Latest Odisha News

BREAKING NEWS

ଆମୱେ ଇଣ୍ଡିଆର ୭୫୭.୭୭ କୋଟି ଟଙ୍କାର ସମ୍ପତ୍ତି ଜବତ କଲା ଇଡି

ଭୁବନେଶ୍ୱର: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଆମୱେ ଇଣ୍ଡିଆ କମ୍ପାନୀର ୭୫୭.୭୭ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି । ସୋମବାର ଆର୍ଥିକ ହେରଫେର ମାମଲାରେ ଇଡି ଆମୱେ ର ବିଭିନ୍ନ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଜବତ କରିଛି । ତାମିଲନାଡୁର ଡିଣ୍ଡିଗୁଲରେ ଥିବା ଜମି, ଫ୍ୟାକ୍ଟ୍ରି କୋଠା, ଯନ୍ତ୍ରପାତି, ଯାନବାହାନ, ବ୍ୟାଙ୍କ ଆକାଉଣ୍ଟ ଏବଂ ସ୍ଥାୟୀ ଜମା ଜବତ କରିଛି ।

ମୋଟ୍ ୪୧୧.୮୩ କୋଟି ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତ୍ତି ଏବଂ ୩୬ଟି ବ୍ୟାଙ୍କ ଆକାଉଣ୍ଟରୁ ୩୪୫.୯୪ କୋଟି ଟଙ୍କା ଇଡି ଜବତ କରିଛି । ଇଡି ଦର୍ଶାଇଛି ଯେ, ପିରାମିଡ ଢ଼ାଞ୍ଚାରେ ଆମୱେ ଇଣ୍ଡିଆ ସାଧାରଣ ଲୋକଙ୍କୁ ଲୁଟିଛି ।

ଅନ୍ୟ କମ୍ପାନୀର ସମାନ ପ୍ରଡକ୍ଟ ତୁଳନାରେ ଆମୱେ ମାତ୍ରାଧିକ ଟଙ୍କାରେ ଲୋକଙ୍କୁ ଜିନିଷ ବିକ୍ରି କରିଛି । ଆମୱେର ସଦସ୍ୟ ହୋଇ ଧନୀ ହେବାର ଲୋଭ ଦେଖାଇ ବିରାଟ ଠକେଇ କରିଥିବା କଥା ଇଡି କହିଛି । ଆର୍ଥିକ ବର୍ଷ ୨୦୦୨-୦୩ରୁ ୨୦୨୧-୨୨ ଭିତରେ ୨୭ ହଜାର ୫୬୨ କୋଟି ଟଙ୍କା ଆମୱେ ବ୍ୟବସାୟରୁ ଉଠାଇଛି । ଯେଉଁଥିରୁ ୭ ହଜାର ୫୮୮ କୋଟି ଟଙ୍କା କମିଶନ ଆକାରରେ ଡିଷ୍ଟ୍ରିବୁଟର, ସଦସ୍ୟଙ୍କୁ ବାଣ୍ଟିଛି ।

ସେପଟେ ଆମୱେ ଇଣ୍ଡିଆ ପକ୍ଷରୁ ସ୍ପଷ୍ଟୀକରଣ ମଧ୍ୟ ଆସିଛି । ଆମୱେ କହିଛି ସମସ୍ତ ତଦନ୍ତରେ ସଂସ୍ଥା ସହଯୋଗ କରୁଛି ଏବଂ ଭବିଷ୍ୟତରେ କରିବ । ୨୦୨୧ରେ ଆସିଥିବା ପ୍ରତ୍ୟକ୍ଷ ବିକ୍ରୟ ନିୟମରେ ଆଇନଗତ ଏବଂ ପରିଚାଳନା ଗତ ସ୍ପଷ୍ଟୀକରଣର ଆବଶ୍ୟକତା ଅଛି । ଆମୱେ ସର୍ବଦା ଗ୍ରାହକଙ୍କ ସ୍ୱାର୍ଥକୁ ପ୍ରାଥମିକତା ଦେଇ ଆସିଛି ଏବଂ ସ୍ୱଚ୍ଛତା ବଜାୟ ରଖିଛି ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.