କୋଲକାତା: ସରକାରୀ ସ୍କୁଲରେ ଶିକ୍ଷକ ନିଯୁକ୍ତି ଘୋଟାଲା ଅଭିଯୋଗରେ ପଶ୍ଚିମବଙ୍ଗ ମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସର ସାଧାରଣ ସମ୍ପାଦକ ପାର୍ଥ ଚାଟାର୍ଜୀ ଗିରଫ । ୨୬ ଘଣ୍ଟାର ମାରାଥନ ଜେରା ସାମ୍ନା କରିବା ପରେ ଇଡି ଦ୍ୱାରା ଗିରଫ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘନିଷ୍ଠ ସହଯୋଗୀ । ଗତକାଲି ଇଡି ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଘରୁ ୨୦ କୋଟି ଟଙ୍କା ନଗଦ ପାଇଥିଲା।
ପଶ୍ଚିମବଙ୍ଗର ଶାସକ ଦଳ ଟିଏମସିର ଦୁଇ ମନ୍ତ୍ରୀଙ୍କ ସମେତ ପ୍ରାୟ ୧୦ରୁ ଅଧିକ ଲୋକଙ୍କୁ ଶୁକ୍ରବାର ଶିକ୍ଷକ ନିଯୁକ୍ତି ଦୁର୍ନୀତିର ତଦନ୍ତ କରିବାକୁ ଯାଇ ଇଡି ପଚରାଉଚରା କରିଥିଲା। ଇଡି ଅଧିକାରୀମାନେ ଶୁକ୍ରବାର ସକାଳେ ପାର୍ଥ ଚାଟାର୍ଜୀଙ୍କ ଘରେ ପହଞ୍ଚି ଏସଆରସି ସ୍କାମ ତଦନ୍ତ ସମ୍ପର୍କରେ ତାଙ୍କୁ ପଚରାଉଚରା କରିଥିଲେ।
କୋଲକାତା ହାଇକୋର୍ଟର ଏକ ବେଞ୍ଚ ସରକାରୀ ସହାୟତା ପ୍ରାପ୍ତ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଉପରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ସରକାରୀ ସହାୟତା ପ୍ରାପ୍ତ ବିଦ୍ୟାଳୟଗୁଡ଼ିକ ପାଇଁ ଶିକ୍ଷକ ଏବଂ ଅଣଶିକ୍ଷକ କର୍ମଚାରୀ ନିଯୁକ୍ତିରେ ଘୋଟାଲା ହୋଇଥିବା ନେଇ ଇଡିରେ ଅଭିଯୋଗ ହୋଇଥିଲା।
ପାର୍ଥ ଚାଟାର୍ଜଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଘରୁ ନଗଦ ୨୦ କୋଟି ମିଳିଥିଲା। ପଶ୍ଚିମବଙ୍ଗ ସରକାରରେ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଜଣେ ଘନିଷ୍ଠ ସହଯୋଗୀ ହେଉଛନ୍ତି ଅର୍ପିତା। ପୂର୍ବତନ ଟିଏମସି ନେତା ତଥା ଏବେର ବିରୋଧୀ ଦଳ ବିଜେପିର ବିଧାୟକ ଦଳର ନେତା ଶୁଭେନ୍ଦୁ ଅଧିକାରୀ ନିକଟରେ ଏକ ଫଟୋ ସେୟାର କରିଥିଲେ। ଯେଉଁଥିରେ ସ୍ପଷ୍ଟ ଭାବରେ ଦେଖିବାକୁ ମିଳିଥିଲା ଯେ ଅର୍ପିତା ମୁଖାର୍ଜୀ ଦକ୍ଷିଣ କୋଲକାତାର ପ୍ରସିଦ୍ଧ ଦୁର୍ଗା ପୂଜା ସହିତ ଜଡିତ ରହିଛନ୍ତି। କୁହାଯାଏ ଯେ ଦୁର୍ଗା ପୂଜା କମିଟିର ବିଜ୍ଞାପନରେ ଅର୍ପିତା ମୁଖାର୍ଜୀଙ୍କ ଚେହେରା ଆଗରେ ରୁହେ। ତେଣୁ ପୂଜାରେ ତାଙ୍କର ପ୍ରଭାବ ସମ୍ପର୍କରେ ପଶ୍ଚିମବଙ୍ଗବାସୀ ବେଶ ଅବଗତ। ଅର୍ପିତା ମୁଖାର୍ଜୀ କିଛି ବଙ୍ଗାଳୀ, ଓଡିଆ ଏବଂ ତାମିଲ ଚଳଚ୍ଚିତ୍ରରେ ମଧ୍ୟ କାମ କରିଛନ୍ତି।
ଅର୍ପିତା ମୂଖାର୍ଜୀ ଦୁର୍ଗା ପୂଜା କମିଟି ମାଧ୍ୟମରେ ପାର୍ଥଙ୍କୁ ଭେଟିଥିଲେ। ତେବେ ଅର୍ପିତା ମୁଖାର୍ଜୀଙ୍କ ସହ ଦଳର କୌଣସି ନେଣଦେଣ ନାହିଁ ବୋଲି ଟିଏମସି ସଫେଇ ଦେଇଛି।
Comments are closed.