Latest Odisha News

BREAKING NEWS

ଶକ୍ତିପୀଠର କାହାଣୀ: ଯେଉଁଠି ମାଆ ସରସ୍ୱତୀଙ୍କ ରୂପରେ ପୂଜା ପାଆନ୍ତି ଜଗତଜନନୀ

ଓଡିଶା ସମ୍ବାଦ ପକ୍ଷରୁ ସ୍ଵତନ୍ତ୍ର ଉପସ୍ଥାପନା “ଶକ୍ତିପୀଠର କାହାଣୀ”

ଭୁବନେଶ୍ଵର: ଚାଲିଛି ପାର୍ବଣର ଋତୁ । ଆଉ ଦିନ କେଇଟା ପରେ ଧରାବତରଣ କରିବେ ମା ଦୁର୍ଗା । ଏଥିପାଇଁ ଚଳ ଚଞ୍ଚଳ ହୋଇ ଉଠିଛି ଗାଁ ରୁ ସହର । ମା’ଙ୍କ ଆଵାହନ ପାଇଁ ମର୍ତ୍ତ୍ୟବାସୀ ବେଶ ଉତ୍ସାହର ସହ ଲାଗି ପଡିଛନ୍ତି । ସାର୍ବଜନୀନ ମଣ୍ଡପ ଠାରୁ ଆରମ୍ଭ କରି ଶକ୍ତିପୀଠରେ ଚାଲିଛି ମା’ଙ୍କ ଷୋଡଶ ଉପଚାର ପୂଜା । ମହାଳୟା ଠାରୁ ମା’ ଦୁର୍ଗାଙ୍କ ନବରାତ୍ର ପୂଜା ଚାଲିଥିବା ବେଳେ ବିଭିନ୍ନ ବେଶରେ ଦର୍ଶନ ଦେଉଛନ୍ତି ମା’ ।

ଝଙ୍କଡ଼ ବାସିନୀ ମାସାରଳା

ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ଝଙ୍କଡ଼ର ସାରଳା ପୀଠ ଓଡ଼ିଶାର ଏକ ପ୍ରମୁଖ ଶକ୍ତିପୀଠ ଭାବେ ପ୍ରସିଦ୍ଧି ଲାଭ କରିପାରିଛି । କଥିତ ଅଛି ଓଡ଼ିଶାରେ ଥିବା ୮ଟି ପ୍ରମୁଖ ଶକ୍ତିପୀଠ ମଧ୍ୟରେ ଝଙ୍କଡ଼ର ସାରଳା ଦେବୀ ପୀଠ ଅନ୍ୟତମ । ମାଆ ସାରଳାଙ୍କୁ ଶାକ୍ତ ଓ ବୈଷ୍ଣବମାନେ ପୂଜା କରିଥାଆନ୍ତି । ଏହା ଏକ ପୂରାତନ ବୌଦ୍ଧ ତନ୍ତ୍ରପୀଠ ଭାବେ ବେଶ୍ ପରିଚିତ । ମାଆ ହାତରେ ଧରିଛନ୍ତି ପୁସ୍ତକ, ବୀଣା ଏବଂ ଘଣ୍ଟି । ମାଆ ସାରଳାଙ୍କୁ ବାକଦେବୀ ଭାବେ ପୂଜା କରାଯାଇଥାଏ ।

କୁହାଯାଏ ଝଙ୍କଡ଼ର ମାଆ ସାରଳା ହେଲେ ଦେବୀ ସରସ୍ୱତୀ, ମାଆ କାଳୀ ତଥା ମହାଲକ୍ଷ୍ମୀଙ୍କ ରୂପରେ ଏଠାରେ ବିରାଜମାନ କରୁଛନ୍ତି । ଦେବୀ ସତୀଙ୍କର ଜିହ୍ୱା ଏଠାରେ ପତିତ ହୋଇଥିବାରୁ ମା ଦୁର୍ଗା ଏଠାରେ ସରସ୍ୱତୀଙ୍କ ରୂପରେ ପୂଜା ପାଇଥାନ୍ତି । ଆଦିକବି ଭକ୍ତ ଶାରଳା ଦାସ ଏଠାରେ ମାଆଙ୍କର କୃପା ଲାଭ କରିଥିଲେ । କିମ୍ବଦନ୍ତି ଅନୁସାରେ ଏହି ପୀଠଟି ସାରଦା ବା ସରସ୍ୱତୀଙ୍କ ଅଧିଷ୍ଠାନ ପାଇଁ ପ୍ରସିଦ୍ଧି ଲାଭ କରିଛି ।

ମା ଶାରଳାଙ୍କ ପୀଠ ସବୁବେଳେ ଚଳଚଞ୍ଚଳ ହୋଇ ଚାଲିଥାଏ । କେବଳ ଆଖପାଖ ଅଞ୍ଚଳ ନୁହେଁ ବରଂ ବିଭିନ୍ନ ସ୍ଥାନରୁ ଭକ୍ତମାନେ ଏଠାକୁ ଆସନ୍ତି ମାଙ୍କ ଦର୍ଶନ ପାଇଁ । ମାଙ୍କ ପୀଠ ପାଖରେ ପହଞ୍ଚିଲେ ପ୍ରଥମେ ଦୃଷ୍ଟିକୁ ଆସିଥାଏ ଏକ ସୁନ୍ଦର ପୁଷ୍କରିଣୀ । ଶାନ୍ତି ବଜାୟ ରଖି କାହିଁ କେଉଁ କାଳରୁ ମାଙ୍କ ପୀଠକୁ ଚାହିଁ ବସିଛି ଏହି ପୁଷ୍କରିଣୀ । କେତେ କେତେ ଭକ୍ତ ଏଠାକୁ ଆସି ପ୍ରଥମେ ନିଜର ପାଦଧୋଇ ମନ୍ଦିର ମଧ୍ୟକୁ ପ୍ରବେଶ କରନ୍ତି ।

ଏହା ବି ପଢନ୍ତୁhttps://odishasambad.in/dussehra-2023-know-the-kakatpur-maa-mangala-temple-importance/

ମନ୍ଦିରରେ ଅନେକଗୁଡିଏ ଉତ୍ସବ ପାଳନ କରାଯାଏ, ସେଥିମଧ୍ୟରୁ ମୁଖ୍ୟପର୍ବଗୁଡ଼ିକ ହେଲା: ପାର୍ବଣ, ଶାରଦୀୟ ଉତ୍ସବ, ପଣା ସଂକ୍ରାନ୍ତି, ଦୋଳ ପୂର୍ଣ୍ଣିମା ଆଉ ଚନ୍ଦନ ଯାତ୍ରା । ଦୁର୍ଗାପୂଜା ସମୟରେ ଏହି ପୀଠ ଚଳଚଞ୍ଚଳ ହୋଇ ଉଠେ । ଆଶ୍ଵିନ ମାସର ମୂଳାଷ୍ଟମୀଠାରୁ ବିଜୟାଦଶମୀ ପର୍ଯ୍ୟନ୍ତ ଶାକ୍ତ ତାନ୍ତ୍ରିକ ରୀତିରେ ପୂଜାର୍ଚ୍ଚନା କରାଯାଏ । ୧୬ ଦିନ ବ୍ୟାପି ମାଙ୍କୁ ସକାଳୁ ସ୍ନାନ ପରେ ସୂର୍ଯ୍ୟ ପୂଜା,ଗୋପୂଜା, ଚଣ୍ଡୀ ପାଠ, ସକାଳ ଆଳତି, ମଧ୍ୟାହ୍ନ ନୀତି ସହିତ ସମସ୍ତ ନୀତିକାନ୍ତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥାଏ । ପ୍ରତ୍ୟକ ଦିନ ବୈଦିକ ବ୍ରହ୍ମଣ ମାନଙ୍କ ଦ୍ୱାରା ଚଣ୍ଡୀ ପାଠ ସହିତ ହୋମ ଯଜ୍ଞ ଅନୁଷ୍ଠିତ ହେବାସହ ସନ୍ଧ୍ୟାରେ ମାଙ୍କ ଆଳତି ହୋଇଥାଏ । ଆଳତି ପରେ ବିଭିନ୍ନ ବେଶରେ ସଜିତ ହୋଇ ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେଇଥାନ୍ତି ଝଙ୍କଡ଼ ବାସିନୀ ମା ସାରଳା ।

ଚଳିତ ପ୍ରଥା ଅନୁସାରେ ଆଗରୁ ମହାଷ୍ଟମୀ ଦିନ ମା’ଙ୍କୁ ମହିସି ବଳି ଦିଆ ଯାଉଥିଲା । କିନ୍ତୁ ବଳି ପ୍ରଥା ବନ୍ଦ ହେବାପରେ ମାଙ୍କ ନିକଟରେ ୧୦୮ ପ୍ରକାରର ସୁସ୍ୱାଦୁ ପିଠା,ମିଠା ଭୋଗ ଲାଗି କରାଯାଏ । ମହାଷ୍ଟମୀ ରେ ସବୁଠାରୁ ବଡ଼ ଭୋଗ ହେଉଛି ମାଙ୍କର ମଣ୍ଡା ଭୋଗ । ଏହି ମଣ୍ଡା ଗୁଡିକ ୧ କିଲୋରୁ ୧୫କିଲୋ ଓଜନର ହୋଇଥାଏ । ଏହାକୁ ପାଇବା ପାଇଁ ଶ୍ରଦ୍ଧାଳୁ ମାନଙ୍କ ଭିତରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥାଏ ।

Leave A Reply

Your email address will not be published.