସକାଳ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କେନ୍ଦ୍ର ଖୋଲା ରହୁଛି । ଯେଉଁମାନେ ଚାହିଁବେ, ଏହି ସମୟରେ ଆସି ସେମାନଙ୍କ ପୁରୁଣା ଲୁଗା ଦାନ କରିପାରିବେ।

ସେହିଭଳି ଯେଉଁମାନେ ଗ୍ରହଣ କରିବାକୁ ଚାହିଁବେ, ସେମାନେ ମଧ୍ୟ ଏଠାକୁ ଆସି ନେଇପାରିବେ । ପୁରୁଣା ଲୁଗାକୁ ନୂଆଁ ରୂପ ଦେବା ସହ ପୁନଃ ବ୍ୟବହାର ଯୋଗ୍ୟ କରାଯାଇପାରୁଛି ବୋଲି ସଭାନେତ୍ରୀ ପଣ୍ଡା ପ୍ରକାଶ କରିଛନ୍ତି। ଅପରପକ୍ଷେ ଆଗାମୀ ଦିନରେ ମହାନଗର ନିଗମ ପକ୍ଷରୁ ସହରର କେତେକ ସ୍ଥାନରେ ପୁରୁଣା ଲୁଗା ସଂଗ୍ରହ ଏବଂ ବଣ୍ଟନ କେନ୍ଦ୍ର ଖୋଲିବାକୁ ଯୋଜନା ରହିଥିବା ସୂଚନା ମିଳିଛି।

ମିଳିଥିବା ତଥ୍ୟ ମୁତାବକ, ଏଯାବତ ଏହି କେନ୍ଦ୍ରକୁ ପ୍ରାୟ ଏକଲକ୍ଷରୁ ଅଧିକ ପୋଷାକକୁ ଲୋକମାନେ ଦାନ କରିଲେଣି । ସେଥି ଭିତରୁ ସଫାସୁତରା ପରେ ପ୍ରାୟ ୩୦ହଜାରରୁ ଅଧିକ ପୋଷାକକୁ ସହରର ବସ୍ତି ଅଞ୍ଚଳରେ ବଣ୍ଟନ କରାଯାଇଛି । ଏହା ଛଡା କେନ୍ଦ୍ରରେ ବର୍ତ୍ତମାନ ୭୦ହଜାରରୁ ଅଧିକ ପୋଷାକ ସଂରକ୍ଷିତ ରହିଛି ।

ପ୍ରତିଦିନ ଆବଶ୍ୟକ ମଣୁଥିବା ଲୋକ କେନ୍ଦ୍ରକୁ ଆସି ବସ୍ତ୍ର ଗ୍ରହଣ କରୁଥିବା ବେଳେ ଦିନେ ଦୁଇଦିନକୁ ଥରେ ମହାନଗର ନିଗମ ପକ୍ଷରୁ ସହରର ବିଭିନ୍ନ ଗଳି, କନ୍ଦି, ରାଜୀବ ଆବସ ଯୋଜନା ଓ ଅନାଥଶ୍ରମ ଗୁଡିକରେ କ୍ୟାମ୍ପ ଜରିଆରେ ସଂରକ୍ଷିତ ଥିବା ପୋଷାକକୁ ବଣ୍ଟନ କରାଯିବ ବୋଲି କେନ୍ଦ୍ର ଦାୟିତ୍ବରେ ଥିବା ପରିଚାଳକ ଏନ.ଅରୁଣ କୁମାର ସୂଚନା ଦେଇଛନ୍ତି।

ସହରରେ ରହିଥିବା ଅସହାୟ ଓ ଅତ୍ୟାବଶ୍ୟକୀୟ ଲୋକଙ୍କୁ ବସ୍ତ୍ର ଯୋଗାଇବାରେ କୌଣସି ଦ୍ୱିଧା ନାହିଁ । ଏପରିକି କେନ୍ଦ୍ରକୁ ବହୁଳ ପରିମାଣରେ ପୁରୁଣା ବସ୍ତ୍ର ଆସୁଛି । ଏହାକୁ ପୁନଃ ବ୍ୟବହାର ନିମନ୍ତେ ବିହିତ ପଦକ୍ଷେପ ଗ୍ରହଣ କରାଯାଉଥିବାସ ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ କୁହାଯାଇଛି।ତେବେ ଉକ୍ତ କେନ୍ଦ୍ର ଖୋଲିବାର ୮ମାସ ମଧ୍ୟରେ ଏତେସଂଖ୍ୟକ ବସ୍ତ୍ର ମିଳିବା ଓ ବଣ୍ଟନ କରିବା ନିଶ୍ଚିତଭାବେ ନିଗମ ପାଇଁ ବଡ ସଫଳତା ବୋଲି ସାଧାରଣରେ ଆଲୋଚନା ହେଉଛି।

Leave A Reply

Your email address will not be published.