Latest Odisha News

BREAKING NEWS

ପୁରୀ ସହରରେ କଡ଼ାକଡ଼ି ଚାଲିଛି ଲକ୍‌ଡାଉନ୍‌

ପୁରୀ: ଓଡ଼ିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦କୁ ବୃଦ୍ଧି ପାଇଥିବା ବେଳେ ପୁରୀ ଜିଲ୍ଲାରୁ ଜଣେ କରୋନା ସଂକ୍ରମିତ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ପୁରୀ ଶ୍ରୀମନ୍ଦିରରେ ଗତ ମାର୍ଚ୍ଚ ୨୦ ତାରିଖରୁ ଭକ୍ତଙ୍କ ଦର୍ଶନକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିବା ବେଳେ ଏବେ ଲକ୍‌ଡାଉନ୍ ଯୋଗୁଁ ପୁରୀ ବଡ଼ଦାଣ୍ଡ ଖାଁ ଖାଁ ଲାଗୁଛି ।

ବିଶ୍ୱପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିରରେ ବିଭିନ୍ନ ରାଜ୍ୟ ସମେତ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ପ୍ରତିଦିନ ହଜାର ହଜାର ଭକ୍ତମାନଙ୍କ ସୁଅ ଛୁଟୁଥିଲା । ମାତ୍ର ଏବେ ଲକ୍‌ଡାଉନ ଯୋଗୁଁ ଶ୍ରୀମନ୍ଦିର ବନ୍ଦ ରହିଥିବା ଯୋଗୁଁ ସିଂହଦ୍ୱାର ହେଉକି ବଡ଼ଦାଣ୍ଡ ସମୂର୍ଣ୍ଣ ଜନଶୂନ୍ୟ ରହୁଛି । ରାସ୍ତାରେ କାଁ ଭାଁ ଗାଈ ଗୋରୁ ବୁଲୁଥିବାର ଲକ୍ଷ୍ୟ କରାଯାଉଥିବା ବେଳେ ରାସ୍ତାରେ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି । ସେହିପରି ଶ୍ରୀମନ୍ଦିର ମଧ୍ୟରେ ସେବାୟତମାନେ ଶ୍ରୀଜୀଉମାନଙ୍କ ପୂଜାର୍ଚ୍ଚନା ଜାରି ରଖିଥିବା ବେଳେ ଶ୍ରୀମନ୍ଦିର ମଧ୍ୟକୁ ଭକ୍ତମାନଙ୍କ ପ୍ରବେଶ ବନ୍ଦ ରହିଛି ।

ପୁରୀ ବେଳାଭୂମୀ ନିକଟସ୍ଥ ବଜାର ଦୋକାନ ବନ୍ଦ ରହୁଥିବା ଯୋଗୁଁ ସେଠାରେ କେବଳ ବୁଲାକୁକୁର ଓ ଗାଈ ଗୋରୁମାନଙ୍କ ଚଳାଚଳ ଦେଖିବାକୁ ମିଳୁଛି । ସବୁବେଳେ ଲୋକାରଣ୍ୟ ରହୁଥିବା ବେଳାଭୂମି ଏବେ ସମ୍ପୂର୍ଣ୍ଣ ନିଛାଟିଆ ଲାଗୁଛି ।

ପୁରୀ ସହରର ବିଭିନ୍ନ ଛକ ଯାଗାଗୁଡ଼ିକ ପୋଲିସ ପକ୍ଷରୁ ବନ୍ଦ କରାଯାଇଛି । ସହରରେ କିଛି ଔଷଧ ଦୋକାନ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ବ୍ୟତୀତ ସମସ୍ତ ଦୋକାର ବନ୍ଦ ରହିଛି । ଲକ୍‌ଡାଉନକୁ ସଫଳ କରିବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ସଚେତନ କରାଯାଉଛି । ପାଟ୍ରୋଲିଂକୁ ତ୍ୱରାନ୍ୱିତ କରାଯିବା ସହିତ ବାହାରେ ବୁଲୁଥିବା ଲୋକମାନଙ୍କୁ ଘରେ ରହିବାକୁ ସଚେତନ କରୁଛି ପୁରୀ ପୋଲିସ ।

Leave A Reply

Your email address will not be published.