ଫକୀର ମୋହନ ସେନାପତି ; ଗତକାଲି, ଆଜି ଓ ଆସନ୍ତାକାଲି

 

“ଛ ମାଣ ଆଠ ଗୁଣ୍ଠ” ଧୋଇ ମରୁଡି କାହିଁରେ ନଷ୍ଟ ହେବନାହିଁ”- ୟେ ଥିଲା ୧୯୧୮ ମସିହାରେ ଫକୀର ମୋହନ ସେନାପତିଙ୍କ ମୃତ୍ୟୁ ପରେ “ସତ୍ୟବାଦୀ” ପତ୍ରିକା-ଏପ୍ରିଲ-ଜୁନ ସଂଖ୍ୟାରେ ପ୍ରକାଶିତ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଶୋକ ଆଲେଖ୍ୟର ଶେଷ ଧାଡି। ୭୬ ବର୍ଷ ବୟସରେ ମୃତ୍ୟୁବରଣ କରିଥିବା ଫକୀର ମୋହନ ସେନାପତି (୧୪, ଜାନୁଆରୀ,୧୮୪୩ -୧୪, ଜୁନ,୧୯୧୮, ମଲ୍ଲିକାଶପୁର, ବାଲେଶ୍ବର)ଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଯାଇ ସେତେବେଳେ ପଣ୍ଡିତ ଗୋପବନ୍ଧୁ ଯେଉଁ ଛୋଟିଆ ଶୋକ ଆଲେଖ୍ୟ ଟି ଲେଖିଥିଲେ, ତାହା ଫକୀର ମୋହନଙ୍କ ବ୍ୟକ୍ତିତ୍ବ ଓ ସାହିତ୍ୟ ସମ୍ପର୍କରେ ଆଜିଯାଏଁ ଲେଖା ହୋଇଥିବା ସବୁଠୁ ଭଲ ଆଲୋଚନା। ଫକୀର ମୋହନଙ୍କ କାଳଜୟୀ ଉପନ୍ୟାସ “ଛ ମାଣ ଆଠ ଗୁଣ୍ଠ” ଉପନ୍ୟାସ କୌଣସି ବିପର୍ୟୟରେ ବି ନଷ୍ଟ ହେବନାହିଁ ବୋଲି ଇଙ୍ଗିତ କରି ପଣ୍ଡିତ ଗୋପବନ୍ଧୁ ଯାହା କହିଥିଲେ, ତାହା ଅକ୍ଷରେ ଅକ୍ଷରେ ସତ୍ୟ ପ୍ରମାଣିତ ହୋଇଛି। ଚାଷା, ଚାଷୀ ଓ ଭୂମି ଅଧିକାର କଥା ଯେ ପର୍ୟନ୍ତ ଏ ପୃଥିବୀରେ ଥିବ, ସେ ଯାଏଁ ଫକୀର ମୋହନଙ୍କ “ସାରିଆ ଓ ଭଗିଆ” ବଞ୍ଚିଥିବେ। ଜମି ଅଧିକାର ଲାଗି ସେବେ ଜମିଦାର ରାମଚନ୍ଦ୍ର ମଙ୍ଗରାଜ ବିରୋଧରେ ସାରିଆ ଓ ଭଗିଆ ଲଢୁଥିଲେ। ଆଜି ସେଇ ସଂଘର୍ଷ ସରକାର ଓ କମ୍ପାନୀ ବିରୋଧରେ ପରିବର୍ତ୍ତିତ ହୋଇ ଚାଲିଛି। ଫକୀର ମୋହନଙ୍କ ମୃତ୍ୟୁର ୧୦୩ ବର୍ଷ ପରେ ମଧ୍ୟ ଫକୀର ମୋହନ ଅଛନ୍ତି। ଭାରତୀୟ ସାହିତ୍ୟରେ ଫକୀର ମୋହନ ଭୂମି ଅଧିକାରକୁ ନେଇ ଏକ ଶାଶ୍ଵତ ଆଂଦୋଳନର ମହାନାୟକ। ତେଣୁ ଧୋଇ ମରୁଡିରେ ତାଙ୍କର କୃତି କ୍ଷୟ ହୋଇନାହିଁ।

ଓଡିଆ ସାହିତ୍ୟରେ ଫକୀର ମୋହନ ଅମର ହୋଇ ରହିବାର ତିନୋଟି କାରଣ ପଣ୍ଡିତ ଗୋପବନ୍ଧୁ ଉଲ୍ଲେଖ କରିଥିଲେ-

୧- ଫକୀର ମୋହନ ଯଥାର୍ଥ ଓଡିଆ ଥିଲେ ଏବଂ ଓଡିଆ ଜାତିର ନାଡୀ, ଶିରା, ପ୍ରଶିରାର ଗତି ଉତ୍ତମ ରୂପେ ଜାଣିଥିଲେ। ତେଣୁ ସେ ଓଡିଆର ଭାଷାରେ ଓଡିଆର ପ୍ରାଣର କଥା ଲେଖି ଯାଇଛନ୍ତି।

୨- ସେ ତାଙ୍କ ଭାବକୁ ସାହିତ୍ୟର ଭାଷାରେ ଅନୁବାଦ କରି ଲେଖି ନାହାନ୍ତି। ଯାହା ଯେପରି ଭାବିଛନ୍ତି, ଯେପରି ଶୁଣିଛନ୍ତି, ତାହାସବୁ ଅବିକଳ ସେହିପରି ଲେଖିଛନ୍ତି।

୩- ସେ ବଙ୍ଗଳା ଅନୁକରଣରେ ଓଡିଆ ସାହିତ୍ୟ ଗଢିବାର ପ୍ରୟାସ କରିନାହାନ୍ତି।

ପଣ୍ଡିତ ଗୋପବନ୍ଧୁଙ୍କ ଦ୍ଵାରା ରେଖାଙ୍କିତ ଏଇ ତିନୋଟି ସତ୍ୟ ଫକୀର ମୋହନଙ୍କୁ ଚିହ୍ନିବା ଲାଗି ଏକପ୍ରକାର ଦିଗବାରେଣୀ ଭାବରେ କାମ କରିବ। ଓଡିଆ ସାହିତ୍ୟରେ ଅନେକ କିଛି ନୂଆ ଓ ପ୍ରଥମ କାମ ସେ କରିଥିଲେ। ପ୍ରଥମ କ୍ଷୁଦ୍ରଗଳ୍ପ “ରେବତୀ” ଓ ପ୍ରଥମ ଆତ୍ମଜୀବନୀ ଲେଖକ ଭାବରେ ସେ ଇତିହାସ ତିଆରି କରିଛନ୍ତି। ତେବେ ପ୍ରଥମ ଲେଖା ଓ ସବୁଦିନ ଲାଗି ବଞ୍ଚି ରହିଥିବା ଲେଖା ଏକାକଥା ନୁହେଁ। ଯଦିଓ ଓଡିଆ ଭାଷାରେ ପ୍ରଥମ ପ୍ରକାଶିତ ଉପନ୍ୟାସ “ପଦ୍ମମାଳୀ”, ତେବେ ବାସ୍ତବ ଉପନ୍ୟାସର ପ୍ରଥମ ଲେଖକ ଫକୀର ମୋହନ। ଓଡିଆ ସାହିତ୍ୟରେ ସେ ଗଦ୍ୟଭାଷାର ପ୍ରଥମ ନାୟକ। ଓଡିଆ ଗଳ୍ପ, ଉପନ୍ୟାସ, ଇତିହାସ ରଚନା, ଅନୁବାଦ ଓ ସାମ୍ବାଦିକତାକୁ ସେ ପ୍ରାଥମିକ ଭାଷା ଦେଇଛନ୍ତି।

ଫକୀର ମୋହନ ସେନାପତିଙ୍କ ସାହିତ୍ୟିକ ଅବଦାନକୁ ନେଇ ହଜାର ହଜାର ପୃଷ୍ଠା ଲେଖା ହୋଇଛି ଓ ଆଗକୁ ମଧ୍ୟ ଲେଖାହେବ। ତା ସହିତ ଆଜିର ମିଲେନିୟମରେ ଜନ୍ମ ହୋଇଥିବା ପିଲାଙ୍କର କିଛି ସମ୍ପର୍କ ରହିଛି କି? ଆଜିର ପିଲା ଫକୀର ମୋହନଙ୍କୁ କେମିତି ନିଜର ବୋଲି ଭାବିବେ? ଏ ପ୍ରଶ୍ନର ସହଜ ଉତ୍ତର ହେଉଛି, ଯେତେବେଳେ ବି ଭାରତରେ ବା ପୃଥିବୀର ଯେ କୌଣସି ଦେଶରେ ଚାଷୀଟିଏ ନିଜ ଜମି ବଞ୍ଚାଇବାକୁ ରାସ୍ତାରେ ଠିଆ ହେବ, ସେଠାରେ ଫକୀର ମୋହନ ମଧ୍ୟ ଠିଆ ହୋଇଥିବେ। ଯେଉଁଠି ନାରୀ ପୁରୁଷର ସମାନତା କଥା ଉଠିବ, ସେଠାରେ ଫକୀର ମୋହନଙ୍କ ରେବତୀ, “ପେଟେଣ୍ଟ ମେଡ଼ିସିନ” ର ସାଆନ୍ତାଣୀ, “ବିରେଇ ବିଶାଳ” ର କମଳି ମାନେ ନିଶ୍ଚୟ ରହିବେ। ପ୍ରଥମ ଓଡିଆ ଗପ ଓ ପ୍ରଥମ ସମୟର ଉପନ୍ୟାସରେ ସବୁଠୁ ଶକ୍ତିଶାଳୀ ନାରୀ ଚରିତ୍ର ସେ ତିଆରି କରିଥିଲେ।

ଧାର୍ମିକ ଉନ୍ମାଦନା ଓ ସାମ୍ପ୍ରଦାୟିକ ବିଦ୍ଵେଷ ଉପରେ ତାଙ୍କର ପ୍ରଚଣ୍ଡ ପ୍ରହାର, ଆଜିର ଶାସକମାନଙ୍କୁ ମଧ୍ୟ ବାଧିବ। “ଛ ମାଣ ଆଠଗୁଣ୍ଠ” ର “ବାଡି ସଂହାରିଣୀ” ଗ୍ରାମ ଦେବୀଙ୍କୁ ନେଇ କଟାକ୍ଷ କରିବା ଠୁ “ଧୂଳିଆ ବାବା” ଗପରେ ଧାର୍ମିକ ଭାଣ୍ଡାମି ଉପରେ ସେ ତୀବ୍ର ପ୍ରହାର କରିଥିଲେ। ଦେଢ ଶହ ବର୍ଷ ଆଗରୁ ସେ ଯେଉଁ ଚରିତ୍ରମାନଙ୍କୁ ଗଢି ଦେଇ ଯାଇଛନ୍ତି, ସେମାନେ ଆଜି ମଧ୍ୟ ବେଶ ପୋଷାକ ବଦଳାଇ ଆମ ସାଙ୍ଗରେ ଅଛନ୍ତି। ୨୦୨୧ ମସିହାରେ ଆଜି ମଧ୍ୟ ଆପଣ ଦିଲ୍ଲୀ –ହରିୟାନା ସୀମାନ୍ତରେ ବସିଥିବା ଚାଷୀର ମୁହଁରେ ଫକୀର ମୋହନଙ୍କୁ ପାଇବେ। କରୋନା ମହାମାରୀ ସମୟରେ ଆପଣ “ରେବତୀ” ଗପର ହଇଜା ଆକ୍ରାନ୍ତ ଜୀବନକୁ ମନେ ପକେଇବେ।

ଫକୀର ମୋହନ ସଚେତନ ଭାବରେ ଶୋଷଣ ବିରୋଧରେ ରାଜନୈତିକ ଆଂଦୋଳନର ଚିତ୍ର ଦେଇ ନାହାନ୍ତି। ତାଙ୍କୁ ରାଜନୈତିକ ବିଚାରରେ ଆକଳନ କଲେ, ସେ ଅଲଗା ଦିଶିପାରନ୍ତି। ସେ ନିଷ୍ଠାପର ଭାବରେ ନିଜ ସମୟକୁ ଲିପିବଦ୍ଧ କରିଛନ୍ତି। କେହି କେହି ତାଙ୍କୁ ରାଜତନ୍ତ୍ର ଓ ଉପନିବେଶବାଦର ସମର୍ଥକ ବୋଲି କହନ୍ତି। ହେଲେ ନିଜ ରଚନାରେ ସେ ମଣିଷର କଥାକାର। ତାଙ୍କ ଗଳ୍ପରେ ଶୋଷଣ ଓ ବୈଷମ୍ୟ ବିରୋଧରେ ପ୍ରଚଣ୍ଡ ପ୍ରହାର ରହିଥିଲା ଓ ସେ ପ୍ରହାରର ପ୍ରତିଫଳନ ଆଜି ମଧ୍ୟ ଆମେ ଶୁଣିପାରୁଛୁ।

ଫକୀର ମୋହନ ସେନାପତି ଇତିହାସର କଥାପୁରୁଷ ନୁହନ୍ତି, ସେ ଆଜିର ଓ ଆସନ୍ତାକାଲିର କଥାକାର ମଧ୍ୟ!! ଧୋଇ ମରୁଡି ମହାମାରୀ, କେହି ତାଙ୍କୁ ଲିଭେଇ ପାରିବେ ନାଇଁ।