Latest Odisha News

BREAKING NEWS

ରାଜନୀତିରେ ବାପ-ପୁଅ ଅଲଗା ଦଳର: ଏଠି ପୁଅକୁ ଆଶୀର୍ବାଦ, ସେଠି ଅଭିଶାପ?

ଭୁବନେଶ୍ୱର: ରାଜନୀତିରେ କେହି ଚିରସ୍ଥାୟୀ ପ୍ରତିଦ୍ବନ୍ଦୀ ନୁହେଁ। ଆଜି ଯିଏ ବିରୋଧୀ, କାଲି ସିଏ ମିତ୍ର ହେବାର ସମ୍ଭାବନାକୁ ଏଡାଇ ହେବନି। ପରିବର୍ତ୍ତିତ ରାଜନୈତିକ ସ୍ଥିତିରେ ଏବେ ଏସବୁ ଚାଲିଛି। ତେବେ ରାଜନୀତିରେ ପାର୍ଟି ବ୍ୟତୀତ ପରିବାର ମଧ୍ୟ ରହିଛି। ଯେଉଁଠି ପ୍ରାୟତଃ ଜଣେ ଚାହିଁବେ ଉତ୍ତରାଧିକାରୀ ଯେଉଁ ଦଳରୁ ହେଉ ନା କାହିଁକି ସେ ବିଜୟୀ ଲାଭ କରୁ।

ଯେପରିକି ଜଟଣୀର କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ସାନ ପୁଅ ତଥା ଭୁବନେଶ୍ବର ଲୋକସଭା ଆସନର ବିଜେଡି ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ବିଜୟୀ କାମନା କରିଛନ୍ତି। ଅନ୍ୟପଟେ କେରଳର କଂଗ୍ରେସର ଚେହେରା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏକେ ଆଂଟୋନି ପୁଅ ଅନୀଲଙ୍କ ପରାଜୟ ଚାହିଁଛନ୍ତି। ଯିଏକି ବିଜେପିର ଲୋକସଭା ପ୍ରାର୍ଥୀ।

ସୁରେଶ ରାଉତରାୟ କଂଗ୍ରେସରେ ରହିଛନ୍ତି ଏବଂ ରହିବେ ବୋଲି କହିଛନ୍ତି। ହେଲେ ତାଙ୍କ ପୁଅ ବିଜେଡିରେ ସାମିଲ ହେବା ପରେ ଅନେକ ପ୍ରଶ୍ନ ଉଠିଛି। କାରଣ ସେ ବିଭିନ୍ନ କଥା ଛଳରେ କହିଛନ୍ତି, ତାଙ୍କ ପୁଅକୁ ଟିକେ ଦେଖିବେ। ଏପରି କହି ପରୋକ୍ଷରେ ସେତାଙ୍କ ପୁଅ ପାଇଁ ଭୋଟ୍ ଭିକ୍ଷା କରିଛନ୍ତି। ନିଜେ ଯଦିଓ ପୁଅ ପାଇଁ ପ୍ରଚାର କରିବେ ନାହିଁ ବୋଲି କହୁଛନ୍ତି ହେଲେ ସେ ବିଭିନ୍ନ ସମୟରେ ଦେଇଥିବା ବୟାନକୁ ନେଇ ତାଙ୍କ ଦଳ ଏବେ ତାଙ୍କୁ ନୋଟିସ୍ କରି ଜବାବ ମାଗିଛି। ହେଲେ ସେ ଶେଷ ନିଃଶ୍ବାସ ଯାଏ କଂଗ୍ରେସରେ ରହିବେ ବୋଲି କହିଛନ୍ତି।

ଅନ୍ୟପଟେ ଏହାର ସମ୍ପୂର୍ଣ୍ଣ ଓଲଟା କେରଳର କଂଗ୍ରେସ ନେତା ଏକେ ଆଣ୍ଟୋନି। ଦଳର ଏହି ବରିଷ୍ଠ ନେତା ଥିରୁଅନନ୍ତପୁରମରେ କହିଛନ୍ତି ଯେ ଲୋକସଭା ନିର୍ବାଚନରେ ତାଙ୍କ ପୁଅ ତଥା ବିଜେପି ପ୍ରାର୍ଥୀ ଅନିଲ ଆଣ୍ଟୋନି କେରଳ ଆସନରେ ହାରିବେ। ସେ ଏପରି ଆଶା ରଖିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ଆଣ୍ଟୋନି କହିଛନ୍ତି ଯେ ତାଙ୍କ ପୁଅର ଦଳ ହାରିବା ଉଚିତ ଏବଂ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଦକ୍ଷିଣ କେରଳ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀ ଆଣ୍ଟୋ ଆଣ୍ଟୋନି ଜିତିବା ଉଚିତ। କଂଗ୍ରେସ ନେତାଙ୍କ ସନ୍ତାନମାନେ ବିଜେପିରେ ମିଶିବା ଘଟଣାକୁ ମଧ୍ୟ ସେ ଭୁଲ ବୋଲି କହିଛନ୍ତି।

କେରଳର ଥିରୁଅନନ୍ତପୁରମରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ କଂଗ୍ରେସର ଏହି ବରିଷ୍ଠ ନେତା ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କ ଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି ଏବଂ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ବିରୋଧରେ କ୍ରମାଗତ ଭାବେ ଲଢ଼େଇ କରୁଛି ଏବଂ ଆଗକୁ କରିବ।

Leave A Reply

Your email address will not be published.