Latest Odisha News

BREAKING NEWS

ହାତ ଛାଡ଼ିଲେ ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ, ବାଲେଶ୍ବର ସାଂସଦ ପ୍ରାର୍ଥୀ ଭାବେ ଲଢ଼ିବାକୁ ଘୋଷଣା

ଭୁବନେଶ୍ବର: କଂଗ୍ରେସରୁ ଇସ୍ତଫା ଦେଲେ ନୀଳଗିରିର ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ । ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନାଙ୍କ ନାଁରେ ଦୁର୍ବ୍ୟବହାର ଅଭିଯୋଗ ଆଣି ଦଳ ଛାଡିଛନ୍ତି ଚିତ୍ତରଞ୍ଜନ ଷଡ଼ଙ୍ଗୀ । ସେ ତାଙ୍କ ଇସ୍ତଫା ପତ୍ର ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ନିକଟକୁ ପଠାଇ ଦେଇଛନ୍ତି ।

ଏହା ସହିତ ସ୍ୱାଧୀନ ଭାବେ ବାଲେଶ୍ୱର ଲୋକସଭା ଆସନରୁ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଛନ୍ତି । ଶ୍ରୀକାନ୍ତ ଜେନାଙ୍କୁ ଚ୍ୟାଲେଞ୍ଜ ଦେଇ ସେ ବାଲେଶ୍ଵର ଲୋକସଭା ଆସନରୁ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି ।

ଇସ୍ତଫା ଦେବାପରେ ଏକ ସାମ୍ବାଦିକ ସମ୍ମିଳନୀରେ ଚିତ୍ତରଞ୍ଜନ ଷଡ଼ଙ୍ଗୀ କହିଛନ୍ତି ଯେ, ମୋ ରାଜନୀତିକ କ୍ୟାରିୟର କଂଗ୍ରେସରୁ ଆରମ୍ଭ ହୋଇଥିଲା। ମୁଁ କଂଗ୍ରେସକୁ ଭଲ ପାଏ । କିନ୍ତୁ ଏବେ ଦଳରେ ଯାହା ଚାଲିଛି ସେନେଇ ଅତ୍ୟନ୍ତ ଦୁଃଖିତ ହୋଇ ଦଳରୁ ଇସ୍ତଫା ଦେଇଛି । ସେ ଆହୁରି କହିଛନ୍ତି ଯେ, ଶ୍ରୀକାନ୍ତ ଜେନା ଯେଉଁ ଭଳି ଶବ୍ଦ ବ୍ୟବାହର କରି କଥାବାର୍ତ୍ତା କରୁଛନ୍ତି ତାହା ଜମା ଭଲଲାଗେ ନାହିଁ । ଅପରପକ୍ଷରେ ଚିତ୍ତରଞ୍ଜନ ଷଡ଼ଙ୍ଗୀ ଆଣିଥିବା ଅଭିଯୋଗ ନେଇ ଶ୍ରୀକାନ୍ତ ଜେନାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

୧୯୯୦ରେ ସ୍ବାଧୀନ ଭାବେ ନିର୍ବାଚନ ଲଢ଼ି ବିଧାୟକ ନିର୍ବାଚିତ ହୋଇଥିଲେ ଚିତ୍ତରଞ୍ଜନ ଷଡ଼ଙ୍ଗୀ । ତେବେ ୨୦୧୫ରେ କଂଗ୍ରେସରେ ସାମିଲ ହୋଇଥିଲେ ଚିତ୍ତରଞ୍ଜନ ଷଡ଼ଙ୍ଗୀ ।

Leave A Reply

Your email address will not be published.