ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ମହାବିଜୟ ପରେ ବି ସରୁନି ମହାୟୁତିର ଟେନସନ୍ । ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ ଓ ଏକନାଥ ସିନ୍ଦେଙ୍କ ମଧ୍ୟରେ ଦୂରତା ବଢିବାରେ ଲାଗିଛି । ଫଡନାବିସଙ୍କ ଅଧୀନରେ ଗୃହ ମନ୍ତ୍ରାଳୟ ଆସୁଥିବା ବେଳେ ମଙ୍ଗଳବାର ସିନ୍ଦେଙ୍କ ଶିବସେନାର ୨୦ଜଣ ବିଧାୟକଙ୍କ ଓ୍ବାଇ ଶ୍ରେଣୀର ସୁରକ୍ଷା ପ୍ରତ୍ୟାହାର କରାଯାଇଛି । ବିଜେପି ଓ ଅଜିତ ପାଓ୍ବାରଙ୍କ ଏନସିପିର କିଛି ବିଧାୟକଙ୍କ ସୁରକ୍ଷା ହ୍ରାସ କରାଯାଇଛି । ତେବେ ସେମାନଙ୍କ ସଂଖ୍ୟା କମ୍ । ୨୦୨୨ରେ ଉଦ୍ଧବ ଠାକରେଙ୍କ ଶିବସେନାରୁ ଅଲଗା ହେବା ପରେ ବିଧାୟକଙ୍କୁ ଓ୍ବାଇ ଶ୍ରେଣୀର ସୁରକ୍ଷା ଦିଆଯାଇଥିଲା । ତେବେ ଏହାକୁ ପ୍ରତ୍ୟାହାର କରିବା ସହ ସିନ୍ଦେଙ୍କ ଶିବସେନା ଓ ବିଜେପି ମଧ୍ୟରେ ଟେନସନ୍ ବଢିପାରେ ବୋଲି ଚର୍ଚ୍ଚା ହେଉଛି ।
ଶିବସେନା, ବିଜେପି ମଧ୍ୟରେ ବଢୁଛି କି ଦୂରତା ?
ଏକଥା ସତ ଯେ, ପୂର୍ବରୁ ମୁଖ୍ୟମନ୍ତ୍ରୀ ରହିଥିବା ଏକନାଥ ସିନ୍ଦେ ଉପମୁଖ୍ୟମନ୍ତ୍ରୀ ପଦ ପାଇ ସନ୍ତୁଷ୍ଟ ନାହାନ୍ତି। ତେବେ ଦିନକୁ ଦିନ ସିନ୍ଦେଙ୍କ ଅସନ୍ତୋଷ ବଢିବା ସହ ତାଙ୍କ ନେତୃତ୍ବାଧୀନ ଶିବସେନା ସହ ବିଜେପିର ଦୂରତା ବଢୁଥିବା କୁହାଯାଉଛି । ଏହାକୁ ନେଇ କଟାକ୍ଷ କରିଛନ୍ତି ଉଦ୍ଧବ ଠାକରେଙ୍କ ଶିବସେନା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ । ମହାୟୁତି ଭାଲେଣ୍ଟାଇନ୍ସ ମାସ ପାଳନ କରୁଥିବା ସେ ଟ୍ବିଟ୍ କରିଛନ୍ତି । ପୂର୍ବରୁ ମଧ୍ୟ ଶିବସେନା ମୁଖପାତ୍ର କୁହାଯାଉଥିବା ସାମନାରେ ଫଡନବିସ୍ ଓ ସିନ୍ଦେଙ୍କ ମଧ୍ୟରେ ମତଭେଦ ଥିବା ନେଇ ସଂପାଦକୀୟ ପ୍ରକାଶ ପାଇଥିଲା । ତେବେ ବିଜେପି ସହ ଶୀତଳ ଯୁଦ୍ଧକୁ ଖଣ୍ଡନ କରିଛନ୍ତି ଏକନାଥ ସିନ୍ଦେ । ଏହା ମହାବିକାଶ ଅଘା଼ଡି କି ଇଣ୍ଡିଆ ମେଣ୍ଟ ନୁହେଁ । ମହାରାଷ୍ଟ୍ରର ବିକାଶକୁ ବିରୋଧ କରୁଥିବା ଲୋକଙ୍କ ସହ ଆମର ଯୁଦ୍ଧ ବୋଲି ସିନ୍ଦେ କହିଛନ୍ତି ।
ସରୁନି ସିନ୍ଦେଙ୍କ ଅସନ୍ତୋଷ
ମହାରାଷ୍ଟ୍ର ନିର୍ବାଚନ ଫଳାଫଳ ଆସିବା ପରଠୁ ହିଁ ସିନ୍ଦେ ନିଜ ଅସନ୍ତୋଷ ଜାହିର କରିଛନ୍ତି । ପୂର୍ବରୁ ମୁଖ୍ୟମନ୍ତ୍ରୀ ଥିବା ବେଳେ ସିନ୍ଦେଙ୍କୁ ଏଥର ଡିମୋସନ୍ ମିଳିଥିଲା । ଖାଲି ସେତିକି ନୁହେଁ ଅଜିତ ପାଓ୍ବାରଙ୍କୁ ତାଙ୍କ ପସନ୍ଦର ଅର୍ଥ ମନ୍ତ୍ରାଳୟ ମିଳିଥିବା ବେଳେ ସିନ୍ଦେଙ୍କୁ ଗୃହ ମନ୍ତ୍ରାଳୟ ମିଳିନଥିବାରୁ ତାଙ୍କର ଅସନ୍ତୋଷ ବଢିଥିବା କୁହାଯାଉଛି । ଆଉ ସିନ୍ଦେଙ୍କ ଅସନ୍ତୋଷ ସରକାରୀ ବୈଠକରେ ବି ଦେଖିବାକୁ ମିଳୁଛି । କେତେବେଳେ ସେ ଫଡନାବିସଙ୍କଠାରୁ ଦୂରେଇ ବସୁଛନ୍ତି ତ କେତେବେଳେ ଅନଲାଇନରେ ସାମିଲ ହେଉଛନ୍ତି । ଗୁରୁତ୍ବପୂର୍ଣ୍ଣ ଫାଇଲ୍ କ୍ୟାବିନେଟରେ ଉପସ୍ଥାପନ କରିବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଫଡନାବିସ । ପୂର୍ବରୁ ବିଭାଗୀୟ ଫାଇଲ୍ ସିଧାସଳଖ କ୍ୟାବିନେଟ୍ ବୈଠକରେ ଆସୁଥିଲା । ଏହାକୁ ନେଇ ବି ସିନ୍ଦେ ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ହେଉଛି । ଏପରିକି ଫଡନାବିସଙ୍କ କୁମ୍ଭମେଳା ବୈଠକରେ ବି ଯୋଗ ଦେଇନଥିଲେ ସିନ୍ଦେ ।
କାହିଁକି ଚିନ୍ତାରେ ବିଜେପି?
ବିଜେପି ଗତ ବିଧାନସଭା ନିର୍ବାଚନରେ ୧୩୨ଟି ସିଟ୍ ଜିତିବା ସହ ରାଜ୍ୟରେ ସବୁଠୁ ବଡ଼ ଦଳ ହୋଇଛି । ବହୁମତ ପାଇଁ ମାତ୍ର ୧୩ଜଣ ବିଧାୟକ ଆବଶ୍ୟକ । ମେଣ୍ଟ ସହଯୋଗୀ ଅଜିତ ପାଓ୍ବାର ବି ବିଜେପି ସମର୍ଥନରେ ରହିଛନ୍ତି । ତେବେ ପ୍ରଶ୍ନ ଉଠୁଛି, ଏହାପରେ ବି କାହିଁକି ଚିନ୍ତାରେ ବିଜେପି? ନିକଟରେ ଏମଏନଏସ ମୁଖ୍ୟ ରାଜଠାକରେ ଓ ଉଦ୍ଧବ ଠାକରେଙ୍କ ଶିବସେନା ନେତାଙ୍କୁ ଫଡନାବିସ ଭେଟିବା, କେଉଁଠି ନା କେଉଁଠି ବିଜେପିର ଚିନ୍ତାକୁ ପଦାରେ ପକାଇଛି । ଲାଗୁଛି ଶିବସେନା ବିରୋଧରେ ବିଜେପିର ମିଶନ୍ ଏବେବି ଅଧୁରା ରହିଛି । ଫରକ ଏତିକି, ଉଦ୍ଧବ ଠାକରେଙ୍କ ସ୍ଥାନ ଏକନାଥ ସିନ୍ଦେ ନେଇଛନ୍ତି । ଆଉ ବିଜେପିର ଚ୍ୟାଲେଞ୍ଜ ଏବେବି ସରିନାହିଁ ।
Comments are closed.