Latest Odisha News

BREAKING NEWS

ପ୍ରାର୍ଥୀପତ୍ର ଦାଖଲ କଲେ ଦ୍ରୌପଦୀ, କାହା ସପକ୍ଷରେ ଯିବ ନିର୍ବାଚନ, କ’ଣ କହୁଛି ଗଣିତ?

ନୂଆଦିଲ୍ଲୀ: ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଦ୍ରୌପଦୀ ମୁର୍ମୁ ଆଜି ନାମାଙ୍କନ ଦାଖଲ କରିଛନ୍ତି । ନାମାଙ୍କନ ପତ୍ର ଦାଖଲ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ଓଡ଼ିଶାର ମଯୂରଭଞ୍ଜ ଭଳି ଏକ ଆଦିବାସୀ ବହୁଳ ଜିଲ୍ଲାରୁ ଆସିଥିବା ଏହି ଆଦିବାସୀ ନେତ୍ରୀଙ୍କ ବିରୋଧରେ ପ୍ରାର୍ଥୀ ହୋଇଛନ୍ତି ଯଶବନ୍ତ ସିହ୍ନା । ଯିଏକି ନିକଟରେ ଟିଏମସିରୁ ଇସ୍ତଫା ଦେବା ପରେ ବିରୋଧୀ ତାଙ୍କୁ ମିଳିତ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରିଛି। ସେ ମଧ୍ୟ ଖୁବଶୀଘ୍ର ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ଜଣାପଡ଼ିଛି।

ଝାଡଖଣ୍ଡର ଏହି ପୂର୍ବତନ ରାଜ୍ୟପାଳଙ୍କ ସମର୍ଥନରେ ଏବେ ବିଜୁ ଜନତା ଦଳ ଏବଂ ଆନ୍ଧ୍ରପ୍ରଦେଶର ଶାସକ ଦଳ ଓ୍ୱାଇଏସ୍ଆର କଂଗ୍ରେସ ଭଳି ଦଳ ସମର୍ଥନ କରିଛନ୍ତି। ଏହି ଦୁଇ ଦଳ ଏନଡିଏର ଅଂଶୀଦାର ନୁହନ୍ତି।

ରାଷ୍ଟ୍ରପତି ନିର୍ବାଚନରେ ଉଭୟ ବିଧାୟକ ଏବଂ ସାଂସଦ ଭୋଟ୍ ଦିଅନ୍ତି । ପ୍ରତ୍ୟେକ ସାଂସଦ ଏବଂ ବିଧାୟକଙ୍କ ଭୋଟର ମୂଲ୍ୟ ରହିଛି । ତେଣୁ ମୋଟ ୧୦ ଲକ୍ଷ ୮୬ ହଜାର ୪୩୧ ଭୋଟ୍ ମଧ୍ୟରୁ ୫ ଲକ୍ଷ ୩୨ ହଜାର ୩୫୧ ଭୋଟ୍ ପାଇଲେ ଜଣେ ପ୍ରାର୍ଥୀ ବିଜୟୀ ହେଲେ ଦେଶର ପ୍ରଥମ ନାଗରିକ ହେବେ। ଏନଡିଏ ପ୍ରାର୍ଥୀଙ୍କ ପାଖରେ ରହିଛି ୫, ୨୫, ୭୦୬ ଭୋଟ୍ ରହିଛି। ଅର୍ଥାତ୍ ବିଜୟୀ ହେବାକୁ ଏନଡିଏ ପ୍ରାର୍ଥୀଙ୍କୁ ଆବଶ୍ୟକ ରହିଛି ପାଖାପାଖି ୧୮ ହଜାର ଭୋଟ୍ । କିନ୍ତୁ ଏବେ ବିଜୁ ଜନତା ଦଳର ୩୧,୬୮୬ ଭୋଟ୍ ଏବଂ ଓ୍ୱାଇଏସ୍ଆର କଂଗ୍ରେସର ୪୫,୫୫୦ ଭୋଟ୍ ମିଶିବା ପରେ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ସହଜ ହୋଇଯାଇଛି । ସେହିପରି ଏନଡିଏରେ ଥାଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିନଥିବା ତାମିଲନାଡୁର ବିରୋଧୀ ଦଳର ୧୪,୯୪୦ ଭୋଟ୍ ରହିଛି।

ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଥିବା ବେଳେ ୨୧ ତାରିଖରେ ଭୋଟ୍ ଗଣତି ହେବ। ଜୁଲାଇ ୨୫ରେ ନୂଆ ରାଷ୍ଟ୍ରପତି ଶପଥ ଗ୍ରହଣ କରିବେ।

ଉଲ୍ଲେଖଯୋଗ୍ୟ, ୬୪ ବର୍ଷୀୟ ଏହି ଆଦିବାସୀ ମହିଳା ୨୦୧୫ରୁ ୨୦୨୧ ମଧ୍ୟରେ ଝାଡ଼ଖଣ୍ଡ ରାଜ୍ୟପାଳ ଥିଲେ। ସେ ଝାଡଖଣ୍ଡରେ ରାଜ୍ୟପାଳ ଭାବେ ନିଜ କାର୍ଯ୍ୟକାଳ ପୂରଣ କରିବାରେ ପ୍ରଥମ ବ୍ୟକ୍ତି । ଏମିତିକି ସେ ରାଜ୍ୟପାଳ ଥିବା ବେଳେ କୌଣସି ପ୍ରକାର ଅସୁବିଧା ହୋଇନାହିଁ। ଯାହାକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପସନ୍ଦ ଆସିଥିଲା ବୋଲି ଜଣାପଡିଛି। ରାଜ୍ୟପାଳ ହେବା ପୂର୍ବରୁ ୨୦୦୦ରୁ ୨୦୦୪ ମଧ୍ୟରେ ଓଡ଼ିଶାର ବିଜେପି-ବିଜେଡି ମେଣ୍ଟ ସରକାରରେ ସେ ମନ୍ତ୍ରୀ ଥିଲେ।

Leave A Reply

Your email address will not be published.