ସିଏମଓରୁ ଫାଇଲ ଗାଏବ ଘଟଣା: ଅବସରପ୍ରାପ୍ତ IAS ଉପେନ୍ଦ୍ର ବେହେରା ଓ ପୂର୍ବତନ IAS ଅଧିକାରୀ ରାଜେଶ ବର୍ମାଙ୍କୁ ନୋଟିସ୍
ଭୁବନେଶ୍ୱର: ସିଏମଓରୁ ଫାଇଲ ଗାଏବ ହେବାର ଜୋରଦାର ତନାଘନା। ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ନାଥ ବେହେରାଙ୍କୁ ନୋଟିସ୍। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଏବଂ ଅନ୍ୟମାନଙ୍କ ହତ୍ୟା ମାମଲାରେ ଜଷ୍ଟିସ୍ ନାଇଡୁ କମିଶନ ରିପୋର୍ଟ ଏବଂ ସମ୍ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣାରେ RDC ଇନକ୍ବାରୀ ରିପୋର୍ଟ ହଜିବା ଘଟଣାରେ କମିଶନରେଟ୍ ପୋଲିସ ତନାଘନା ଚଳାଇଛି। ଏହି ମାମଲାରେ ଅବସରପ୍ରାପ୍ତ ଆଇଏଏସ୍ ଅଫିସର ଉପେନ୍ଦ୍ର ନାଥ ବେହେରାଙ୍କୁ କ୍ୟାପିଟାଲ ଥାନା ପକ୍ଷରୁ ନୋଟିସ୍ କରାଯାଇଛି ।
ଆସନ୍ତା ୨୬ ତାରିଖ ଦିନ ୧୧ଟାରେ ଜୋନ୍-୧ ଏସିପିଙ୍କ ନିକଟରେରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଉପେନ୍ଦ୍ର ଅବସର ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ପ୍ରମୁଖ ସଚିବ ଦାୟିତ୍ୱରେ ଥିଲେ। ସେହିପରି ନୋଟିସ୍ ପାଇ ଥାନାରେ ହାଜର ହୋଇ ନଥିବା ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୂର୍ବତନ ପ୍ରମୁଖ ସଚିବ ରାଜେଶ ବର୍ମାଙ୍କୁ ପୁଣି ଥରେ ନୋଟିସ୍ କରାଯାଇଛି। ଆସନ୍ତା ଜୁଲାଇ ୩୦ ତାରିଖ ସୁଦ୍ଧା ଜୋନ୍-୧ ଏସିପିଙ୍କ କାର୍ଯ୍ୟାଳୟରେ ହାଜର ପାଇଁ ରାଜେଶଙ୍କୁ ନୋଟିସ୍ କରାଯାଇଛି।
ଏହି ମାମଲା ସମ୍ପର୍କିତ ପ୍ରଶ୍ନର ଉତ୍ତର ରଖିବାକୁ ନୋଟିସରେ କୁହାଯାଇଛି। ତେବେ ହାଜର ସମୟରେ ମାମଲା ସମ୍ପର୍କିତ ଦସ୍ତାବିଜ ଓ ଇଲେକ୍ଟ୍ରୋନିକ୍ ଡିଭାଇସ୍ ଆଦି ଆଣିବାକୁ ମଧ୍ୟ ଉଭୟଙ୍କୁ ନୋଟିସ ହୋଇଛି। ମାମଲାର ତଦନ୍ତ ଦାୟିତ୍ବରେ ଥିବା ଅତିରିକ୍ତ ଥାନା ଅଧିକାରୀ ବିପିନ ବିହାରୀ ହୋତାଙ୍କ ପକ୍ଷରୁ ଏହି ଦୁଇ ନୋଟିସ୍ ପଠାଯାଇଛି। ପୂର୍ବ ସରକାର ସମୟରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ଥିବା ଏହି ଦୁଇ ଅଧିକାରୀଙ୍କୁ ନୋଟିସ୍ ଜାରି ନେଇ ଖବର ସାମ୍ନାକୁ ଆସିବା ପରେ ବିଭିନ୍ନ ମହଲରେ ବେଶ୍ ଚର୍ଚ୍ଚା ଜାରି ରହିଛି ।