Latest Odisha News

BREAKING NEWS

Scheme For Unmarried Men: ସାର, ବିହନ, ସବସିଡି ଭଳି ଚଷା ପୁଅଙ୍କୁ ଝିଅ ଖୋଜିକି ଦିଅନ୍ତୁ ସରକାର!

ବେଙ୍ଗାଲୁରୁ: ‘ଚାଷୀଙ୍କ ପାଇଁ କନ୍ୟା ଖୋଜନ୍ତୁ ସରକାର’

ଘର ଅଛି, ଜମି ଅଛି… ହେଲେ ବାହାଘର ହେଉନି!

ମୁଖ୍ୟମନ୍ତ୍ରୀଙ୍କ ଆଗରେ ଅଜବ ଦାବି ରଖିଲେ ଚାଷୀ

ଚାଷ କରୁଛନ୍ତି ବୋଲି ମିଳୁନି ଝିଅ । ସରକାର ଆଣନ୍ତୁ ନୂଆ ଯୋଜନା । କର୍ଣ୍ଣାଟକରେ ଚାଷୀଙ୍କ ବିବାହକୁ ନେଇ ଆସିଛି ଏକ ଭିନ୍ନ ପ୍ରକାରର ଦାବି। ଚାଷୀଙ୍କ ପାଇଁ ସରକାର ଘର, ଜମି ଓ ଅନ୍ୟାନ୍ୟ ସୁବିଧା ଦେଉଛନ୍ତି। ହେଲେ ଏବେ ଚାଷୀଙ୍କ ପାଇଁ ଜୀବନସାଥୀ ଖୋଜିବାକୁ ମଧ୍ୟ ସରକାରୀ ଯୋଜନା ହେଉ ବୋଲି ଦାବି ହୋଇଛି। ଜଣେ ଚାଷୀ ସିଧାସଳଖ ମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାରଙ୍କ ଆଗରେ ଏହି ଦାବି ରଖିଛନ୍ତି।

ପିରିୟାପଟଣାରେ ଆୟୋଜିତ ‘ପ୍ରଜା ସେବା’ କାର୍ଯ୍ୟକ୍ରମରେ ଜଣେ ଚାଷୀ ମୁଖ୍ୟମନ୍ତ୍ରୀଙ୍କୁ କହିଥିଲେ ଯେ, ରାଜ୍ୟରେ ୩୫ରୁ ୪୦ ବର୍ଷ ବୟସର ଅନେକ ଯୁବକ ଏବେ ବି ଅବିବାହିତ ଅଛନ୍ତି। ବିଶେଷକରି ଚାଷୀ ପରିବାରର ଯୁବକମାନଙ୍କୁ ବିବାହ କରିବାରେ ସମସ୍ୟା ହେଉଛି ବୋଲି ସେ ଦାବି କରିଛନ୍ତି। ଚାଷୀଙ୍କ କହିବା କଥା ହେଉଛି, ଆଜିକାଲି ଅନେକ ପରିବାର ଝିଅ ପାଇଁ ଚାକିରି କରୁଥିବା ଜ୍ୱାଇଁ ଖୋଜୁଛନ୍ତି। ଚାଷୀ ପୁଅ ନିଜ ଜମିରେ ଖଟି ରୋଜଗାର କରୁଥିଲେ ମଧ୍ୟ ତାଙ୍କୁ ବିବାହ ପାଇଁ ପସନ୍ଦ କରାଯାଉନି । ଅନେକ ଯୁବକ ଚାଷରୁ ଟଙ୍କା ରୋଜଗାର କରି ଘର ତିଆରି କରିଛନ୍ତି, ଜମି କିଣିଛନ୍ତି। ହେଲେ ଚାଷୀ ପରିବାରକୁ ଝିଅ ଦେବାକୁ ଅନେକ ଅଭିଭାବକ ରାଜି ହେଉନାହାନ୍ତି। ବିବାହ ହେଉନଥିବାରୁ କିଛି ଗରିବ ଯୁବକ ଗଭୀର ନିରାଶାରେ ରହୁଥିବା ଏବଂ କେତେକ ଚରମ ପଦକ୍ଷେପ ନେଉଥିବା ବୋଲି ସେ ଦାବି କରିଥିଲେ। ତେଣୁ ଏଭଳି ଅବିବାହିତ ଚାଷୀ ଓ ଯୁବକଙ୍କ ପାଇଁ ସରକାର କିଛି ପଦକ୍ଷେପ ନେବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ଏହା କେବଳ ଜଣେ କି ଦୁଇଜଣଙ୍କ ସମସ୍ୟା ନୁହେଁ, ସାରା କର୍ଣ୍ଣାଟକର ଅନେକ ପରିବାର ଏହି ସମସ୍ୟାର ସାମ୍ନା କରୁଛନ୍ତି ବୋଲି ସେ କହିଛନ୍ତି।

ଚାଷୀ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରି କହିଥିଲେ, ସରକାର ଏଥିପାଇଁ କୌଣସି ବ୍ୟବସ୍ଥା କରନ୍ତୁ। ଯଦି ଅବିବାହିତ ଯୁବକମାନଙ୍କ ପାଇଁ ଜୀବନସାଥୀ ଖୋଜିବାରେ ସରକାର କୌଣସି ସହାୟତା କରନ୍ତି, ତେବେ ଲକ୍ଷ ଲକ୍ଷ ଯୁବକଙ୍କ ଜୀବନରେ ପରିବର୍ତ୍ତନ ଆସିପାରିବ। ତେବେ ଏପରି ଦାବି ଶୁଣି ମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାର ପ୍ରଥମେ ହସି ଦେଇଥିଲେ ଏବଂ ‘କ’ଣ ହୋଇଛି?’ ବୋଲି ପଚାରିଥିଲେ। ପରେ ଚାଷୀ ତାଙ୍କ ସମସ୍ୟାକୁ ବିସ୍ତାରରେ ବୁଝାଇଥିଲେ। ଚାଷୀ ଆହୁରି କହିଥିଲେ, ଯେଉଁ ଚାଷୀମାନେ ଫସଲ ଉତ୍ପାଦନ କରି ସମସ୍ତଙ୍କ ପେଟକୁ ଖାଦ୍ୟ ଯୋଗାଉଛନ୍ତି, ସେମାନଙ୍କ ପରିବାରକୁ ଯଦି ଝିଅ ଦେବାକୁ ପରିବାର ରାଜି ନହୁଅନ୍ତି, ତେବେ ସରକାରଙ୍କୁ ଏହି ସମସ୍ୟା ଉପରେ କିଛି କରିବା ଦରକାର।

ଯାହା ପରେ ମଞ୍ଚରେ ଉପସ୍ଥିତ ସମସ୍ତ ବ୍ୟକ୍ତି ଏଭଳି ଅଜବ ଅପିଲ୍ ଶୁଣି ହସୁଥିବା ବେଳେ ଚାଷୀଙ୍କ ଏହି ଦାବିକୁ ନେଇ ପୂରା ଦେଶରେ ଚର୍ଚ୍ଚା ଜୋର ଧରିଛି।

Leave A Reply

Your email address will not be published.