Latest Odisha News

BREAKING NEWS

ପାଲା ଜଗତର ପ୍ରଚଣ୍ଡ ପ୍ରତିଭାଧର: କବି ଓ ଗାୟକ ଲକ୍ଷ୍ମୀଧର ପଣ୍ଡା

ସାମ୍ପ୍ରତିକ ଯୁବ ଏବଂ ପ୍ରବୀଣ ଗାୟକମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ଗାୟକ ଜ୍ଞାନଗୌରବ ଲକ୍ଷ୍ମୀଧର ପଣ୍ଡା । ଜଣେ ଉଜ୍ଜ୍ୱଳ ପ୍ରତିଭା ସମ୍ପର୍ଣ୍ଣ ଗାୟକ ସହ ଜଣେ ବିଶିଷ୍ଟ କବି ଭାବରେ ମଧ୍ୟ ସେ ପାଲା ଜଗତରେ ପରିଚିତ । ପାଲା ଦୁନିଆରେ ଜଣେ ଆଦର୍ଶ ଗାୟକ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଶ୍ରୀଯୁକ୍ତ ଲକ୍ଷ୍ମୀଧର ପଣ୍ଡା ।

୧୯୬୮ ମସିହା ଜୁନ ୨୫ ତାରିଖରେ କଟକ ଜିଲ୍ଲା ବାଙ୍କୀ ବ୍ଲକ ଅନ୍ତର୍ଗତ କରଡାପଲ୍ଲୀ ଗ୍ରାମରେ ଲକ୍ଷ୍ମୀଧର ପଣ୍ଡାଙ୍କ ଜନ୍ମ । ବାପା ଉଦୟନାଥ ପଣ୍ଡା ଏବଂ ମାଆ ଶଶୀ ଦେବୀଙ୍କର ୩ ପୁଅ ଏବଂ ଦୁଇ ଝିଅଙ୍କ ମଧ୍ୟରେ ସେ ଦ୍ୱିତୀୟ ସନ୍ତାନ । ଆର୍ଥିକ ଅନଟନରୁ ମାତ୍ର ଯୁକ୍ତ-୨ ଯାଏ ପଢିବା ସମ୍ଭବ ହେଲା । ଅଧିକ ଶିକ୍ଷା ଗ୍ରହଣ କରିବାର ଇଚ୍ଛା ସିନା ପୂରଣ ହେଲା ନାହିଁ ହେଲେ କଳା, ସାହିତ୍ୟ ପ୍ରତି ରହିଥିବା ଅହେତୁକ ଶ୍ରଦ୍ଧା ତାଙ୍କୁ ଜଣେ ପାଲା ଗାୟକ ହେବାର ପ୍ରେରଣା ଦେଲା । ବିଶିଷ୍ଟ ପଣ୍ଡିତ ବନମାଳୀ ମହାପାତ୍ରଙ୍କ ତତ୍ତ୍ୱାବବଧାନରେ ସେ ପାଲା ଶିକ୍ଷା ପ୍ରତି ମନୋନିବେଶ କଲେ ।

ଲକ୍ଷ୍ମୀଧରଙ୍କ ଆଉ ଏକ ପରିଚୟ ହେଉଛି ସେ ହେଉଛନ୍ତି ଉତ୍କଳର ଦୁଇ ସୁଯୋଗ୍ୟ ସନ୍ତାନ ବିଶିଷ୍ଟ କବି ପଣ୍ଡିତ ଗୋପାଳ ପଣ୍ଡା ଏବଂ ଅନନ୍ତ ଚରଣ ପଣ୍ଡାଙ୍କ ନାତି । ଦୁଇ ମାତାମହଙ୍କ ସ୍ମୃତି ଓ କୀର୍ତ୍ତିର ସୁରକ୍ଷା ପାଇଁ ଜଣେ ପ୍ରବୀଣ ପାଲା ଗାୟକ ଓ କବି ହେବା ପାଇଁ ସଂକଳ୍ପବଦ୍ଧ ହେଲେ ଲକ୍ଷ୍ମୀଧର । ୧୯୮୫ ମସିହା ଜୁଲାଇ ୧୩ ତାରିଖରେ ସେ ଚାମର ଗ୍ରହଣ କଲେ । ଗୁରୁ ବନମାଳୀ ମହାପାତ୍ରଙ୍କ ପରାମର୍ଶ କ୍ରମେ ସେ ଗାୟକ ତିଳକ ଜଗନ୍ନାଥ ବାରିକ ଏବଂ ଗାୟକ ଭାସ୍କର ନୀରଞ୍ଜନ ବାହିନୀପତିଙ୍କୁ ଗୁରୁରୂପେ ଗ୍ରହଣ କରି ସେମାନଙ୍କଠାରୁ ଉପଯୁକ୍ତ ପରାମର୍ଶ ଓ ମାର୍ଗଦର୍ଶନ ଲାଭ କଲେ ।
ଉଭୟ ସଂସ୍କୃତ ଏବଂ ଓଡିଆ ସାହିତ୍ୟରେ ପାଣ୍ଡିତ୍ୟ ଅର୍ଜନ କରିଥିବା ଶ୍ରୀଯୁକ୍ତ ପଣ୍ଡା ଅନେକ ଚତୁଷ୍ପଦୀ, ଚଉତିଶା, ଛାନ୍ଦ ଓ ଛନ୍ଦକାବ୍ୟ ରଚନା କରି ଓଡିଶାର କଳାକାର ଓ ସାହିତ୍ୟିକଙ୍କ ମଧ୍ୟରେ ପରିଚିତ । ବର୍ତ୍ତମାନ ରାଜ୍ୟରେ ଯେଉଁ ଅଳ୍ପ କେତେଜଣ ଛନ୍ଦ କବି ସେମାନଙ୍କ ରଚନା ଜାରି ରଖିଛନ୍ତି ସେମାନଙ୍କ ମଧ୍ୟରେ ଅନ୍ୟତମ ଲକ୍ଷ୍ମୀଧର ପଣ୍ଡା ।ରାଜ୍ୟର ବିଭିନ୍ନ ଅନୁଷ୍ଠାନରେ ଉଚ୍ଚକୋଟୀର ପାଲା ପରିବେଷଣ କରି ଶ୍ରୀଯୁକ୍ତ ପଣ୍ଡା ଅନେକ ସମ୍ବର୍ଦ୍ଧନା, ସମ୍ମାନ ଓ ଉପାଧି ଲାଭ କରିଛନ୍ତି । ତେବେ ପୁରୀ ଦୋଳବେଦୀ ପାଲା ମଂଚ ପକ୍ଷରୁ ତାଙ୍କୁ ଗାୟକ ଜ୍ଞାନଗୌରବ ଉପାଧି ପ୍ରଦାନ କରାଯାଇଛି । ସେହିପରି ଯଦୁମଣି ପାଲା ସଂସଦ ପକ୍ଷରୁ କବି ବାଣୀହଂସ ଏବଂ ବାଙ୍କୀ ମହୋତ୍ସବ ପକ୍ଷରୁ ତାଙ୍କୁ ବାଙ୍କୀ ବିଭୂଷଣ ଉପାଧି ପ୍ରଦାନ କରାଯାଇଛି । ସଂପ୍ରତି ପାଲାକୁ ଜୀବନର ବ୍ରତ ରୁପେ ଗ୍ରହଣ କରି ଶ୍ରୀଯୁକ୍ତ ପଣ୍ଡା ଉତ୍କଳ ଭାଷା ଜନନୀର ସେବା କରିଆସୁଛନ୍ତି ।

Leave A Reply

Your email address will not be published.