Latest Odisha News

ଏହି ସେଲିବ୍ରେଟିଙ୍କ ପାଇଁ ବ୍ଲୁ ଟିକ୍ ସବ୍ସକ୍ରିପ୍‌ସନ ଟଙ୍କା ଦେଉଛନ୍ତି ଏଲନ ମସ୍କ; ଟ୍ୱିଟ୍‌ରେ ଖୁଲାସା

ନୂଆଦିଲ୍ଲୀ: ବ୍ଲୁ ଟିକ୍‌ ସବ୍ସକ୍ରିପ୍‌ସନ୍‌ ଘୋଷଣା ହେବା ପର ଠାରୁ ଯେଉଁ ବିଶିଷ୍ଟ ବ୍ୟାକ୍ତିମାନେ ସବ୍ସକ୍ରିପସନ ନେଇ ନାହାନ୍ତି ସେମାନଙ୍କ ଟ୍ୱିଟର ଆକାଉଣ୍ଟରୁ ବ୍ଲୁ ଟିକ୍ କାଢ଼ି ଦିଆଯାଇଛି। ବଲିଉଡ୍‌ର ଶାହରୁଖ ଖାନ, ସଲମାନ, ଅମିତାଭ ବଚ୍ଚନଙ୍କ ଭଳି ଅନେକ ସେଲିବ୍ରେଟିଙ୍କ ବ୍ଲୁଟିକ୍ ହଟାଇ ଦିଆଯାଇଛି। ସେହିଭଳି ରାଜନୀତିରେ ରାହୁଲ ଗାନ୍ଧୀଙ୍କ ଠାରୁ ଆରମ୍ଭ କରି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଳି ବହୁ ବିଶିଷ୍ଟ ନେତାଙ୍କ ଟ୍ୱିଟର ଆକାଉଣ୍ଟରୁ ବ୍ଲୁ ଟିକ୍ ହଟାଇ ଦିଆଯାଇଛି।

ଦେଶ ବିଦେଶରେ ଅନେକ ସେଲିବ୍ରେଟିଙ୍କ ବ୍ଲୁ ଟିକ୍ ହଟାଇ ଦିଆଯାଇଥିବା ବେଳେ କିଛି ନିର୍ଦ୍ଦିଷ୍ଟ ସେଲିବ୍ରେଟିଙ୍କ ବ୍ଲୁଟିକ୍ ରହିଛି। ଏହି ସେଲିବ୍ରେଟିମାନଙ୍କ ପାଇଁ ଟ୍ୱିଟର ସିଇଓ ଏଲନ ମସ୍କ ଖୋଦ୍ ସବ୍ସକ୍ରିପ୍‌ସନ ଚାର୍ଜ ଦେଉଥିବା ଖବର ସାମ୍ନାକୁ ଆସିଛି। ମସ୍କ ଏହାର ଖୁଲାସା କରିଛନ୍ତି।

ବାସ୍କେଟ୍ ବଲ୍ ଷ୍ଟାର୍ ଲିବ୍ରନ୍ ଜେମ୍ସ ଏବଂ ଲେଖକ ଷ୍ଟିଫେନ କିଙ୍ଗ୍‌ଙ୍କର ବ୍ଲୁଟିକ୍ ପୂର୍ବ ଭଳି ରହିଛି। ପୂର୍ବରୁ ଏହି ଦୁଇ ସେଲିବ୍ରେଟି ବ୍ଲୁ ଟିକ୍‌ ସବ୍ସକ୍ରିପ୍‌ସନ୍‌ ନେବେ ନାହିଁ ବୋଲି ଘୋଷଣା କରିଥିଲେ। ହେଲେ ଗତକାଲି ଅନେକ ସେଲିବ୍ରେଟିମାନଙ୍କ ବ୍ଲୁ ଟିକ୍ ହଟାଇ ଦିଆଯାଇଥିବା ବେଳେ ଲିବ୍ରନ୍ ଜେମ୍ସ ଏବଂ ଷ୍ଟିଫେନ କିଙ୍ଗ୍ସଙ୍କର ବ୍ଲୁଟିକ୍ ପୂର୍ବ ଭଳି ରହିଥିଲା। ଟ୍ୱିଟର ନିଜର ଚେକ୍‌ମାର୍କ ଉପରେ ନଜର ରଖିବାକୁ କିଛି ସେଲିବ୍ରେଟିଙ୍କ ପାଇଁ ନିଜ ଆଡୁ ବ୍ଲୁ ଟିକ୍‌ ସବ୍ସକ୍ରିପ୍‌ସନ୍‌ ଟଙ୍କା ଦେଉଛି ବୋଲି କମ୍ପାନୀ ଘୋଷଣା କରିଛି।

ଆମେରିକା ଲେଖକ ଷ୍ଟିଫେଟନ କିଙ୍ଗ୍ ଏନେଇ ଟ୍ୱିଟ୍ କରିବା ପରେ ଏହି ପୂରା ମାମଲା ସାମ୍ନାକୁ ଆସିଥିଲା।  ସେ ଟ୍ୱିଟ୍ କରି ଲେଖିଥିଲେ ‘ମୋ ଟ୍ୱିଟର ଆକାଉଣ୍ଟ କହୁଛି ଟ୍ୱିଟର ବ୍ଲୁଟିକ୍ ପାଇଁ ମୋର ସବ୍ସକ୍ରାଇବ୍ ହୋଇଯାଇଛି। କିନ୍ତୁ ମୁଁ କରି ନାହିଁ। ମୋ ଟ୍ୱିଟର ଆକାଉଣ୍ଟ କହୁଛି ମୁଁ କାଳେ ତାଙ୍କୁ ଫୋନ୍ ନମ୍ବର ଦେଇଛି। ହେଲେ ମୁଁ ଦେଇ ନାହିଁ।’

ଷ୍ଟିଫେନ୍‌ଙ୍କର ଏହି ଟ୍ୱିଟ୍‌ର ଜବାବ ରଖିଛନ୍ତି ମସ୍କ। ସେ କହିଛନ୍ତି ‘ଆପଣଙ୍କୁ ସ୍ୱାଗତ ନମସ୍ତେ।’ ତା ସହିତ ହାତଯୋଡ଼ିବାର ଏକ ଇମୋଜୀ ବି ଦେଇଛନ୍ତି।

ଅନ୍ୟ ଏକ ଟ୍ୱିଟ୍‌ରେ ମସ୍କ କହିଛନ୍ତି ଯେ କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ପାଇଁ ମୁଁ ବ୍ୟକ୍ତିଗତ ଭାବେ ସବ୍ସକ୍ରିପସନ ଟଙ୍କା ଦେଉଛି। ଓଲିୟମ ଶାଟନର, ଲିବ୍ରନ ଓ କିଙ୍ଗଙ୍କ ପାଇଁ ଟଙ୍କା ଦେଉଥିବା ମସ୍କ ସୂଚନା ଦେଇଛନ୍ତି। ସୂଚନା ଥାଉକି ଗତ ମାସରେ ଟ୍ୱିଟର ବ୍ଲୁ-ଟିକ୍ ନିୟମକୁ ବିରୋଧ କରିଥିଲେ କାନାଡ଼ା ଫିଲ୍ମ ଷ୍ଟାର୍ ଓଲିୟମ ଶାଟନର। ଟ୍ୱିଟର ଏହି ନିୟମ ମାନିବାକୁ ବାଧ୍ୟ କରୁଛି ବୋଲି ସେ ଅଭିଯୋଗ କରିଥିଲେ। ଯେଉଁ ୩ ସେଲିବ୍ରେଟି ଟ୍ୱିଟର ବ୍ଲୁ-ଟିକ୍ ନିୟମକୁ ବିରୋଧ କରିଥିଲେ ସେମାନଙ୍କ ପାଇଁ ମସ୍କ ଟଙ୍କା ଦେଇ ସବ୍ସକ୍ରିପସନ ଫ୍ରି କରାଇବା ଚର୍ଚ୍ଚାରେ ରହିଛି।

ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ମାଇକ୍ରୋସଫ୍ଟ ସହସଂସ୍ଥାପକ ବିଲ୍ ଗେଟ୍ସ, ଟିଭି ଷ୍ଟାର କିମ୍ କାର୍ଦାଶିଆନଙ୍କ ଭଳି ଅନେକ ବିଦେଶ ସେଲିବ୍ରେଟିଙ୍କ ଟ୍ୱିଟରରୁ ବ୍ଲୁ ଟିକ୍ କାଢ଼ି ନିଆଯାଇଛି।

ବ୍ଲୁଟିକ୍ ହରାଇଥିବା କିଛି ଭାରତୀୟ ସେଲିବ୍ରେଟି ହେଲେ- ଶାହାରୁଖ ଖାନ, ସଲମାନ ଖାନ, ହ୍ରିତିକ ରୋସନ, ପରିଣିତି ଚୋପ୍ରା, ପ୍ରିୟଙ୍କା ଚୋପ୍ରା, ଆଲିଆ ଭଟ୍ଟ, ଅଜୟ ଦେବଗନ, ଅମିତାଭ ବଚ୍ଚନ ଓ ଅନ୍ୟମାନେ। ସେହିପରି ରାଜନୀତିରୁ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ଓ ଅନ୍ୟମାନେ।

ସେହିପରି କ୍ରିକେଟରଙ୍କ ମଧ୍ୟରୁ, ସଚିନ ତେନ୍ଦୁଲକର,ବିରେନ୍ଦ୍ର ସେହେୱାଗ୍, ବିରାଟ କୋହଲି, ରୋହିତ ଶର୍ମା, ସୂର୍ଯ୍ୟ କୁମାର ଯାଦବ ଓ ଅନେକ କ୍ରିକେଟରଙ୍କର ବ୍ଲୁଟିକ ହଟାଇ ଦିଆଯାଇଛି। ସେହିପରି ଅନେକ୍ ଟେଲିଭିଜନ ଚ୍ୟାନେଲ୍, ପ୍ରତିଷ୍ଠିତ ସଂସ୍ଥା ଆଦି ବ୍ଲୁଟିକ୍ ହରାଇଛନ୍ତି। ଯେଉଁମାନେ ବ୍ଲୁ ଟିକ୍‌ ସବ୍ସକ୍ରିପ୍‌ସନ୍‌ ନେଇଛନ୍ତି ସେମାନଙ୍କର ଆକାଉଣ୍ଟରେ ଭେରିଫାଏଡ୍ ରହିଛି।

Leave A Reply

Your email address will not be published.