Latest Odisha News

BREAKING NEWS

ସଫଳ ଦ୍ୱିଭାଷୀ ଗାୟନାଚାର୍ଯ୍ୟ ରାଧେଶ୍ୟାମ ପଣ୍ଡା

ଭୁବନେଶ୍ୱର: ଘର ତାଙ୍କର ସମ୍ବଲପୁର ଜିଲ୍ଲାରେ, ମାତୃଭାଷା ସମ୍ବଲପୁରୀ । ହେଲେ ସେ ଉଭୟ ଓଡିଆ ଏବଂ ସମ୍ବଲପୁରୀ ଭାଷାରେ ପ୍ରାଞ୍ଜଳ ପାଲା ପରିବେଷଣ କରି ସାରା ରାଜ୍ୟରେ ନିଜ ପ୍ରତିଭାର ପରିଚୟ ଦେଇଛନ୍ତି । ଏହି ବିରଳ ପ୍ରତିଭାବନ୍ତ ଗାୟକ ହେଉଛନ୍ତି ରାଧେଶ୍ୟାମ ପଣ୍ଡା ।
୧୯୫୮ ମସିହା ଫେବ୍ରୁଆରୀ ୧୮ ତାରିଖରେ ସମ୍ବଲପୁର ଜିଲ୍ଲା ଚିପିଲିମା ସତୀଯୋର ଗାଁରେ ଜନ୍ମଗ୍ରହଣ କରିଥିଲେ ରାଧେଶ୍ୟାମ । ବାପା ଇଶ୍ୱର ପଣ୍ଡା ଏବଂ ମାଆ ପାର୍ବତୀ ପଣ୍ଡା । ଦୁଇ ଭାଇ ଓ ଦୁଇ ଭଉଣୀଙ୍କ ମଧ୍ୟରେ ବଡ ହେଉଛନ୍ତି ରାଧେଶ୍ୟାମ । ବାପା ଜଳସେଚନ ବିଭାଗର କର୍ମଚାରୀ । ଏକ ଆଭିଜାତ୍ୟ ସମ୍ପନ୍ନ ପରିବାର । ସମ୍ବଲପୁର ସହ ଏବେର ବରଗଡ ଜିଲ୍ଲାରେ ମଧ୍ୟ ଇଶ୍ୱରଙ୍କ ଅନେକ ଜମିବାଡି ରହିଥିଲା । ପିଲା ଦିନରୁ ରାଧେଶ୍ୟାମଙ୍କର ସଙ୍ଗୀତ ଓ ସାହିତ୍ୟ ପ୍ରତି ରୁଚି ରହିଥିଲା । ବିଶେଷ କରି ପାଲା ପ୍ରତି ରହିଥିଲା ଅହେତୁକ ଦୁର୍ବଳତା । ମାଟ୍ରିକ ପାସ କରିବା ପରେ କୌଣସି ଚାକିରି ପ୍ରତି ଧ୍ୟାନ ନଦେଇ ସେ ପାଲା ଗାୟନ ପାଇଁ ଆଗ୍ରହୀ ହେଲେ । ପରିବାରରେ ମଧ୍ୟ ମିଳିଲା ସମର୍ଥନ, ବିଶେଷ କରି ବାପା ତାଙ୍କୁ ପାଲା ଶିଖିବା ପାଇଁ ପ୍ରେରଣା ଦେଲେ । ନିଜ ଗାଁ ପାଖର ପ୍ରତିଷ୍ଠିତ ଗାୟକ ଜୟରାମ ମଣ୍ଡଳୀଙ୍କଠାରୁ ପାଲା ଶିଖିବା ଆରମ୍ଭ କଲେ ରାଧେଶ୍ୟାମ ।

ପଶ୍ଚିମ ଓଡିଶାରେ ଜନ୍ମ ଗ୍ରହଣ କରିଥିବାରୁ ମାତୃଭାଷା ଥିଲା ସମ୍ବଲପୁରୀ, ଏପଟେ ପାଲା ବିଶେଷ ଭାବେ ଉପକୂଳ ଏବଂ ମଧ୍ୟ ଓଡିଶାରେ ସମୃଦ୍ଧ । ତେଣୁ ପ୍ରାରମ୍ଭିକ ସମୟରେ ରାଧେଶ୍ୟାମଙ୍କୁ ବହୁ କଠିନ ପରିଶ୍ରମ କରିବାକୁ ପଡିଲା । ସେ ଉଭୟ ଭାଷାରେ ପାରଦର୍ଶୀତା ଅର୍ଜନ କରିବାକୁ ଆପ୍ରାଣ ଉଦ୍ୟମ କରିଥିଲେ । ଶେଷରେ ଏଥିରେ ସେ ସଫଳ ମଧ୍ୟ ହେଲେ । ଆଜି ମଧ୍ୟ ସେ ପୂର୍ବ ଓଡିଶାକୁ ପାଲା ଗାଇବାକୁ ଆସିଲେ, ଅନେକ ଲୋକ ଦେଖିବାକୁ ଆସୁଛନ୍ତି ସତରେ କଣ ପଶ୍ଚିମ ଓଡିଶାର ଜଣେ ଗାୟକ ଏଠି ପାଲା ପରିବେଷଣ କରି ଜନମାନସର ମନ ଜିଣିପାରିବେ । ହେଲେ ଯେତେବେଳେ ତାଙ୍କର ଗାଇବା ଆରମ୍ଭ ହୋଇଯାଏ, ଲୋକଙ୍କ ମନରେ ଥିବା ସବୁ ଦ୍ୱନ୍ଦ୍ୱ ଆପେଆପେ ମିଳାଇଯାଏ । ତାଙ୍କ ପାଲାରେ ସାରା ଓଡିଶାର ସଂସ୍କୃତି ଓ ସାହିତ୍ୟ ଦେଖିବାକୁ ମିଳେ, ଯାହା ପ୍ରାୟତଃ ଅନ୍ୟ କୌଣସି ଗାୟକଙ୍କଠାରେ ଦେଖିବାକୁ ମିଳିନଥାଏ ।

ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ସାହିତ୍ୟରେ ପ୍ରଚଣ୍ଡ ପାଣ୍ଡିତ୍ୟ ଅର୍ଜନ କରିଛନ୍ତି ରାଧେଶ୍ୟାମ ପଣ୍ଡା । ଗଙ୍ଗାଧର ମେହେରଙ୍କ ତପସ୍ୱିନୀ, ପ୍ରଣୟ ବଲ୍ଲରୀ, କୀଚକ ବଧ ଆଦି କାବ୍ୟକୁ ପାଲାରେ ପରିବେଷଣ କରି ସେ ବେଶ୍ ପ୍ରସିଦ୍ଧି ଅର୍ଜନ କରିଛନ୍ତି । ଓଡିଆ ଏବଂ ସଂସ୍କୃତ ସାହିତ୍ୟରେ ମଧ୍ୟ ପାରଦର୍ଶୀତା ଅର୍ଜନ କରିଛନ୍ତି ରାଧେଶ୍ୟାମ ।

ଅଲ ଇଣ୍ଡିଆ ରେଡିଓରେ ସେ ଦୀର୍ଘ ୨୦ ବର୍ଷ ଧରି ଜଣେ ନିୟମିତ କଳାକାର ଭାବେ ପାଲା ପରିବେଷଣ କରିଆସୁଛନ୍ତି । ବିଶ୍ୱକବି ରବୀନ୍ଦ୍ରନାଥ ଠାକୁରଙ୍କ ୧୫୦ତମ ଜୟନ୍ତୀ ଅବସରରେ ସେ କବିଗୁରୁଙ୍କ ପ୍ରସିଦ୍ଧ କାବ୍ୟ ଚିତ୍ରାଙ୍ଗଦାକୁ ପାଲାରେ ରୂପାନ୍ତର କରି ଦିଲ୍ଲୀରେ ପରିବେଷଣ କରିଥିଲେ, ଯାହା ଦର୍ଶକଙ୍କ ମନ ଜିଣିଥିଲା । ସେହିପରି ଗଙ୍ଗାଧର ମେହେରଙ୍କ ୧୫୦ ତମ ଜୟନ୍ତୀ ଅବସରରେ ଗଙ୍ଗାଧର ସାହିତ୍ୟ ଉପରେ ପାଲା ପରିବେଷଣ କରି ଭୁରିଭୁରି ପ୍ରଶଂସା ସାଉଁଟିଥିଲେ ।
ନିକଟରେ ଭୋପାଲ ସ୍ଥିତ ଟ୍ରାଇବାଲ ମ୍ୟୁଜିୟମ ପକ୍ଷରୁ ଆୟୋଜିତ କାର‌୍ୟ୍ୟକ୍ରମରେ ସେ ଓଡିଶାର ପ୍ରତିନିଧିତ୍ୱ କରିଥିଲେ । ସେଠାରେ କୀଚକ ବଧ ପ୍ରସଙ୍ଗରେ ପାଲା ପରିବେଷଣ କରି ସେଠାକାର ସମସ୍ତ ଗଣମାଧ୍ୟମରେ ଛାଇଯାଇଥିଲେ । ଋାଧେଶ୍ୟାମ ପଣ୍ଡାଙ୍କୁ ରାଜ୍ୟର ବିଭିନ୍ନ ପାଲା ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ମିଳିଛି ଅନେକ ସମ୍ମାନ, ପୁରସ୍କାର ଏବଂ ଉପାଧି । ଗାୟକ ତତ୍ୱ ବିଭୂଷଣ, ଗାୟକ କୃତବିଦ୍, ତର୍କବିଶାରଦ ଆଦି ଅନେକ । ଉନ୍ନତ ମାନର ପାଲା ପରିବେଷଣ କରି ରାଜ୍ୟର ପୁରପଲ୍ଲୀରେ ପ୍ରସିଦ୍ଧି ଅର୍ଜନ କରିଥିବା ଗାୟକ ରାଧେଶ୍ୟାମ ପଣ୍ଡା ସାଧାରଣ ଜୀବନରେ ଜଣେ ଅମାୟିକ, ଶାନ୍ତ ଓ ସରଳ ମଣିଷ । ସେ ଯେଉଁ ମଂଚକୁ ବାଦିପାଲା ଗାଇବାକୁ ଯାଆନ୍ତି ସେଠି ସାଧାରଣ ଜନତାଙ୍କଠାରୁ ପ୍ରତିପକ୍ଷ ଗାୟକ ମଧ୍ୟ ତାଙ୍କୁ ଆଦର ସମ୍ମାନ କରନ୍ତି ।

Leave A Reply

Your email address will not be published.