Latest Odisha News

BREAKING NEWS

ସୁବର୍ଣ୍ଣପୁରରେ ହାତୀ ଉପଦ୍ରବ, ଚିନ୍ତାରେ ଚାଷୀ

ସୁବର୍ଣ୍ଣପୁର : ଗାଁ ମୁହାଁ ହେଉଛନ୍ତି ହାତୀପଲ । ଉଜୁଡ଼ି ଗଲାଣି ଧାନ ଫସଲ । ଚାଷୀ ମୁଣ୍ଡରେ ପଡ଼ିଲା ଚଡ଼କ । ହାତୀ ପଲ ଦିନ ବେଳା ନିକଟସ୍ଥ ଜଙ୍ଗଲରେ ଆଶ୍ରୟ ନେଇଥିବା ବେଳେ ରାତିରେ ଆସି ଧାନ ବିଲ ଗୁଡିକରେ ଧାନ ନଷ୍ଟ କରି ପୁଣି ଜଙ୍ଗଲକୁ ଫେରି ଯାଉଛନ୍ତି  । ହାତୀପଲ ଗାଁ ଛାଡି ଯାଉନଥିବାରୁ ଏବେ ଚିନ୍ତାରେ ପଡିଯାଇଛନ୍ତି ଲୋକେ l ଧାନ ଅମଳ ପୂର୍ବରୁ ହାତୀଙ୍କ ଏଭଳି ଉପଦ୍ରବ ଯୋଗୁଁ  ହଇରାଣ ହେଉଛନ୍ତି ଚାଷୀ ।

ଉଲୁଣ୍ଡା ବନଞ୍ଚଳର ଝାରବାହାଲି ଓ ମାକଡବାହାଲ ଗ୍ରାମରେ ହାତୀ ପଲ ବହୁ ଚାଷୀଙ୍କ ଶହ ଶହ ଏକର ଜମିରେ ଧାନ ଫସଲ ଦଳି ଚକଟି ନଷ୍ଟ କରିଦେଇଛନ୍ତି । ଏହି ହାତୀ ପଲରେ ଛୋଟ ବଡ଼ ହୋଇ ୩୦ଟି ହାତୀ ରହିଥିବା ଜଣାପଡ଼ିଛି । ପ୍ରତିବର୍ଷ ହାତୀ ମାନଙ୍କ ଦ୍ବାରା ଧାନ ଫସଲ ନଷ୍ଟ ହେଉଥିଲେ ମଧ୍ୟ ଜଙ୍ଗଲ ବିଭାଗ ପକ୍ଷରୁ ଚାଷୀଙ୍କୁ କ୍ଷତିପୂରଣ ଯୋଗାଇ ଦିଆଯାଇ ନଥିବା ଅଭିଯୋଗ ହୋଇଛି l ଚାଷୀଙ୍କୁ ସହାୟତା ଯୋଗାଇ ଦେବାର ନିୟମ ରହିଥିଲେ ସୁଦ୍ଧା ବନ ବିଭାଗ ଚାଷୀଙ୍କୁ କ୍ଷତିପୂରଣ ଦେଉନାହାଁନ୍ତି ।

ହାତୀ ଦ୍ବାରା ବ୍ୟାପକ ଫସଲ ନଷ୍ଟ ହୋଇଥିବା ଏହି ଅଞ୍ଚଳର ଚାଷୀ ଏବେ ବନ ବିଭାଗର ସହାୟତା ଅପେକ୍ଷାରେ ରହିଛନ୍ତି l ଏନେଇ ବନ ବିଭାଗ ପକ୍ଷରୁ କୌଣସି ଉଦ୍ୟମ କରାଯାଉ ନଥିବା ବେଳେ କ୍ଷତିପୁରଣ ମଧ୍ୟ ଠିକ୍ ଭାବେ ମିଳୁନଥିବାର ଅଭିଯୋଗ ହୋଇଛି । ଅପରପକ୍ଷରେ ହାତୀ ଘଉଡାଇବାକୁ ବନ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଥିବା ସହ କ୍ଷୟ କ୍ଷତିର ଆକଳନ କରାଯାଇ ସରକାରୀ ବିଧି ବ୍ୟବସ୍ଥା ଭିତରେ ସହାୟତା ପ୍ରଦାନ କରାଯିବା ନେଇ କହିଛନ୍ତି ଉଲୁଣ୍ଡା ରେଞ୍ଜର  ।

Leave A Reply

Your email address will not be published.