Latest Odisha News

BREAKING NEWS

ଡାଲମିଆ ସିମେଣ୍ଟ ଦ୍ବାରା ରାଜଗାଙ୍ଗପୁର ଘରୋଇ ବସଷ୍ଟାଣ୍ଡରେ ପାନୀୟ ଜଳ ପ୍ରକଳ୍ପ ଉଦଘାଟିତ

ରାଜଗାଙ୍ଗପୁର : ବସଷ୍ଟାଣ୍ଡରେ ଲୋକଙ୍କୁ ସ୍ବଚ୍ଛ ପାନୀୟ ଜଳ ଯୋଗାଇ ଦେବା ପାଇଁ ପ୍ରୟାସ ଆରମ୍ଭ କରିଛି ଡାଲମିଆ ସିମେଣ୍ଟ ଲିମିଟେଡ଼ । ରାଜଗାଙ୍ଗପୁର ଘରୋଇ ବସଷ୍ଟାଣ୍ଡରେ ସ୍ବଚ୍ଛ ପାନୀୟ ଜଳ ଯୋଗାଣ ପାଇଁ ଏକ ପ୍ରକଳ୍ପ ଆରମ୍ଭ କରିଛି ଡାଲମିଆଁ ସିମେଣ୍ଟ । କମ୍ପାନୀର ଜାତୀୟ ଉତ୍ପାଦନ ମୁଖ୍ୟ ଗଣେଶ ଡବ୍ଲୁ ଜିରକୁଣ୍ଠୱାର, ନବ ନିଯୁକ୍ତ ରାଜଗାଙ୍ଗପୁର କାରଖାନା ମୁଖ୍ୟ ଚେତନ ଶ୍ରୀବାସ୍ତବ ଓ ଘରୋଇ ବସ ମାଲିକ ସଂଘ ସଭାପତି ସୋହେବ ଆଲାମଙ୍କ ଉପସ୍ଥିତିରେ ଏହି ପ୍ରକଳ୍ପକୁ ଉଦଘାଟନ କରାଯାଇଛି । ଏହି ପ୍ରକଳ୍ପ ଦ୍ବାରା ବସ ଷ୍ଟାଣ୍ଡକୁ ଆସୁଥିବା ଡ୍ରାଇଭର୍, କଣ୍ଡକ୍ଟର, ଖଲାସି, ଉଠା ଦୋକାନୀ ଏବଂ ଯାତ୍ରୀମାନଙ୍କୁ ସ୍ବଚ୍ଛ ଓ ଥଣ୍ଡା ପାନୀୟ ଜଳ ଯୋଗାଇ ଦିଆଯିବ । ପ୍ରତିଦିନ ବସଷ୍ଟାଣ୍ଡକୁ ଆସୁଥିବା ବିଭିନ୍ନ ଅଞ୍ଚଳର ଯାତ୍ରୀମାନଙ୍କୁ ସ୍ବଚ୍ଛ ପାନୀୟ ଜଳ ଯୋଗାଇ ଦେବା ପାଇଁ ରାଜଗାଙ୍ଗପୁର ଘରୋଇ ବସ ମାଲିକ ସଂଘ ଡାଲମିଆ ସିମେଣ୍ଟ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲା ।

ସହରବାସୀଙ୍କୁ ସମ୍ବୋଧନ କରି ଜିରକୁଣ୍ଠୱାର କହିଥିଲେ ଯେ, ଜଳ କ୍ରମଶଃ ଏକ ଅମୂଲ୍ୟ ସମ୍ପଦରେ ପରିଣତ ହେବାରେ ଲାଗିଛି । ଦେଶର ଅନେକ ଅଞ୍ଚଳରେ ଲୋକ ଜଳାଭାବରୁ ହଇରାଣ ହେଉଛନ୍ତି । ତେଣୁ ଜଳର ଅପବ୍ୟୟ ବନ୍ଦ କରିବା ସହିତ ବର୍ଷା ଜଳ ସଂରକ୍ଷଣ ଭଳି ବିଭିନ୍ନ ପ୍ରକଳ୍ପ ଉପରେ କାମ କରିବାର ଆବଶ୍ୟକତା ରହିଛି । ସେହିପରି ଜଳ ପ୍ରଦୂଷଣ ବର୍ତ୍ତମାନ ସମୟରେ ଏକ ବଡ଼ ସମସ୍ୟାରେ ପରିଣତ ହେଉଥିବା ବେଳେ ସ୍ବଚ୍ଛ ପାନୀୟ ଜଳର ବ୍ୟବସ୍ଥା ସହରବାସୀଙ୍କ ସ୍ବାସ୍ଥ୍ୟ ରକ୍ଷାରେ ବେଶ ଉପକାରୀ ହେବ ବୋଲି କହିଛନ୍ତି ରାଜଗାଙ୍ଗପୁର କାରଖାନା ମୁଖ୍ୟ ଚେତନ ଶ୍ରୀବାସ୍ତବ ।

ଉଦଘାଟନୀ କାର୍ଯ୍ୟକ୍ରମରେ କମ୍ପାନୀର ମାନବ ସମ୍ବଳ ବିଭାଗର ମୁଖ୍ୟ ବଳରାମ ପଣ୍ଡା, ସୁଧୀର ମହାନ୍ତି, ସିଏସଆର ବିଭାଗର ବରିଷ୍ଠ ପ୍ରବନ୍ଧକ ତପନ କୁମାର ନାୟକ, ଶିବନାରାୟଣ ପରିଜା, ସୁରକ୍ଷା ବିଭାଗ ମୁଖ୍ୟ ସୁବ୍ରତ ପଟ୍ଟନାୟକ, ଜନ ସମ୍ପର୍କ ବିଭାଗର ଅମରେଶ ପଣ୍ଡା, ଘରୋଇ ବସ ମାଲିକ ସଂଘ ସଚିବ ଯୋଗେନ୍ଦ୍ର ସିଂ, ରାଜେନ୍ଦ୍ର ଲେଙ୍କା ଏବଂ ସଂଘର ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ । ଏହି ପାନୀୟ ଜଳ ପ୍ରକଳ୍ପ ପାଇଁ ଡାଲମିଆ ସିମେଣ୍ଟକୁ କୃତଜ୍ଞତା ଜଣାଇଛି ବସ ମାଲିକ ସଂଘ ।

Leave A Reply

Your email address will not be published.