Latest Odisha News

ଫେସବୁକ ଜରିଆରେ ୫୦ ହଜାରରୁ ଅଧିକ ଲୋକଙ୍କୁ ଟାର୍ଗେଟ୍

ନୂଆଦିଲ୍ଲୀ : ଫେସବୁକ ଜରିଆରେ ୫୦ ହଜାରରୁ ଅଧିକ ଲୋକଙ୍କୁ ଟାର୍ଗେଟ୍ । ଏଥିରେ ସାମିଲ ହୋଇଛନ୍ତି ୭ରୁ ଅଧିକ ଘରୋଇ ଗୁଇନ୍ଦା କମ୍ପାନୀ । ଏନେଇ ତଥ୍ୟ ପ୍ରକାଶ କରିଛି ଫେସବୁକର ମୂଳ କମ୍ପାନୀ ମେଟା ପ୍ଲାଟଫର୍ମ । ଡିଜିଟାଲ ଗୁଇନ୍ଦାଗିରି ନେଇ ଆମେରିକୀୟ ଟେକ୍ କମ୍ପାନୀ, ଆଇନ ପ୍ରଣେତା ଓ ଜୋ ବିଡେନ ପ୍ରଶାସନ ପକ୍ଷରୁ ଖୋଳତାଡ କରିବା ପରେ ଫେସବୁକ ଏହି ସ୍ପାଏ ଫାର୍ମ ସମ୍ପର୍କରେ ଅନୁଧ୍ୟାନ କରିଥିଲା । ଗତମାସରେ ସ୍ପାଏ ସଫ୍ଟଓ୍ବେର କମ୍ପାନୀ ଏନଏସଓକୁ ଆମେରିକା କଳା ତାଲିକାଭୁକ୍ତ କରିବା ପରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି ।

କିଛିଦିନ ତଳେ ଏନଏସଓ ବିରୋଧରେ ମେଟା ପକ୍ଷରୁ ଆମେରିକୀୟ କୋର୍ଟରେ ମାମଲା ଦାଏର ହୋଇଥିଲା । ମେଟା ପକ୍ଷରୁ କୁହାଯାଇଛି ଯେ, ଫେସବୁକ, ଇନଷ୍ଟାଗ୍ରାମ ଓ ହ୍ବାଟସଆପ୍ ଜରିଆରେ ୭ଟି ସଂଗଠନ ପକ୍ଷରୁ ଜାରି ରହିଥିବା ୧୫୦୦ରୁ ଅଧିକ ଫେକ୍ ଆକାଉଣ୍ଟକୁ ସସପେଣ୍ଡ କରାଯାଇଛି । ୧୦୦ରୁ ଅଧିକ ରାଷ୍ଟ୍ରରେ ୫୦ ହଜାରରୁ ଅଧିକ ଲୋକଙ୍କୁ ଟାର୍ଗେଟ କରାଯାଇଥିଲା । ଏହି ୭ଟି ସଂଗଠନ ମଧ୍ୟରେ ରହିଛି ଇସ୍ରାଏଲର ବ୍ଲାକ କ୍ୟୁବ । ଏହା ଜରିଆରେ ଅନେକ ଜାଲ୍ ଆକାଉଣ୍ଟ ସୃଷ୍ଟି କରାଯାଇ ଲୋକଙ୍କୁ ଟାର୍ଗେଟ କରାଯାଇଥିଲା । ସେହିପରି ଏକ ଭାରତୀୟ ସାଇବର ଫାର୍ମ ବେଲଟ୍ରକ୍ସ, ଇସ୍ରାଏଲ କମ୍ପାନୀ ବ୍ଲୁହକ ସିଆଇ, ୟୁରୋପୀୟ ଫାର୍ମ ସାଇଟ୍ରକ୍ସ ଏଥିରେ ସାମିଲ ଥିବା କୁହାଯାଇଛି । ବିଭିନ୍ନ ସ୍ପାଏ ଫାର୍ମ ଜରିଆରେ ସେଲିବ୍ରିଟି, ରାଜନୀତିଜ୍ଞ, ସାମ୍ବାଦିକ, ଓକିଲ, ଅଫିସର, କିଛି ନାଗରିକଙ୍କୁ ଟାର୍ଗେଟ କରାଯାଇଥିବା ମେଟା କହିଛି ।

Leave A Reply

Your email address will not be published.