Latest Odisha News

ନେତାଙ୍କ କାନ୍ଦ ଦେଖି ହସୁଛନ୍ତି ଜନତା, ଚାଷୀ ଜଳକା

ଭୁବନେଶ୍ୱର: କାହା  ଆଖିରେ ଲୁହ ନିଜ ଆଖି ଦେଖିଲେ ଆପେ ଓଦା ହୋଇଯାଏ । ସେଥିପାଇଁ କେହି ଜଣେ କାନ୍ଦକୁ ସଂକ୍ରମଣ ବୋଲି କହିଥିଲେ । ହେଲେ ଏ କି ଦୃଶ୍ୟ ! ଅନ୍ୟର କାନ୍ଦ କେବେ ହାସ୍ୟରୋଳ ସୃଷ୍ଟି କରପାରେ ? ହେଲେ ଏଠି ବିଜେଡି-ବିଜପି କାନ୍ଦ ସାରା ରାଜ୍ୟବାସୀଙ୍କୁ ହସାଉଛି ! ହଁ, ରାଜନୀତିରେ ଏମିତି ବି ହୋଇପାରେ ବୋଲି ମାନନେବାକୁ ପଡ଼ିବ ।

ଜଣଙ୍କ ହାତରେ ରାଜ୍ୟର କ୍ଷମତା..ଆଉ ଜଣଙ୍କ  ହାଜରେ କେନ୍ଦ୍ରର କ୍ଷମତା । ତଥାପି ଦୁହେଁ କାନ୍ଦୁଛନ୍ତି । କାନ୍ଦର କାରଣ ଚାଷୀ । ଚାଷୀଙ୍କ ପାଇଁ ୨ କ୍ଷମତାଧାରୀ ଦଳ କାନ୍ଦୁଛନ୍ତି, ଚିତ୍କାର କରୁଛନ୍ତି, ଆନ୍ଦୋଳନ କରୁଛନ୍ତି ।

ଏମାନଙ୍କ କାନ୍ଦଣା ଦେଖି ଚାଷୀ ଜଳକା । ଚାଷୀ ହୁଏତ ପ୍ରଶ୍ନ କରୁଥିବ ନିଜ ମନକୁ, ଗଣତନ୍ତ୍ରରେ କ୍ଷମତା ଯଦି ଏତେ ଅସହାୟ, ତେବେ ସସମ୍ୟାର ସମାଧାନ କରିବ କିଏ ? ଭରସା କରିବ କାହାକୁ ?  କଂଗ୍ରେସ ବି ଠିକ ଏହି ପ୍ରଶ୍ନ ଉଠାଇଛି ।

ତେବେ ପ୍ରଶ୍ନ ଉଠେ, କାହା ହାତରେ ଚାଷୀଙ୍କ ଭାଗ୍ୟ ଡୋରୀ ? ଚାଷୀଙ୍କ ପାଇଁ ଯଦି ଦୁଇ ପ୍ରମୁଖ ଦଳଙ୍କ କଥା ସତ ହୁଏ ତେବେ ଚାଷୀଙ୍କ ପାଇଁ କିଏ ? କଂଗ୍ରେସର ଭାବମୂର୍ତ୍ତି ବି ଗୋଳିଆ ଦିଶୁଛି । ଗତକାଲି ଗୃହ ଭିତରେ ଓ ବାହାରେ ଗର୍ଜୁଥିଲେ ସରକାର ଓ ବରୋଧୀ । ଉଭୟଙ୍କ ସ୍ୱର ମିଶାଇ କେତେବେଳେ କଂଗ୍ରେସ ଗର୍ଜୁଥିଲା ତ କେତେବେଳେ ବର୍ଷୁ୍‌ଥିଲା ।

ଶୁକ୍ରବାର ଚାଷୀ କାନ୍ଦଣାରେ ବିଧାନସଭା ଅଚଳ ହୋଇପଡ଼ିଥିଲା । ବିଜେପି-ବିଜେଡି ରାସ୍ତାକୁ ଓହ୍ଲାଇଲେ ।ଶୋଭାଯାତ୍ରା କଲେ ।  ରାଜ୍ୟପାଳଙ୍କୁ ଅଭିଯୋଗ ପତ୍ର ଦେଲେ । ବିଜେଡି  ସାର ଅଭାବ, ଉଷୁନା ଚାଉଳରେ ଏଫସିଆଇର ପାତର ଅନ୍ତର ନୀତି, ଏମଏସପି, ଫସଲ ବୀମା ଯୋଜନାରେ କେନ୍ଦ୍ର ବୀମା ଟଙ୍କା ହଡପ ନେଇ କେନ୍ଦ୍ରକୁ ଟାର୍ଗେଟ କଲା । ଏପଟେ ମଣ୍ଡି ଅବ୍ୟବସ୍ଥା, ଇନପୁଟ, ସବସିଡି ପ୍ରଦାନରେ ବିଳମ୍ବ, ଫସଲ ବୀମା କାର୍ଯ୍ୟକାରିତାରେ ବିଫଳତା, ଚାଷୀଙ୍କୁ ଶହେଟଙ୍କା ବୋନସ ଦାବି ନେଇ ବିଜେପି କରିଥିଲା ପ୍ରତିଆକ୍ରମଣ ।

ତେବେ ଶାସକ-ବିରୋଧୀ ଗୋଟିଏ ପ୍ରସଙ୍ଗକୁ ନେଇ ଏମିତି ହୋହଲ୍ଲା କରିବା, ଗୃହକାର୍ଯ୍ୟ ଅଚଳ କରିଦେବା ରାଜ୍ୟବାସୀଙ୍କୁ ଯେତିକି ଆଶ୍ଚର୍ଯ୍ୟ କରିଛି ସେତିକି ଦ୍ୱନ୍ଦ୍ୱରେ ପକାଇଛି । ଏମିତି ହୋ ହହ୍ଲା କରି ବିଧାନସଭା ଅଚଳ କରିବା ପଛରେ ଦୁଇଦଳଙ୍କର କିଛି ମିଲିଭଗତ ଉଦ୍ଦେଶ୍ୟ ନାହିଁ ତ ? ଦୁଇଦଳଙ୍କର ଏହା ଯେ କୁମ୍ଭୀରକାନ୍ଦଣା ଏହା  ଚାଷୀଙ୍କୁ ଅଛପା ନାହିଁ କି ରାଜ୍ୟବାସୀଙ୍କ ଅଜଣା ନାହିଁ । ସମସ୍ତଙ୍କ ମନରେ ପ୍ରଶ୍ନ, ପଦ୍ମପୁର ଉପନିର୍ବାଚନ ପରିପ୍ରେକ୍ଷୀରେ  ଚାଷୀଙ୍କ ଭୋଟ ହାତେଇବାର ଏହା ଏକ କୌଶଳ ନୁହେଁ ତ ? କିମ୍ବା ଗୃହରେ ଅର୍ଚ୍ଚନା ନାଗ ପ୍ରସଙ୍ଗକୁ  ଏଡାଇବା ପାଇଁ ଦୁଇଦଳର ଏହା ଚାଲ ନୁହେଁ ତ ?

Leave A Reply

Your email address will not be published.