Latest Odisha News

BREAKING NEWS

ଫେସବୁକ ଆଲର୍ଟରୁ ବଞ୍ଚିଗଲା ଯୁବକଙ୍କ ଜୀବନ

ଓଡ଼ିଶା ସମ୍ବାଦ ବ୍ୟୁରୋ: ସୋସିଆଲ ମିଡିଆରେ ଭିଡିଓ ଲାଇଭ କରି ଆତ୍ମହତ୍ୟା କରିବା ଭଳି ବହୁ ଘଟଣା ସାମ୍ନାକୁ ଆସିଛି। ଏପରି ଘଟଣାରେ ପୀଡିତଙ୍କ ନିକଟକୁ ଠିକ ସମୟରେ ପହଞ୍ଚିବା ସମ୍ଭବପର ହେଉନାହିଁ। ତେବେ ଏପରି କ୍ଷେତ୍ରରେ ଉତ୍ତର ପ୍ରଦେଶର ଲକ୍ଷ୍ନୌ ଡିଜିପି ମୁଖ୍ୟାଳୟକୁ ଫେସବୁକ ଏକ ନୂଆ ଏସଓଏସ ପଠାଇଛି। ଯାହା ଦ୍ୱାରା ଭିଡିଓ ଲାଇଭ କରି ଆତ୍ମହତ୍ୟା କରୁଥିବା ବ୍ୟକ୍ତିଙ୍କ ଜୀବନ ବଞ୍ଚାଇ ପାରିବ ପୋଲିସ।

ଲକ୍ଷ୍ନୌର ଡିଜିପି ମୁଖ୍ୟାଳୟରେ ଥିବା ସୋସିଆଲ ମିଡିଆ କେନ୍ଦ୍ରକୁ ଫେସବୁକ ଏକ SOS ପଠାଇଛି। ଯାହାକୁ ବ୍ୟବହାର କରି ପୋଲିସ ଜଣେ ପରୀକ୍ଷା ପ୍ରାର୍ଥୀଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଛି। ସୂଚନାଥାଉକି ଲକ୍ଷ୍ନୌରେ ଜଣେ 29 ବର୍ଷିୟ NEET ପ୍ରାର୍ଥୀ ବିଷାକ୍ତ ପଦାର୍ଥ ଖାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରି ଫେସବୁକରେ ଏକ ପୋଷ୍ଟ ସେୟାର କରିଥିଲେ। ତତକ୍ଷଣାତ୍ ସେହି ମୁହୂର୍ତ୍ତରେ ପୋଲିସ କାର୍ଯ୍ୟାଳୟକୁ ଫେସବୁକ ଆଲର୍ଟ ଗଲା। ଠିକ ସମୟରେ ଅତିରିକ୍ତ ସିପି (ପଶ୍ଚିମ) ଚିରଞ୍ଜୀବ ନାଥ ସିହ୍ନା ତୁରନ୍ତ ପରୀକ୍ଷା ପ୍ରାର୍ଥୀଙ୍କ ଘରକୁ ଯାଇ ତାଙ୍କୁ ବଞ୍ଚାଇ ପାରିଥିଲେ।

ରିଅଲ ଟାଇମ ଆଲର୍ଟ ଏବଂ ଆତ୍ମହତ୍ୟା ମାମଲାର ତଦନ୍ତ ପାଇଁ କାର୍ଯ୍ୟାନୁଷ୍ଠାନ ମାଧ୍ୟମରେ ମୂଲ୍ୟବାନ ଜୀବନ ବଞ୍ଚାଇବା ଲାଗି ଉତ୍ତରପ୍ରଦେଶ ପୋଲିସ ଓ ସୋସିଆଲ ନେଟୱାର୍କିଂ ସାଇଟ ମଧ୍ୟରେ ହୋଇଥିବା ଚୁକ୍ତିନାମାର ଏହା ଥିଲା ଏକ ଅଂଶ। ଚୁକ୍ତିନାମା ଅନୁଯାୟୀ, ଯେକୌଣସି ବ୍ୟକ୍ତି ଆତ୍ମହତ୍ୟା କରିବା ଉଦ୍ଦେଶ୍ୟରେ ସୋସିଆଲ ମିଡିଆରେ କିଛିବି ପୋଷ୍ଟ କରନ୍ତି, ତେବେ ସଂପୃକ୍ତ ସାଇଟ୍ ପୋଲିସ ନିୟନ୍ତ୍ରଣ କକ୍ଷକୁ ସତର୍କ ସୂଚନା ପ୍ରଦାନ କରିବ ଏବଂ ତୁରନ୍ତ ସହାୟତା ଯୋଗାଇ ଦିଆଯିବ।

ଅତିରିକ୍ତ ମହାନିର୍ଦ୍ଦେଶକ ଆଇନ ଏବଂ ଶୃଙ୍ଖଳା ପ୍ରଶାନ୍ତ କୁମାର କହିଛନ୍ତି ଯେ ଏହି ସୂଚନା ତୁରନ୍ତ ଲକ୍ଷ୍ନୌ ପୋଲିସ କମିଶନରଙ୍କ ନିକଟକୁ ପଠାଯାଇଛି ଏବଂ ସେମାନଙ୍କୁ ଏହି ଘଟଣାରେ କାର୍ଯ୍ୟ କରିବାକୁ କୁହାଯାଇଛି। ସେ ଆହୁରୀ କହିଛନ୍ତି ଯେ ଆତ୍ମହତ୍ୟା ସହ ଜଡିତ ସୋସିଆଲ ମିଡିଆ ପୋଷ୍ଟ’ର ତୁରନ୍ତ ଜବାବ ଦେବା ଏବଂ ଏପରି ବାର୍ତ୍ତା ପୋଷ୍ଟ କରୁଥିବା ଲୋକଙ୍କ ଜୀବନ ରକ୍ଷା କରିବା ପାଇଁ ଆମେ ସମସ୍ତ ପୋଲିସ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛୁ। ଫେସବୁକ୍ ଆମ ସହ ସହଭାଗୀ ହୋଇଛି ଯାହା ଦ୍ୱାରା ଆମେ ଶୀଘ୍ର ପଦକ୍ଷେପ ନେଇପାରିବା।

Leave A Reply

Your email address will not be published.