Latest Odisha News

BREAKING NEWS

ନିର୍ବାଚନ ୨୦୧୯: ରାଜ୍ୟସଭା ସାଂସଦଙ୍କୁ ଟିକଟ ଦେଇ ବିଜେପିକୁ ଟକ୍କର ଦେଲେ ନବୀନ

ଭୁବନେଶ୍ୱର: ରାଜନୀତି ପଶାପାଲିରେ ଗୋଟି ଚାଳନା କରିବାରେ ନବୀନ ବେଶ୍ ସିଦ୍ଧହସ୍ତ, ସେ ଭିନ୍ନ ଭିନ୍ନ ପରିସ୍ଥିତିରେ ନିଜର ଅନେକ କୌଶଳ ପ୍ରଦର୍ଶନ କରି ଅନେକ ନିର୍ବାଚନ ବୈତରଣୀ ପାରି ହୋଇଛନ୍ତି । ନିର୍ବାଚନ ସମୟରେ ସମସ୍ତ ଆସନରେ ଉପଯୁକ୍ତ ପ୍ରାର୍ଥୀ ଚୟନ କରିବାରେ କେବେ ବି ଅବହେଳା କରିନାହାନ୍ତି ନବୀନ ।

ନବୀନ ୫ ଜଣ ରାଜ୍ୟସଭା ସାଂସଦଙ୍କୁ ଏଥର ନିର୍ବାଚନରେ ଲଢିବାକୁ ସୁଯୋଗ ଦେଇଛନ୍ତି । ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ଅଚ୍ୟୁତ ସାମନ୍ତ ଓ ସିନେ ତାରକା ଅନୁଭବଙ୍କୁ ଯଥାକ୍ରମେ ବରଗଡ଼, କନ୍ଧମାଳ ଓ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ନିର୍ବାଚନ ଲଢିବା ଲାଗି ନିଜ ଦଳର ପ୍ରାର୍ଥୀ ଭାବେ ଚୟନ କରିଥିବା ବେଳେ ପ୍ରତାପ କେଶରୀ ଦେବ ଓ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ଆଳି ଓ ଖଣ୍ଡପଡ଼ା ବିଧାନସଭା ଆସନରୁ ନିର୍ବାଚନ ଲଢିବାକୁ ସୁଯୋଗ ଦେଇଛନ୍ତି ନବୀନ ।

ଏହି ସମସ୍ତ ରାଜ୍ୟସଭା ସାଂସଦଙ୍କ ମଧ୍ୟରୁ ସୌମ୍ୟ ରଞ୍ଜନ ଓ ଅଚ୍ୟୁତଙ୍କ କାର୍ଯ୍ୟକାଳ ୨୦୨୪ ମସିିହା ଏପ୍ରିଲ ୩ ତାରିଖ ଯାଏଁ ରହିଛି । ସେହିପରି ପ୍ରସନ୍ନ ଓ ପ୍ରତାପଙ୍କ ରାଜ୍ୟସଭାରେ କାର୍ଯ୍ୟକାଳ ୨୦୨୨ ମସିହା ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ ରହିଛି । ତେବେ ଅନୁଭବଙ୍କ କାର୍ଯ୍ୟକାଳ ୨୦୨୦ ମସିହା ଏପ୍ରିଲ ୧ ତାରଖ ଯାଏଁ ରହିଛି ।

ଲୋକସଭାର ବିଜେଡ଼ି ପ୍ରାର୍ଥୀ ଭାବେ ୩ ଜଣ ସାଂସଦ କିନ୍ତୁ ବିଜେପି ପ୍ରାର୍ଥୀଙ୍କୁ କଡ଼ା ଟକ୍କର ଦେବା ନିଶ୍ଚିତ ।

ବରଗଡ଼ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ସୁରେଶ ପୂଜାରୀଙ୍କୁ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କଡ଼ା ଟକ୍କର ଦେଉଥିବା ବେଳେ ସେପଟେ ସାଂସଦ ଅଚ୍ୟୁତ ସାମନ୍ତ ଓ ପୂର୍ବତନ ଉତ୍କଳ ଭାରତ ସଭାପତି ତଥା ବିଜେପି ପ୍ରାର୍ଥୀ ଖାରବେଳ ସ୍ୱାଇଁଙ୍କ ମଧ୍ୟରେ କନ୍ଧମାଳ ଲୋକସଭା ଆସନରେ ତୀବ୍ର ପ୍ରତିଦ୍ୱନ୍ଦ୍ୱତିତା ହେବା ଥୟ ବୋଲି ରାଜନୈତିକ ବିଶାରଦମାନେ ଏବେଠୁ ଆକଳନ କରିଲେଣି ।

ଏବେ ଓଡ଼ିଶାରେ ଚାଲିଥିବା ଏହି ସାଧାରଣ ନିର୍ବାଚନରେ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି ଚର୍ଚ୍ଚିତ କେନ୍ଦ୍ରାପଡ଼ା ଲୋକସଭା ଆସନ । ଏଠାରେ ବିଜେପି ପକ୍ଷରୁ ପୂର୍ବତନ ସାସଦ ବୈଜୟନ୍ତ ପଣ୍ଡା ସାଂସଦ ତଥା ଓଲିଉଡ଼ ସୁପରଷ୍ଟାର୍ ଅନୁଭବ ମହାନ୍ତିଙ୍କୁ କଡ଼ା ଟକ୍କର ଦେବେ ।

କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଆଳି ବିଧାନସଭା ଆସନରେ ବରିଷ୍ଠ ବିଜେଡ଼ି ନେତା ତଥା ରାଜ୍ୟସଭା ସାଂସଦ ପ୍ରତାପ କେଶରୀ ଦେବ ଏବଂ କଂଗ୍ରେସ ପ୍ରାର୍ଥୀ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ହେବ । ତେବେ ଖଣ୍ଡପଡ଼ାରେ ସାଂସଦ ସୌମ୍ୟ ରଞ୍ଜନ ପଟ୍ଟନାୟକ ବିଜେଡ଼ିର ପ୍ରାର୍ଥୀ ଭାବେ ଘୋଷିତ ହେବାପରେ ଏଠାରେ ବିଜେପି ପ୍ରାର୍ଥୀ ସିଦ୍ଧାର୍ଥ ଶେଖର ମର୍ଦ୍ଦରାଜଙ୍କ ସହିତ ପ୍ରତିଦ୍ୱନ୍ଦ୍ୱିତା ତୀବ୍ର ହେବାର ସମ୍ଭାବନା ରହିଛି, କାରଣ ଏବେର ବିଜେଡ଼ି ବିଧାୟକ ଅନୁଭବ ପଟ୍ଟନାୟକ ତାଙ୍କୁ ୨୦୧୪ ନିର୍ବାଚନରେ ଖୁବ୍ ଅଳ୍ପ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ ।

Leave A Reply

Your email address will not be published.