Latest Odisha News

BREAKING NEWS

ପୁଣି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡିର ଡାକରା, ୩ୟ ଥର ଲାଗି ସମନ ଜାରି କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

ରାଞ୍ଚି: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପୁଣି ଉଡି ଡାକରା । ଅର୍ଥ ହେରଫେର ମାମଲାରେ ୩ୟ ଥର ଲାଗି ସୋରେନଙ୍କୁ ସମନ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଆସନ୍ତା ୯ ତାରିଖରେ ତଦନ୍ତ ଲାଗି ହାଜର ହେବା ପାଇଁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନା ଅନୁସାରେ, ଅର୍ଥ ହେରଫେର ମାମଲାରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଗତ ଅଗଷ୍ଟ ୧୪ ତାରିଖରେ ପ୍ରଥମ ଥର ଲାଗି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ସମନ ଜାରି କରାଯାଇଥିଲା । ହେଲେ ସ୍ବାଧୀନତା ଦିବସ କାର୍ଯ୍ୟକ୍ରମରେ ବ୍ୟସ୍ତ ଥିବା କାରଣ ଦର୍ଶାଇ ଇଡି କାର୍ଯ୍ୟାଳୟରେ ହାଜର ହୋଇନଥିଲେ ସୋରେନ । ଏହାପରେ ସୋରେନ ଅଭିଯୋଗ କରିଥିଲେ ଯେ ସେ ବିଜେପି ନେତୃତ୍ବାଧୀନ ମେଣ୍ଟରେ ସାମିଲ ହୋଇନଥିବା କାରଣରୁ ତାଙ୍କୁ ବିନା କାରଣରେ ଟାର୍ଗେଟ କରାଯାଉଛି । ତାଙ୍କ ଭାବମୂର୍ତ୍ତିକୁ ପ୍ରଭାବିତ କରିବା ଲାଗି ଇଡି ପକ୍ଷରୁ ଏହି ସମନ ଜାରି କରାଯାଇଥିବା ସେ କହିଛନ୍ତି ।

ଏହାପରେ ଗତ ଅଗଷ୍ଟ ୧୯ ତାରିଖରେ ଦ୍ବିତୀୟ ଥର ଲାଗି ଇଡି ପକ୍ଷରୁ ପୁଣି ମୁଖ୍ୟମନ୍ତ୍ରୀ ସୋରେନଙ୍କୁ ସମନ ଜାରି କରାଯାଇଥିଲା । ଅଗଷ୍ଟ ୨୪ରେ ହାଜର ହେବା ଲାଗି ତାଙ୍କୁ ନିର୍ଦ୍ଦେଶ ରହିଥିଲା । ମାତ୍ର ଦ୍ବିତୀୟ ଥର ସମନ ଜାରି ହେବା ପରେ ଇଡି କାର୍ଯ୍ୟାଳୟରେ ଉପସ୍ଥିତ ହେବା ପରିବର୍ତ୍ତେ ସୋରେନ ସିଧାସଳଖ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଏହାପରେ ବିଜେପି ସାଂସଦ ନିଶିକାନ୍ତ ଦୁବେ ପ୍ରତିକ୍ରିୟା ରଖି କହିଥିଲେ, “ଇଡି କାର୍ଯ୍ୟାଳୟରେ ଉପସ୍ଥିତ ହେବା ପରିବର୍ତ୍ତେ ଆପେକ୍ସ କୋର୍ଟର ଶରଣ ନେଲେ କୌଣସି ଲାଭ ହେବ ନାହିଁ । ଯଦି ସେ ବାରମ୍ବାର ଇଡିର ସମନକୁ ପ୍ରତ୍ୟାଖ୍ୟାନ କରିବେ ତେବେ ଆଗକୁ ସ୍ଥିତି ଖରାପ ହେବ । ଏହି ଥର ଯଦି ସେ ହାଜର ନ ହେଲେ ତେବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଦୁବେ ।

Leave A Reply

Your email address will not be published.