ଯାଜପୁର: ନିକଟରେ ଘଟିଥିବା ପ୍ରଳୟଙ୍କରୀ ବାତ୍ୟା ଫୋନିରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିଲା ବିଦ୍ୟୁତ ସେବା।
ଏହାର ପ୍ରଭାବ ଏତେ ଥିଲା ଯେ,ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ବିଦ୍ୟୁତ ସରବରାହ ସପ୍ତାହ ଯାଏଁ ଠପ ହୋଇଗଲା । ଏଥିରୁ ନିଶ୍ଚିତ ଏହାର ଭୟାବହତା ଉପରେ ଆକଳନ ଲଗାଇ ହେଉଛି ।
ବାତ୍ୟା ପରେ ବିଦ୍ୟୁତ ସରବରାହ ସ୍ବଭାବିକ କରିବା ପାଇଁ ରାଜ୍ୟ ଏବଂ ରାଜ୍ୟ ବାହାରୁ ହଜାର ହଜାର ସଂଖ୍ୟାରେ ବିଦ୍ୟୁତ କର୍ମଚାରୀଙ୍କୁ ବାତ୍ୟା ପ୍ରଭାବିତ ବିଭିନ୍ନ ସ୍ଥାନରେ ନିୟୋଜିତ କରାଯାଇଥିଲା।
ତେବେ ବିଦ୍ୟୁତ୍ କର୍ମଚାରୀଙ୍କ ଏହି ଦଳରେ ସାମିଲ ଥିଲେ ଯାଜପୁର ଜିଲ୍ଲାର ୬୨ ଜଣ କର୍ମଚାରୀ। ଏମାନେ ନେସ୍କୋ ଅଧିନରେ କାର୍ଯ୍ୟରତ ବିଦ୍ୟୁତ କର୍ମଚାରୀ ଅଟନ୍ତି।
ଏହି କାର୍ଯ୍ୟପାଇଁ ସେମାନଙ୍କୁ ଦୈନିକ ୫୫୦ ଟଙ୍କା ମଜୁରି ସହ ମାଗଣା ରହିବା ଖାଇବା ଦିଆଯିବାକୁ କୁହାଯାଇଥିଲା।
ଅନ୍ୟମାନଙ୍କ ସହ ମିଶି ଏହି କର୍ମଚାରୀ ମାନେ ନିଜ ଘରଠାରୁ ଦୂରରେ ରହି ଦିନରାତି ଏକ କରି ବିଦ୍ୟୁତ ସରବରାହକୁ ପୂର୍ବପରି ସାଧାରଣ କରାଇଥିଲେ ।
ସେ ସମୟରେ ସେମାନଙ୍କୁ ନିଜର ପାରିଶ୍ରମିକ ଦିଆନଯାଇ ପରେ ଦିଆଯିବ ବୋଲି କୁହାଯାଇଥିବା କର୍ମଚାରୀ ମାନେ ପ୍ରକାଶ କରିଛନ୍ତି।
ତେବେ ଫୋନି ବାତ୍ୟାକୁ ୬ ମାସ ବିତିଯାଇଥିଲେ ମଧ୍ୟ ବିଦ୍ୟୁତ୍ କର୍ମଚାରୀ ମାନେ ଏଯାଏଁ ସେମାନଙ୍କ ପାଉଣା ପାଇବାରୁ ବଞ୍ଚିତ ହୋଇଛନ୍ତି।
ଅଭିଯୋଗ ମୁତାବକ ଅନ୍ୟ ଜିଲ୍ଲାରୁ ଆସିଥିବା ବିଦ୍ୟୁତ କର୍ମଚାରୀମାନେ ସେମାନଙ୍କ ମଜୁରି ଟଙ୍କା ପାଇ ଯାଇଥିବା ବେଳେ ଯାଜପୁର ଜିଲ୍ଲାରୁ ଯାଇଥିବା ଏହି ୬୨ ଜଣ କର୍ମଚାରୀ ଏଯାଏଁ ମଜୁରି ଟଙ୍କା ପାଇନାହାନ୍ତି।
ଅନ୍ୟପଟେ ସରକାର ଏ ବାବଦର ଅର୍ଥ ସଂପୃକ୍ତ ବିଦ୍ୟୁତ ସରବରାହ ସଂସ୍ଥା ନେସ୍କୋ କୁ ପୈଠ କରିଥିବା ବେଳେ ନେସ୍କୋ ଏହି କର୍ମଚାରୀ ମାନଙ୍କୁ ମଜୁରି ଦେଇନଥିବା ଅଭିଯୋଗ ହେଉଛି ।
ଏନେଇ କର୍ମଚାରୀ ମାନେ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ କୌଣସି ସୁଫଳ ପାଇ ପାରି ନାହାନ୍ତି, ଯାହାକୁ ନେଇ କର୍ମଚାରୀ ମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ଲୋକଙ୍କ ଆବଶ୍ୟକ ସମୟରେ ନିଜର ଦିନରାତି ଏକ କରି ପରିସ୍ଥିତିକୁ ସାଧାରଣ କରିଥିବା ଏହି କର୍ମଚାରୀ ମାନଙ୍କୁ ସେମାନଙ୍କ ପ୍ରାପ୍ୟ ଦେବା ସମୟରେ ଏଭଳି ଅନିୟମିତତା ନିଶ୍ଚିତ ଭାବେ ଏକ ଦୁଃଖଦ ଘଟଣା । ଏହାପ୍ରତି ସରକାର ଦୃଷ୍ଟି ନିକ୍ଷେପ କରିବା ଆବଶ୍ୟକ ।