ଭୁବନେଶ୍ୱର: ସୋମବାର ବିଧାନସଭାରେ ୨୦୨୫-୨୬ ବର୍ଷ ନିମନ୍ତେ ରାଜ୍ୟ ବଜେଟ୍ ଉପସ୍ଥାପିତ ହେବ । ଏହା ପୂର୍ବରୁ ଗୃହରେ ଆସିଛି ଅର୍ଥନୈତିକ ସର୍ଭେ ରିପୋର୍ଟ । ୨୦୨୪-୨୫ ଆର୍ଥିକ ବର୍ଷରେ ଓଡିଶା ଅର୍ଥନୀତିର ଆକାର ୧୦ ପ୍ରତିଶତ ବଢି ୯.୫ଲକ୍ଷ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଯାହା ୨୦୨୩-୨୪ରେ ୮.୬ ଲକ୍ଷ କୋଟି ଟଙ୍କାରୁ ୧୦ ପ୍ରତିଶତ ବୃଦ୍ଧି ପାଇଛି ।
ବାସ୍ତବ ଅର୍ଥନୈତିକ ଅଭିବୃଦ୍ଧି ହାର ୨୦୨୪-୨୫ ଆର୍ଥିକ ବର୍ଷରେ ୭.୨ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି, ଯାହା ସର୍ବଭାରତୀୟ ଅଭିବୃଦ୍ଧି ହାର ୬.୪ ପ୍ରତିଶତ ଠାରୁ ଅଧିକ ଅଟେ । ସେହିପରି ବାର୍ଷିକ ମୁଣ୍ଡ ପିଛା ଆୟ ୧୦.୬ ପ୍ରତିଶତ ବୃଦ୍ଧିପାଇ ୧.୮୩ ଲକ୍ଷରେ ପହଞ୍ଚିଛି । ଅନ୍ୟ ରାଜ୍ୟ ତୁଳନାରେ ମୁଣ୍ଡ ପିଛା ଆୟ ହିସାବରେ ଏକାଦଶ ସ୍ଥାନରେ ଓଡ଼ିଶା ରହିଛି ।
୨୦୨୩-୨୪ ଆର୍ଥକ ବର୍ଷରେ ଗ୍ରାମାଞ୍ଚଳରେ ମାସିକ ମୁଣ୍ଡପିଛା ଖର୍ଚ୍ଚରେ ଓଡିଶା ପଞ୍ଚଦଶ ସ୍ଥାନରେ ଥିବା ବେଳେ ସହରାଞ୍ଚଳରେ ଏକାଦଶ ସ୍ଥାନରେ ରହିଛି ।
ସେହିପରି, ରାଜ୍ୟ ଅର୍ଥନୀତିରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ଯୋଗଦାନ ପ୍ରାୟ ୧୯ ପ୍ରତିଶତ ଓ ଏହାର ଅଭିବୃଦ୍ଧି ହାର ୩.୩ ପ୍ରତିଶତ । ରାଜ୍ୟ ଅର୍ଥନୀତିରେ ଶିଳ୍ପ କ୍ଷେତ୍ରର ଯୋଗଦାନ ୪୪ ପ୍ରତିଶତ ଥିବାବେଳେ ଏହାର ଅଭିବୃଦ୍ଧି ହାର ୬.୧ ପ୍ରତିଶତ ଯାହାକି ସର୍ବଭାରତୀୟ ସ୍ତର ସହିତ ପ୍ରାୟ ସମାନ ।
ଓଡ଼ିଶାରେ ଖାଦ୍ୟଶସ୍ୟ ଉତ୍ପାଦନ ୨୦୧୯-୨୦ ବର୍ଷରେ ୧୧୬.୯ ଲକ୍ଷ ମେଟ୍ରିକ ଟନ ଥିବାବେଳେ ୨୦୨୩-୨୪ ବର୍ଷରେ ଏହା ୧୪୩ ଲକ୍ଷ ମେଟ୍ରିକ ଟନରେ ପହଞ୍ଚିଛି, ଯାହା ହାରାହାରି ଅଭିବୃଦ୍ଧି ହାର ୫.୨ ଅଟେ । ମୋଟ ଧାନ ଉତ୍ପାଦନରେ ଓଡ଼ିଶା ୮ ପ୍ରତିଶତ ଅଂଶ ସହ ଦେଶର ୫ମ ବୃହତ୍ ଧାନ ଉତ୍ପାଦନକାରୀ ରାଜ୍ୟ । ଧାନ ଉତ୍ପାଦନ ୨୦୧୯-୨୦ରେ ୯୭.୬ ଲକ୍ଷ ମେଟ୍ରିକ ଟନ ଥିବାବେଳେ ୨୦୨୩-୨୪ରେ ଏହା ୧୧୫.୪ ଲକ୍ଷ ମେଟ୍ରିକ ଟନକୁ ବୃଦ୍ଧି ପାଇଛି ।
Comments are closed.