Latest Odisha News

BREAKING NEWS

ଦୀପାବଳି ଉତ୍ସବ ଜନିତ ଦୁର୍ଘଟଣା: ଓଡ଼ିଶାରେ ୨ମୃତ

ଭୁବନେଶ୍ୱର: ଦୀପାବଳି ଉତ୍ସବ ପାଳନର ଦିନକ ପରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଏଥିଯୋଗୁଁ ଦୁର୍ଘଟଣା ଘଟି ୨ ଜଣଙ୍କ ପ୍ରାଣହାନୀ ଘଟିଥିବା ଖବର ମିଳିଛି ।

ବାଲେଶ୍ୱର ଜିଲ୍ଲାରେ ଅଇରି ମୁଣ୍ଡା ନାମକ ଜଣେ ବ୍ୟକ୍ତି ନିଜ ପୁଅକୁ ନେଇ ଦୀପାବଳି ଉତ୍ସବ ପାଳିବାକୁ ଘରକୁ ଯାଉଥିବା ବେଳେ ନଈରେ ଖସିପଡ଼ିଥିଲେ । ଏଥିରେ ତାଙ୍କ ୫ ବର୍ଷ ପୁଅର ମୃତ୍ୟୁ ଘଟିଛି । ପୋଲିସ ସୂତ୍ରରୁ ଜଣାପଡ଼ିଛି ଯେ, ଅଗିରା ଗାଁ’ରେ ସେ ତାଙ୍କ ପୁଅକୁ ନେଇ କାଂଶବାଂଶ ନଦୀ ଦେଇ ଘରକୁ ଯାଉଥିଲେ । ତେବେ ସେତେବେଳେ ବ୍ୟକ୍ତି ଜଣକ ମଦ୍ୟପାନ କରିଥିବା ଯୋଗୁଁ ନିୟନ୍ତ୍ରଣ ହରାଇ ନଦୀରେ ପଡ଼ିଯାଇଥିଲେ ବୋଲି ସୂଚନା ମିଳିଛି । ସ୍ଥାନୀୟ ଲୋକମାନେ ଅଇରିଙ୍କୁ ଉଦ୍ଧାର କରିଥିଲେ ମଧ୍ୟ ପିଲାଟି ଜଳର ଗଭୀର ସ୍ରୋତରେ ଭାସିଯାଇଥିଲା ।

ସେହିପରି ଭଦ୍ରକ ଜିଲ୍ଲା ଅନ୍ତର୍ଗତ ବାସୁଦେବପୁରଠାରେ ପ୍ରକାଶ ଚନ୍ଦ୍ର ଓଝା ନାମକ ଜଣେ ଇଲେକ୍ଟ୍ରିସିଆନ ଦୀପାବଳି ଲାଗି ନିଜ ଘରକୁ ଲିଚୁ ଲାଇଟରେ ସଜାଉଥିବା ବେଳେ ବିଦ୍ୟୁତ ଆଘାତରେ ତାଙ୍କର ମୃତ୍ୟୁ ଘଟିଛି । ଏହି ଅଘଟଣ ପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ନିମନ୍ତେ ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି ସୂଚନା ହସ୍ତଗତ ହୋଇଛି ।

ଜିଲ୍ଲାର ସଦର ଥାନା ଅନ୍ତର୍ଗତ ବାଗମରା ଗ୍ରାମରେ ବାଣ ଫୁଟାଉଥିବା ବେଳେ ଜଣେ ୪ ବର୍ଷର ବାଳକର ହାତର ଆଙ୍ଗୁଠିଗୁଡ଼ିକ ପୋଡ଼ିଯାଇଛି । ଚିକିତ୍ସା ନିମନ୍ତେ ଏହି ଗୁରୁତର ଆହତ ବାଳକଟିକୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା, ମାତ୍ର ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକସ୍ଥିତ ଏସସିବି ମେଡ଼ିକାଲ୍ କଲେଜ ଓ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି ।

ଦୀପାବଳୀ ଉତ୍ସବ ପାଳନ ସମୟରେ ରବିବାର ସନ୍ଧ୍ୟାରେ ଗଞ୍ଜାମ ଜିଲ୍ଲା ସାନସୋରଡ଼ା ବଜାରରେ ଏକ ଦୋକାନରେ ମଧ୍ୟ ନିଆଁ ଲାଗିଯାଇଥିଲା । ଦୋକାନଟିରେ ନିଆଁ ଲାଗିଯିବାରୁ ଦୋକାନୀ ସତ୍ୟନାରାୟଣ ସାହୁ ଗୁରୁତର ଆହତ ହୋଇଛନ୍ତି । ତାଙ୍କର ଦେହର ଅନେକାଂଶ ନିଆଁରେ ଗୁରୁତର ଭାବେ ପୋଡ଼ିଯାଇଥିବା ଯୋଗୁଁ ସେ ଏବେ ଡ଼ାକ୍ତରଖାନାରେ ଚିକିତ୍ସାଧିନ ରହିଛନ୍ତି ।

ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ଦୀପାବଳି ଉତ୍ସବରେ ଅଘଟଣ ଘଟିଥିବାର ଖବର ହସ୍ତଗତ ହୋଇଛି । ଟିକାୟତପାଲି ନିକଟତ୍ସ ସରସରାଠାରେ ଅଲେଖ ପାତ୍ର ନାମକ ଜଣେ ବ୍ୟକ୍ତି ବାଣ ଫୁଟାଉଥିବା ବେଳେ ଗୁରୁତର ଭାବେ ଆହତ ହୋଇଛନ୍ତି । ତାଙ୍କୁ ଚିକିତ୍ସା ନିମନ୍ତେ ସଙ୍ଗେ ସଙ୍ଗେ ବଣାଇ ଡ଼ାକ୍ତରଖାନାକୁ ନିଆ ଯାଇଥିଲା, ମାତ୍ର ପୋଡ଼ିଯାଇଥିବା ସ୍ଥାନ ଗୁରୁତର ହୋଇପଡ଼ିବାରୁ ତାଙ୍କୁ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.