ଭୁବନେଶ୍ବର: ରାଜ୍ୟ ସମେତ ରାଜଧାନୀରେ ଦିନକୁ ଦିନ ବ୍ୟାଧି ପରି ବ୍ୟାପିଲାଣି ନିଶା ସେବନ । ବିଶେଷ କରି ଶିକ୍ଷାନୁଷ୍ଠାନ ବାହାରେ ଏହାର ବହୁଳ କାରବାର ଚାଲିଛି । ଯାହାକୁ ମୂଳପୋଛ କରିବାକୁ ତତପରତା ଦେଖାଇଛି କମିଶନରେଟ୍ ପୋଲିସ ।
ଷ୍ଟ୍ରିଟ କ୍ରାଇମ ଉପରେ ଅଧିକ ନଜର ରଖିବ ପୋଲିସ । ଯାହା ଫଳରେ ରାଜଧାନୀରେ ସାବାଡ ହେବେ ନିଶା ବେପାରୀ । ଗଞ୍ଜେଇ ଓ ବ୍ରାଉନ ସୁଗାର କାରବାର ଉପରେ ରୋକ ଲଗାଇବ କମିଶନରେଟ୍ ପୋଲିସ । ଖାଲି ସେତିକି ନୁହଁ ନିଶା ସହ ସଡ଼କ ସୁରକ୍ଷା ଉପରେ ମଧ୍ୟ ପୋଲିସର ରହିବ କଡା ନଜର । ଏଥିପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ସ୍ୱତନ୍ତ୍ର ଅଭିଯାନ ।
ସୂଚନା ଅନୁସାରେ, ବୁଧବାର ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ଅଞ୍ଚଳରେ ପୋଲିସ ରେଡ୍ କରି ୨୬୦ ଗ୍ରାମ ବ୍ରାଉନ ସୁଗାର ଜବତ କରିଥିବାବେଳେ ଏହି ମାମଲାରେ ଚାରିଜଣ ଗିରଫ ହୋଇଛନ୍ତି । ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୨୬ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି ।
ସେହିପରି, ମୈତ୍ରୀ ବିହାର ଅଞ୍ଚଳରେ ରେଡ୍ କରାଯାଇ ଏକ ନିର୍ଦ୍ଦିଷ୍ଟ ଶିକ୍ଷାନୁଷ୍ଠାନ ନିକଟରୁ ୪୬ କେଜି ଗଞ୍ଜେଇ ଜବତସ କରାଯିବା ସହ ଘଟଣାରେ ୫ ଜଣଙ୍କୁ ଗିରଫ କରିଛି ପୋଲିସ । ତେବେ ପ୍ରାୟ ଦୈନିକ ଏହି ଭଳି ଘଟଣା ସାମ୍ନାକୁ ଆସୁଥିବାବେଳେ, ଏହି ସବୁ ନିଶାଦ୍ରବ୍ୟ କେଉଁଠୁ ଆସୁଛି କୋଉଠିକୁ ଯାଉଛି ଆଉ ଏହା ପଛରେ କାହାର ହାତ ଅଛି ଏସବୁର ମୂଳପୋଛ ନେଇ ତନାଘନା ଆରମ୍ଭ କରିଛି କମିଶନରେଟ୍ ପୋଲିସ ।
ଆଉ ଏହି ଘଟଣାର ପର୍ଦ୍ଦାଫାଶ ହେଲେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ କହିଛି ।
Comments are closed.