ଫର୍ଣ୍ଣାଣ୍ଡୋ ପେସୋଆ, ଜଣେ ବହୁରୂପୀ, ବହୁନାମୀ ଓ ବହୁ ବିରୋଧାଭାସର କବି

ଫର୍ଣ୍ଣାଣ୍ଡୋ ପେସୋଆ, ଜଣେ ବହୁରୂପୀ, ବହୁନାମୀ ଓ ବହୁ ବିରୋଧାଭାସର କବି

କେଦାର ମିଶ୍ର

କବି ଜଣେ ବ୍ୟକ୍ତି ନା ବହୁ ବ୍ୟକ୍ତିଙ୍କର ସମଷ୍ଟି? କବି ଭିତରେ କେବଳ ଜଣେ କବି ଥାଏ, ନା ବହୁ ନାମ ଓ ବହୁ ରୂପ ନେଇ ଅନେକ କବିର ଅଂଶ ଗୋଟେ କବିକୁ ଗଢିଥାଏ? କବିର ଗୋଟିଏ ରୂପ ନା ସେ ବହୁରୂପୀ? ସେ ଗୋଟିଏ ନାମ ନା ତାର ବହୁ ନାମ? କବିର ଗୋଟିଏ ମୁହଁ ଓ ଅନେକ ଅନେକ ମୁଖା ବୋଲି ଭାବନ୍ତୁ ନାଇଁ। କବିର ସତ ସତିକା ଅନେକ ମୁହଁ। କାଗଜ ବା କନାରେ ତିଆରି ମୁଖା କବିକୁ ସାଜେ ନାହିଁ। ତାର ସବୁ ମୁହଁ ରକ୍ତମାଂସ ଓ ମାଂସପେଶୀ ରେ ଗଢା। ବୈଦିକ ସୂକ୍ତର ସହସ୍ର ଶୀର୍ଷା ପୁରୁଷ, ଯାହାର ହଜାର ମୁହଁ, ହଜାର ଆଖି ଓ ହଜାର ହଜାର ହାତ ଗୋଡ, ସେ କବିର। କବିର ଏ ପ୍ରକାର ପରିକଳ୍ପନାକୁ ସାମାଜିକ ବାସ୍ତବତାରେ ବିଶ୍ଵାସ କରୁଥିବା ଚିନ୍ତକମାନେ ପ୍ରତ୍ୟାଖ୍ୟାନ କରନ୍ତି। ହେଲେ ଫର୍ଣ୍ଣାଣ୍ଡୋ ପେସୋଆ ନାମକ ପର୍ତ୍ତୁଗାଲର ଜଣେ କବିଙ୍କ ବିଷୟରେ ଜାଣିଲା ପରେ ଆମେ ସ୍ଵୀକାର କରିବାକୁ ବାଧ୍ୟ ଯେ, କବି ଭିତରେ ଗୋଟିଏ ନୁହଁ, ବରଂ ବହୁ ନାମ ଓ ବହୁ ରୂପର ଅସ୍ତିତ୍ଵ ରହିଛି। ଆମେ କବିର ବହୁ ନାମ ଓ ବହୁ ରୂପକୁ ସ୍ଵୀକାର କରିବାକୁ ବାଧ୍ୟ।

ଫର୍ଣ୍ଣାଣ୍ଡୋ ଆନ୍ତୋନୀଓ ନୁଗୁଏରା ପେସୋଆ(୧୩, ଜୁନ, ୧୮୮୮-୩୦,ନଭେମ୍ବର ୧୯୩୫) ପର୍ତ୍ତୁଗାଲରେ ଜନ୍ମ ହୋଇଥିବା କବି। ପିଲାଦିନ ଓ ପାଠ ପଢା କିନ୍ତୁ ଦକ୍ଷିଣ ଆଫ୍ରିକାରେ। ଲେଖିଛନ୍ତି ଇଂରାଜୀ ଓ ପର୍ତ୍ତୁଗିଜ, ଉଭୟ ଭାଷାରେ। ଜୀବନ କାଳରେ ତାଙ୍କର ବହି ବିଶେଷ ବାହାରି ନଥିଲା। ମୂଳତଃ ପତ୍ର ପତ୍ରିକାରେ ତାଙ୍କ କବିତା ସବୁ ପ୍ରକାଶିତ ହୋଇ ଅସଙ୍କଳିତ ଅବସ୍ଥାରେ ପଡିଥିଲା। ତାପରେ ପେସୋଆ ଜଣେ କବି ନଥିଲେ, ସେ ଭିନ୍ନ ଭିନ୍ନ ନାଁ ନେଇ ଭିନ୍ନ ଭିନ୍ନ ଭାବ ଓ ଶୈଳୀର କବିତା ଲେଖୁଥିଲେ। ତାଙ୍କ ବ୍ୟକ୍ତିତ୍ୱ ଗୋଟେ ବହୁରୂପୀ କବିର ବ୍ୟକ୍ତିତ୍ୱ। କୁହାଯାଏ, ସେ କୋଡିଏ ରୁ ଅଧିକ ନାଁ ବ୍ୟବହାର କରି କବିତା ଲେଖିଛନ୍ତି। ତେବେ ଛଦ୍ମନାମ ରଖି କବିତା ଲେଖିବା ଓ ପ୍ରତି ନାମକୁ ଗୋଟେ ଭିନ୍ନ ବ୍ୟକ୍ତିତ୍ୱ ଭାବରେ ବ୍ୟବହାର କରିବା, ଦୁଇଟି ଭିନ୍ନ କଥା। ପେସୋଆଙ୍କ କବି ପୁରୁଷଟି ବହୁ ଅବତାର ଗ୍ରହଣ କରିବାରେ ସମର୍ଥ ଥିଲା। ସେ ନିଜେ ନିଜକୁ ଭିନ୍ନ ଭିନ୍ନ କବି ଭାବରେ ଉପସ୍ଥାପିତ କରୁଥିଲେ। ତାଙ୍କର ବହୁ ନାମ ଭିତରୁ ଚାରୋଟି ନାମର ଚର୍ଚ୍ଚା ବେଶ ହୋଇଥାଏ।

ପ୍ରଥମ ନାମଟି ଫର୍ଣ୍ଣାଣ୍ଡୋ ପେସୋଆ। ଏହା ତାଙ୍କର ଅସଲ ପରିଚୟ। ତେବେ ବାକି ପରିଚୟକୁ ନକଲ ବୋଲି ମଧ୍ୟ ଆମେ କହିପାରିବା ନାହିଁ। ପ୍ରତି କାବ୍ୟ ପୁରୁଷକୁ ନିର୍ମାଣ କଲା ବେଳେ ସେ ଅତ୍ୟନ୍ତ ସଚେତନ ଭାବରେ କବିର ପରିଚୟ ଓ ତାର ସାମାଜିକ ପୃଷ୍ଠଭୂମି ମଧ୍ୟ ନିର୍ମାଣ କରୁଥିଲେ। ପେସୋଆ ଭାବରେ ତାଙ୍କର ପର୍ତ୍ତୁଗିଜ ଓ ଆଫ୍ରିକାର ଜନଜୀବନ ସହ ସମ୍ପର୍କ କବିତାରେ ଆସୁଥିଲା। ତାଙ୍କର ଦ୍ଵିତୀୟ ନାମ ଥିଲା ଆଲବର୍ତ୍ତୋ ସିଏରୋ। ଆଲବର୍ତ୍ତୋ ଜଣେ ଗ୍ରାମୀଣ-ନିରକ୍ଷର କବି, ହେଲେ ତାଙ୍କ ଭିତରେ ଉଚ୍ଚତର ଚେତନାର ସମ୍ଭାବନା ଅଛି। ଏଇ ନାଁ ରେ କବିତା ଲେଖିଲା ବେଳେ ପେସୋଆ ସଂପୂର୍ଣ୍ଣ ଭାବରେ ଗ୍ରାମୀଣ ଓ ଅପାଠୁଆ ଜୀବନର ଉଚ୍ଚତର ଚେତନା କଥା କହିଛନ୍ତି। ଏଠି କାବ୍ୟ ଚିନ୍ତାଟି ଦିବ୍ୟ ହୋଇଥିବା ବେଳେ ଅଭିବ୍ୟକ୍ତି ଅତ୍ୟନ୍ତ ଲୌକିକ। ଧର୍ମ, ଦର୍ଶନ ଓ ପ୍ରକୃତିକୁ ନେଇ ସେ ଏଇ ନାଁ ରେ ଅତ୍ୟନ୍ତ ସରଳ କବିତା ସବୁ ଲେଖିଛନ୍ତି।

ତାଙ୍କର ତୃତୀୟ ନାମଟି ବେଶି ଚର୍ଚ୍ଚିତ ଓ ପରିଚିତ। ରିକାର୍ଡୋ ରେଇସ, ବୃତ୍ତିରେ ଜଣେ ଡାକ୍ତର, ଯିଏ କବିତାର କଳା ଓ ପରମ୍ପରା ବିଷୟରେ ବେଶ ସଚେତନ। ଏଇ ନାଁ ରେ କବିତା ଲେଖିଲା ବେଳେ ପେସୋଆଙ୍କ କାବ୍ୟ ଶୈଳୀ ଅତ୍ୟନ୍ତ ମାର୍ଜିତ ଓ ତାଙ୍କ କବିତାରେ ଏକ ଭିନ୍ନ ଅଭିରୁଚି ଆସୁଛି। ଏ କବି ଆଲବର୍ତ୍ତୋଙ୍କ ପରି ସରଳ ନୁହନ୍ତି। ୟାଙ୍କ କବିତାରେ ବୌଦ୍ଧିକ ମନ୍ଥନ ଅଛି। କବିତା ରଚନାର କୌଶଳ ଓ ବୁଦ୍ଧିମତ୍ତା ଅଛି। ଚତୁର୍ଥ କବି ଜଣକ ଆହୁରି ଭିନ୍ନ। ତାଙ୍କ ନାମ ଆଲଭାରୋ ଡି କ୍ୟାମ୍ପସ । ଏ କବି ବୃତ୍ତିରେ ଜଣେ ନାଭାଲ ଇଞ୍ଜିନିଅର। ଅତ୍ୟନ୍ତ ଦୁଃସାହସୀ ଓ ସମୁଦ୍ରରେ ବିପଜ୍ଜନକ ଯାତ୍ରା ଏହାଙ୍କର ସଉକ। ଏ କବି ୱାଲ୍ଟ ହ୍ଵିଟମ୍ୟାନଙ୍କ କବିତା ଦ୍ଵାରା ପ୍ରଭାବିତ। ୟାଙ୍କ କବିତାରେ ଦୁଃସାହସୀ ସୈନିକର ଚିତ୍ର ରହିଛି। ଏଇ ଚାରୋଟି ନାମ ବ୍ୟତୀତ ଆହୁରି ଅନେକ ନାମ ନେଇ ପେସୋଆ କବିତା ଲେଖିଛନ୍ତି।

ଓଡିଆ କବିତାରେ ବା ଭାରତୀୟ କବିତାରେ ଏମିତି ଛଦ୍ମ ନାମ ନେଇ ବହୁ କବି କବିତା ଲେଖିଛନ୍ତି। ହେଲେ କାବ୍ୟ ବ୍ୟକ୍ତିତ୍ୱର ସଂପୂର୍ଣ୍ଣ ନବ ନିର୍ମାଣ ଓ ଅନେକ ସ୍ଥଳରେ ସଂପୂର୍ଣ୍ଣ ପରସ୍ପର ବିରୋଧୀ ବ୍ୟକ୍ତିତ୍ୱକୁ ଗୋଟିଏ ସତ୍ତାରେ ଏକୀଭୂତ କରି ପାରିବାର ଅଦ୍ଭୁତ କଳା କେବଳ ପେସୋଆଙ୍କ ପାଖରେ ରହିଥିଲା। ଉଭୟ ଗଦ୍ୟ ଓ କବିତାରେ ପେସୋଆଙ୍କର ବିଚକ୍ଷଣ ଦକ୍ଷତା। ଅତି ସରଳ, ହେଲେ ଗଭୀର ଅନୁଭବର କବିତା। ଜଣେ କବି ଯେ ବହୁ କବିଙ୍କର ଜୀବନକୁ ଏକାଠି ବଞ୍ଚିପାରେ ଓ ଭିନ୍ନ ଭିନ୍ନ ଭାବରେ କବିତା ଲେଖିପାରେ, ପେସୋଆ ତାର ଏକ ବିରଳ ଉଦାହରଣ ହୋଇ ରହିଛନ୍ତି।