Latest Odisha News

BREAKING NEWS

କରୋନା ପାଇଁ ବାତିଲ ହେଲା ସ୍ପେନର ପ୍ରସିଦ୍ଧ ଟମାଟୋ ଫିଙ୍ଗା ପର୍ବ ‘ଲା ଟମାଟିନା’

ବୁନୋଲ୍‌ (ସ୍ପେନ): କରୋନା ସଂକ୍ରମଣ ପାଇଁ ସ୍ପେନର ପ୍ରସିଦ୍ଧ ଟମାଟୋ ଫିଙ୍ଗା ପର୍ବ ‘ଲା ଟମାଟିନା’ ବାତିଲ୍ ହୋଇଥିବା ଘୋଷଣା କରାଯାଇଛି । ବର୍ତ୍ତମାନ ସ୍ପେନରେ କରୋନା ମହାମାରୀ ରୂପ ନେଇଥିବାରୁ ଅଗଷ୍ଟ ମାସରେ ହେବାକୁ ଥିବା ଏହି ଉତ୍ସବକୁ ବାତିଲ କରାଯାଇଛି ।

ସହସ୍ରାଧିକ ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଥିବା ଏହି ସ୍ୱତନ୍ତ୍ର ଉତ୍ସବକୁ ନେଇ ପ୍ରତିବର୍ଷ ବିଶ୍ୱର କୋଣ ଅନୁକୋଣରୁ ପର୍ଯ୍ୟଟକଙ୍କ ଉତ୍ସାହ ପରିଲକ୍ଷିତ ହୋଇଥାଏ । ସ୍ପେନ ସରକାରଙ୍କ ପକ୍ଷରୁ ଏହାକୁ ଆନ୍ତର୍ଜାତୀୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଥିବା ପ୍ରମୁଖ ଉତ୍ସବର ମାନ୍ୟତା ଦିଆଯାଇଛି ।

ଏହି ଉତ୍ସବକୁ ବିଶ୍ୱର ଅନେକ ସିନେମାରେ ସ୍ଥାନ ମଧ୍ୟ ମିଳିଛି । ଲୋକପ୍ରିୟ ବଲିଉଡ୍ ସିନେମା ‘ୟେ ଜିନ୍ଦେଗୀ ନା ମିଲେଗୀ ଦୋବରା’ ରେ ସ୍ପେନ୍‌ର ରାଜରାସ୍ତାରେ ବିଛେଇ ହୋଇ ପଡିଥିବା ଟନ୍ ଟନ୍ ଟମାଟୋକୁ ନେଇ ହେଉଥିବା ଏହି ଉତ୍ସବର ଝଲକ ଦେଖିବାକୁ ମିଳିଥିଲା । ଏଥିରେ ହ୍ରିତିକ୍ ରୋଶନ, କଟ୍‌ରିନା କୈଫ୍ ଓ ଅଭୟ ଦେଓଲ୍‌ ଏହି ଟମାଟୋ ଉତ୍ସବର ମଜାନେଇ ପରସ୍ପରକୁ ଟମାଟୋ ଫିଙ୍ଗୁଥିବା ଦେଖାଯାଇଥିଲା ।

ପୂର୍ବ ସ୍ପେନ୍‌ର ସହର ବୁନୋଲ୍‌ରେ ଏହି ଲା ଟମାଟିନା ଉତ୍ସବ ଅନୁଷ୍ଠିତ ହୋଇଥାଏ ଯେଉଁଥିରେ ଅଂଶଗ୍ରହଣକାରୀମାନେ ମନୋରଞ୍ଜନ ପାଇଁ ପରସ୍ପର ଉପରକୁ ଟମାଟୋ ଫିଙ୍ଗିଥାନ୍ତି ।

୧୯୪୫ ଅଗଷ୍ଟ ମାସରେ ଅଣ ଆନୁଷ୍ଠାନିକ ଭାବରେ ଆରମ୍ଭ ହୋଇଥିବା ଏହି ଲା ଟମାଟିନା ଉତ୍ସବକୁ ଅନୁକରଣ କରି ବିଶ୍ୱର ବିଭିନ୍ନ ସହରରେ ସମାନ ପ୍ରକାରର ଉତ୍ସବ ମଧ୍ୟ ଆରମ୍ଭ ହୋଇଛି ।

ତେବେ ଭାରତରେ ବେଙ୍ଗଲୁରୁ ଓ ଦିଲ୍ଲୀ ସହରରେ ଏଭଳି ଉତ୍ସବ ଆୟୋଜନ ଉଦ୍ୟମ ହୋଇଥିଲେ ମଧ୍ୟ ଜନ ବିରୋଧ ଯୋଗୁଁ ସଫଳ ହୋଇପାରିନଥିଲା ।

Leave A Reply

Your email address will not be published.