ନୂଆଦିଲ୍ଲୀ: ଦିଲ୍ଲୀ ରେଳ ଷ୍ଟେସନରେ ଦଳାଚକଟାରେ ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି ପାଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ୧୮ ମୃତକଙ୍କ ମଧ୍ୟରେ ୧୪ ଜଣ ମହିଳା, ୪ ଶିଶୁ ଅଛନ୍ତି । ଏମାନଙ୍କ ମଧ୍ୟରେ ୯ଜଣ ବିହାରର, ୮ଜଣ ଦିଲ୍ଲୀର ଓ ଜଣେ ହରିୟାଣାର ବୋଲି ସୂଚନା ମିଳିଛି ।
ମହାକୁମ୍ଭରେ ଯୋଗଦେବାକୁ ପ୍ରୟାଗରାଜ ଯିବା ପାଇଁ ଲୋକମାନେ ଦିଲ୍ଲୀ ରେଲୱେ ଷ୍ଟେସନରେ ଏକାଠି ହୋଇଥିଲେ । ରେଳ ଷ୍ଟେସନର ୧୪ ଓ ୧୬ ନମ୍ବର ପ୍ଲାଟଫର୍ମରେ ପ୍ରବଳ ଭିଡ କାରଣରୁ ଏହି ଅଘଟଣ ଘଟିଛି ।
ଦିଲ୍ଲୀ ରେଳଷ୍ଟେସନ ଅଘଟଣକୁ ନେଇ ଦୁଖ ବ୍ୟକ୍ତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ରାଷ୍ଟ୍ରପତି । ସେପଟେ ପ୍ରଧାନମନ୍ତ୍ରୀ ମୋଦି ଏହି ଅଘଟଣରେ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ।
ଦଳାଚକଟା ଘଟଣାକୁ ନେଇ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ମଧ୍ୟ ଦୁଖ ପ୍ରକାଶ କରିବା ସହ ଦଳାଚକଟା ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଷ୍ଟେସନରେ ଥିବା ଯାତ୍ରୀମାନଙ୍କୁ ୪ଟି ସ୍ବତନ୍ତ୍ର ଟ୍ରେନରେ ନିଆଯାଇଛି । ଆହୁରି ସ୍ବତନ୍ତ୍ର ଟ୍ରେନ ଚଳାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ସ୍ଥିତି ନିୟନ୍ତ୍ରଣକୁ ଆସିଥିବା ରେଳ ମନ୍ତ୍ରୀ ସୂଚନା ଦେଇଛନ୍ତି ।
ଘଟଣାରେ ମୃତକ ଓ ଆହତଙ୍କ ପାଇଁ ସହାୟତା ରାଶି ଘୋଷଣା କରିଛି ରେଳ ମନ୍ତ୍ରାଳୟ । ମୃତକଙ୍କ ପରିବାରଙ୍କୁ ୧୦ ଲକ୍ଷ ଟଙ୍କା, ଗୁରୁତର ଆହତଙ୍କ ପାଇଁ ଅଢ଼େଇ ଲକ୍ଷ ଟଙ୍କା ଲେଖାଏଁ ଓ ସାମାନ୍ୟ ଆହତଙ୍କ ପାଇଁ ଏକ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା ହୋଇଛି ।
Comments are closed.