Latest Odisha News

BREAKING NEWS

ପ୍ରବାସୀ ଶ୍ରମିକ ସମସ୍ୟାର ପରିଚାଳନା ଏକ ଆହ୍ୱାନ

ସୋମେଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ସାମ୍ପ୍ରତିକୀ

କୋଭିଡ-୧୯ର ମୁକାବିଲା ଲାଗି କେନ୍ଦ୍ର ସରକାର ଯାତାୟତ ଉପରେ ୪୦ଦିନ ଲାଗି ସମ୍ପୂର୍ଣ୍ଣ ନିଷେଧାଦେଶ ଜାରିକରିବା ଯୋଗୁ ଦେଶ ଭିତରେ କାମକରୁଥିବା ବିଭିନ୍ନ ରାଜ୍ୟର ଶ୍ରମିକ କାର୍ଯ୍ୟ ହରାଇ ସମ୍ପୃକ୍ତ ଅଞ୍ଚଳଗୁଡ଼ିକରେ ଉପାୟଶୂନ୍ୟ ହୋଇ ଅଟକି ରହିଥିଲେ| ରାଜ୍ୟ ସରକାରମାନେ ଏହି ଆପତକାଳୀନ ସ୍ଥିତିର ପରିଚାଳନା ନିମିତ୍ତ ସେମାନଙ୍କ ରହଣି ଓ ଦୈନନ୍ଦିନ ଖାଦ୍ୟପେୟର ବନ୍ଦୋବସ୍ତ କରିଥିଲେ ମଧ୍ୟ ସେଥିରେ ଯେ ସ୍ବାଭାବିକ ରୀତିରେ ସେମାନଙ୍କ ପୁରା ଆବଶ୍ୟକତା ମେଣ୍ଟୁଥିଲା ତାହା କୁହାଯାଇପାରିବ ନାହିଁ| ଏହାବ୍ୟତୀତ ଗାଁରେ ଥିବା ନିଜ ପରିବାରକୁ କର୍ମଜୀବୀମାନେ ଯେଉଁ ରୋଜଗାର ପଠାଉଥିଲେ ତାହା ବନ୍ଦ ହୋଇଯାଇଥିବାରୁ ଏବେ ସେମାନେ ଘରମୁହାଁ ହୋଇଛନ୍ତି| ଅର୍ଥାତ୍ ଅବରୋଧ ଟିକେ କୋହଳ ହେବା ପରେ ନିଜନିଜ ମୂଳ ବାସସ୍ଥାନରେ ଉଭୟ ଆର୍ଥିକ ଓ ମାନସିକ କ୍ଷେତ୍ରରେ ଭରସା ଯୋଗାଡ଼ିବା ସୁବିଧାଜନକ ହେବ ବୋଲି ମନେକରି ଶ୍ରମିକମାନଙ୍କ ବିଶାଳ ବାହିନୀ ଫେରିବାରେ ଲାଗିଥିବା ଯୋଗୁ ଏହା ଏବେ ଅନେକ ରାଜ୍ୟ ସରକାରଙ୍କ ଲାଗି ବଡ଼ ଧରଣର ଆହ୍ବାନ ସୃଷ୍ଟି କରିଛି|

ଏହି ସମସ୍ୟାର ପୂର୍ବନୁମାନ କରି କେନ୍ଦ୍ର ସରକାରଙ୍କ ପକ୍ଷରୁ ନୀତିନିୟମ ଓ ଆର୍ଥିକ ରିଲିଫ୍ ପ୍ୟାକେଜ୍ ଘୋଷଣା କରାଯାଇସାରିଛି| ଏହି ମର୍ମରେ ମାର୍ଚ୍ଚ ୨୬ରେ ଅର୍ଥ ମନ୍ତ୍ରଣାଳୟ ‘ବିଲ୍ଡିଙ୍ଗ ଆଣ୍ଡ ଅଦର କନଷ୍ଟ୍ରକ୍ସନ ଓବାର୍କର୍ସ ଓବଲଫେୟାର ଆକ୍ଟ-୧୯୯୬’ ର ଧାରା ୬୦ ଅନୁସାରେ ସବୁ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଜାରିକରି କହିଥିଲେ ଯେ, ରାଜ୍ୟ କଲ୍ୟାଣ ବୋର୍ଡଗୁଡ଼ିକ ନିକଟରେ ଥିବା ୩୧ହଜାର କୋଟି ଟଙ୍କାକୁ ସେମାନେ କାମ ହରାଇଥିବା ଦିନ ମଜୁରିଆଙ୍କୁ ଆର୍ଥିକ ସହାୟତାଦେବା ଲାଗି ଖର୍ଚ୍ଚ କରିପାରିବେ|

ପିରିଅଡିକ ଲେବର ଫୋର୍ସ ସର୍ଭେ ୨୦୧୭-୧୮ ଅନୁଯାୟୀ, ମୋଟ ଶ୍ରମିକଙ୍କ ମଧ୍ୟରୁ ଏହି ଦିନ ମଜୁରିଆ ବା କାଜୁଆଲ ଲେବରରମାନେ ହେଉଛନ୍ତି ୮୩.୮ ପ୍ରତିଶତ| ମାତ୍ର ଶ୍ରମ ମନ୍ତ୍ରଣାଳୟ ଏହି ଅର୍ଥ ପରିମାଣକୁ ଆଗରୁ ୫୨ହଜାର କୋଟି କହିଥିଲା| ତେବେ ସମ୍ବଳର ପରିମାଣ ଯାହା ହେଉନା କାହିଁକି ଏହି ପାଣ୍ଠିରୁ ଶ୍ରମିକମାନଙ୍କୁ ସହାୟତାଦେବା କାର୍ଯ୍ୟକୁ ବାସ୍ତବରେ ପରିଣତକରିବା ଏବେ ବିରାଟ ସମସ୍ୟା ହୋଇ ଠିଆହୋଇଛି| କାରଣ ଏବେ ବିପୁଳ ସଂଖ୍ୟକ ମାଇଗ୍ରାଣ୍ଟ ଶ୍ରମିକଙ୍କ ଯେଉଁ ଘରଫେରନ୍ତା ଦୃଶ୍ୟ ବୈଦ୍ୟୁତିକ ଗଣମାଧ୍ୟମରେ ଦୃଷ୍ଟିଗୋଚର ହେଉଛି ସେମାନେ ସମସ୍ତେ ଶ୍ରମବିଭାଗ ନିକଟରେ ପଞ୍ଜିକୃତ ନୁହଁନ୍ତି| ଏତବ୍ୟତୀତ ବିଭିନ୍ନ ରାଜ୍ୟ ସରକାରଙ୍କ ପାଖରେ ରହିଥିବା ଉକ୍ତ ଅର୍ଥରାଶି ସମାନ ନୁହେଁ କିମ୍ବା ଆନ୍ତଃରାଜ୍ୟ ଶ୍ରମଜୀବୀଙ୍କ ତଥ୍ୟ ପର୍ଯ୍ୟାପ୍ତ ନୁହେଁ|

ନିର୍ଦ୍ଦିଷ୍ଟ ଭାବେ ଆଲୋଚନା କଲେ ନିର୍ମାଣ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକମାନଙ୍କ କଲ୍ୟାଣ ପାଇଁ ଆଇନଗତ ଭାବେ ରହିଥିବା ବ୍ୟବସ୍ଥା କାଗଜପତ୍ରରେ ଖୁବ୍ ସରଳ|

ଅଧିକ ପଢନ୍ତୁ: ସୁରା ପାଣ୍ଠିରେ କରୋନା ଲଢ଼େଇ !

ଅର୍ଥାତ୍ ରାଜ୍ୟ ସରକାରମାନେ ବିଭିନ୍ନ ନିର୍ମାଣ ପ୍ରକଳ୍ପରୁ ସେସ୍ ସଂଗ୍ରହକରନ୍ତି, ସେଠାରେ କାର୍ଯ୍ୟରତ ଶ୍ରମିକମାନଙ୍କୁ ପଞ୍ଜିକୃତ କରିବା ସହ ପରିବାର ସମେତ ସେମାନଙ୍କ କଲ୍ୟାଣ ଉଦ୍ଦେଶ୍ୟରେ ବିଭିନ୍ନ ପ୍ରକାର ଯୋଜନା ବା ସ୍କିମ୍ ପ୍ରସ୍ତୁତ କରି କାର୍ଯ୍ୟକାରୀ କରନ୍ତି| ନିୟମ ଅନୁସାରେ ଏହି ସେସ୍ ୧୦ଲକ୍ଷ ଟଙ୍କା ଉପରକୁ ସବୁ ନିର୍ମାଣ ପ୍ରକଳ୍ପ କିଛି ରାଜ୍ୟରେ ୧% ଓ ଅନ୍ୟ କେତେକ ରାଜ୍ୟରେ ୨% ହିସାବରେ ସରକାରଙ୍କ ପାଖେ ଜମାକରିବାକୁ ବାଧ୍ୟ| ୨୦୧୮ରେ ସମଗ୍ର ଦେଶରେ ସଂଗୃହୀତ ସମୁଦାୟ ସେସ୍ ମଧ୍ୟରୁ ୫୦ଭାଗ କେବଳ ୬ଟି ରାଜ୍ୟ ମହାରାଷ୍ଟ୍ର, କର୍ଣ୍ଣାଟକ, ଦିଲ୍ଲୀ, ତାମିଲନାଡୁ, ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶରୁ ଆସିଥିବାର ତଥ୍ୟ ମିଳିଛି|

ଅନ୍ୟପକ୍ଷରେ ମୋଟ ପଞ୍ଜିକୃତଙ୍କ ଭିତରେ ତାମିଲନାଡୁ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ,ଓଡ଼ିଶା, ରାଜସ୍ଥାନ, ଓ ପଶ୍ଚିମବଙ୍ଗରେ ୫୪% ଶ୍ରମିକ ତାଲିକାଭୂକ୍ତ ହୋଇଥିଲା ବେଳେ ସେସ୍ ଆଦାୟର ପରିମାଣ ହେଉଛି ମାତ୍ର ୩୨%|

ତେବେ ଏହି ତାଳମେଳ ଠିକ୍ ରହୁନଥିଲେ ବି ଏକାଧିକ ଅନୁଧ୍ୟାନରୁ ଜଣାଯାଇଛି, ରାଜ୍ୟମାନେ ଗଚ୍ଛିତ ସମ୍ବଳକୁ ବିନିଯୋଗକରି ଶ୍ରମିକ କଲ୍ୟାଣ କାର୍ଯ୍ୟକ୍ରମର ସୁଚାରୁ ସମ୍ପାଦନାରେ ବର୍ଷବର୍ଷ ଧରି ବିଫଳ ହୋଇଆସିଛନ୍ତି| ବର୍ତ୍ତମାନର ସଙ୍କଟ ସବୁ ସରକାରଙ୍କ ପାଇଁ ବଡ଼ ସୁଯୋଗ ଆଣିଦେଇଛି| ସେମାନେ ଏବେ ପାରମ୍ପରିକ କାର୍ଯ୍ୟଧାରାକୁ ପରିତ୍ୟାଗକରି ପୂର୍ବ ଭୁଲକୁ ସଜାଡ଼ି ପାରିବେ ଓ ଅଭାବନୀୟ ସମସ୍ୟାର ମୁକାବିଲା ଦିଗରେ ଯଥାର୍ଥ ଭୂମିକା ନିର୍ବାହ କରିପାରିବେ|

ଶ୍ରମ ଏବଂ ନିୟୋଜନ ମନ୍ତ୍ରଣାଳୟର ହିସାବ ଅନୁଯାୟୀ,  ୨୦୧୮ ଶେଷ ସୁଦ୍ଧା ହୋଇଥିବା ସର୍ବେକ୍ଷଣରେ ୩.୫ କୋଟି ନର୍ମାଣ ଶ୍ରମିକଙ୍କ ପଞ୍ଜିକରଣ ହୋଇଥିବା ଜଣାପଡ଼ିଛି| ଏହି ସଂଖ୍ୟା ଦେଶର ମୋଟ ନିର୍ମାଣ ଶ୍ରମିକଙ୍କ ମାତ୍ର ୬୦ ପ୍ରତିଶତ| ଏହା ପୁଣି ସୁପ୍ରିମକୋର୍ଟଙ୍କ ତାଗିଦା ଓ ତଦାରଖରେ ହୋଇଥିବା ଯୋଗୁ ୨୦୧୫-୨୦୧୮ ଭିତରେ ପୂର୍ବପେକ୍ଷା ୫୦ ଭାଗ ବୃଦ୍ଧିପାଇ ୩.୫ କୋଟିରେ ପହଞ୍ଚିଛି| ପରିତାପର ବିଷୟ ଯେ, ଅନେକ ଶ୍ରମଜୀବୀ ସେମାନଙ୍କ ନିମନ୍ତେ ରହିଥିବା କଲ୍ୟାଣ ଯୋଜନା ସମ୍ବନ୍ଧରେ ଜାଣନ୍ତି ନାହିଁ ଏବଂ ଶ୍ରମବିଭାଗଗୁଡ଼ିକ ଏହି ସୂଚନା ପ୍ରସାରଣ ଲାଗି ସେମାନଙ୍କ କାର୍ଯ୍ୟ କରୁନାହାଁନ୍ତି| ଗତ ଜନଗଣନାରୁ ହାସଲ ହୋଇଥିବା ତଥ୍ୟକୁ ଦେଖିଲେ ମାଇଗ୍ରାଣ୍ଟ ଶ୍ରମିକଙ୍କ ସମ୍ପର୍କରେ ଆମେ କିଛି ଧାରଣାପାଇବା ଯାହାକୁ ବର୍ତ୍ତମାନର ସ୍ଥିତି ସହିତ ତୁଳନା କରାଯାଇପାରିବ|

ସେ ସମୟରେ ଦେଶର ବିଭିନ୍ନ ସହରରେ କାର୍ଯ୍ୟରତ ନିର୍ମାଣ ଶ୍ରମିକଙ୍କ ଭିତରୁ ପ୍ରବାସୀମାନେ ଥିଲେ ୪୨.୭% ଏବଂ ସେମାନଙ୍କ ମଧ୍ୟରୁ ସର୍ବାଧିକ ଗୁଜରାଟ, ମହାରାଷ୍ଟ୍ର, ଅବିଭାଜିତ ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ଏବଂ ମଧ୍ୟପ୍ରଦେଶରେ ହିଁ କାର୍ଯ୍ୟ କରୁଥିଲେ| ଏବେସୁଦ୍ଧା ପଞ୍ଜିକୃତ ୩.୫ କୋଟି ନିର୍ମାଣ ଶ୍ରମିକଙ୍କ ମଧ୍ୟରୁ ଉତ୍ତରପ୍ରଦେଶରେ ସର୍ବାଧିକ ୪୨ ଲକ୍ଷ ଥିବା ବେଳେ ପଶ୍ଚିମବଙ୍ଗରେ ୩୧ଲକ୍ଷ, ମଧ୍ୟପ୍ରଦେଶରେ ୩୦ଲକ୍ଷ, ତାମିଲନାଡୁରେ ୨୯ଲକ୍ଷ ଏବଂ ଓଡ଼ିଶାରେ ୨୨.୫ଲକ୍ଷ ରହିଛନ୍ତି| କେନ୍ଦ୍ର ସରକାରଙ୍କ ଆଡଭାଇଜରୀ ଅନୁଯାୟୀ, ଏପ୍ରିଲ ୮ତାରିଖ ସୁଦ୍ଧା ୧୮ଟି ରାଜ୍ୟ ସେମାନଙ୍କ ନିଷ୍ପତ୍ତି ମୁତାବକ ୧ହଜାର-୫ହଜାର ଟଙ୍କା ଯାଏଁ ନଗଦ ଅର୍ଥ ପଞ୍ଜିକା ଅନ୍ତର୍ଗତ ସବୁ ଶ୍ରମିକଙ୍କ ଆକାଉଣ୍ଟକୁ ପଠାଇ ସାରିଛନ୍ତି| ଦୁର୍ଦ୍ଦଶା ଭୋଗୁଥିବା ପ୍ରାୟ ୧.୮ ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କୁ ୨,୨୫୦କୋଟି ଟଙ୍କା ପ୍ରଦାନ କରାଯାଇଥିବା ସୂଚନା ହସ୍ତଗତ ହୋଇଛି|

ତେବେ ଏନେଇ ‘ବିଲ୍ଡିଂ କନଷ୍ଟ୍ରକସନ ଗ୍ଲୋବାଲ ୟୁନିଅନ ଇନ୍ ସାଉଥଏସିଆ’ର ପ୍ରତିନିଧି ରାଜୀବ ଶର୍ମା କହିଛନ୍ତି, ଏକ ସଙ୍କଟ ସମୟରେ ଶ୍ରମିକମାନଙ୍କୁ ତୁରନ୍ତ ସହାୟତା ପ୍ରଦାନ କରାଯିବା ଜରୁରୀ| ଏଥିରେ ଉଭୟ ପଞ୍ଜିକୃତ ଓ ବିଭିନ୍ନ କାରଣରୁ ନବୀକୃତ ହୋଇପାରିନଥିବା ଶ୍ରମିକଙ୍କୁ ଏହି ସୁବିଧା ମିଳିବା ଆବଶ୍ୟକ|

ଆହ୍ବାନର ମୁକାବିଲା ଲାଗି ଏହି ସହାୟତା ରାଶି ବ୍ୟତୀତ ରାଜ୍ୟ ସରକାରମାନେ ନିଜ ରାଜ୍ୟର ସୀମା ଦେଇ ଆସୁଥିବା ପ୍ରବାସୀ ଶ୍ରମଜୀବୀଙ୍କ କରୋନା ଭୂତାଣୁ ସଂକ୍ରମଣର ପରୀକ୍ଷଣ ଏବଂ ଆବଶ୍ୟକ ହେଲେ କ୍ବାରାଣ୍ଟାଇନରେ ରହିବା ଲାଗି ଯେଉଁ ଅସ୍ଥାୟୀ ଶିବିରମାନ ସ୍ଥାପନ କରଛନ୍ତି ତାହାର ସୁଚାରୁ ପରିଚାଳନା କୋଭିଡ-ବିରୋଧି ଯୁଦ୍ଧରେ ନିଶ୍ଚୟ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ|

ଏକ୍ଷେତ୍ରରେ ସଫଳତା ପାଇଁ ଓଡ଼ିଶା ସରକାର ଗ୍ରାମ ପଞ୍ଚାୟତର ସରପଞ୍ଚମାନଙ୍କୁ ଅସ୍ଥାୟୀ ଭାବେ ଜିଲ୍ଲାପାଳଙ୍କ କ୍ଷମତା ପ୍ରଦାନ କରିଛନ୍ତି, ଯାହା ସମଗ୍ର ଦେଶରେ ଏକ ଅଭିନବ ପଦକ୍ଷେପ ବିବେଚିତ ହୋଇଛି|

୩୦ଟି ଜିଲ୍ଲାରେ ଚାଲିଥିବା ମହାମାରୀ ନିୟନ୍ତ୍ରଣ ଅଭିଯାନର ପର୍ଯ୍ୟବେକ୍ଷଣ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୨ଜଣ ଆଇଏଏସ୍ ଅଧିକାରୀଙ୍କୁ ନିଯୁକ୍ତ କରିଥିଲା ବେଳେ ଏକ ୬ଜଣିଆ ଆଇଏଏସ୍, ଆଇପିଏସ୍ ଓ ଆଇଏଫ୍‌ଏସ ଙ୍କ ଗୋଷ୍ଠିକୁ ପ୍ରବାସୀ ଶ୍ରମିକଙ୍କ ପଞ୍ଜିକରଣର ତଦାରଖ ଲାଗି ଦାୟିତ୍ବ ନ୍ୟସ୍ତ କରିଛନ୍ତି| ଏହି ଟିମ୍ ମଧ୍ୟ ମାଇଗ୍ରାଣ୍ଟ ଓବାର୍କରଙ୍କ ସକାଶେ ପ୍ରତିଷ୍ଠିତ କଲ୍ ସେଣ୍ଟର କାର୍ଯ୍ୟର ତତ୍ତ୍ବାବଧାନ କରିବେ|

ସୂଚନା ମିଳିଛି, ପ୍ରାୟ ୫ଲକ୍ଷ ପ୍ରବାସୀ ଶ୍ରମିକ ନିଜ ବାସସ୍ଥାନ ଓଡ଼ିଶାକୁ  ଫେରିବେ| ସରକାରଙ୍କ କୋଭିଡ ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି, ଏହି ଶ୍ରମିକମାନଙ୍କ ପ୍ରବେଶ ପରେ ରାଜ୍ୟ ସରକାର ଏବେ ମହାମାରୀ ନିୟନ୍ତ୍ରଣ ପ୍ରକ୍ରିୟାର ୪ର୍ଥ ପର୍ଯ୍ୟାୟରେ ପ୍ରବେଶ କରିଛନ୍ତି| ପ୍ରଥମ ପର୍ଯ୍ୟାୟରେ ବିଦେଶରୁ ଫେରିଥିବା ବ୍ୟକ୍ତି, ଦ୍ବିତୀୟ ପର୍ଯ୍ୟାୟରେ ନିଜାମୁଦ୍ଦିନ ସମାବେଶରେ ଅଂଶଗ୍ରହଣ କରିଥିବା ବ୍ୟକ୍ତି ଏବଂ ତୃତୀୟ ପର୍ଯ୍ୟାୟରେ ପଶ୍ଚିମବଙ୍ଗରୁ ଫେରିଥିବା ଲୋକଙ୍କ ସକାଶେ ସ୍ବତନ୍ତ୍ର ସତର୍କତା ପରେ ଏବେ ମାଇଗ୍ରାଣ୍ଟ ଶ୍ରମିକଙ୍କ ପ୍ରବେଶ ତଥା ଥଇଥାନ ଉପରେ ତୀକ୍ଷ୍ଣ ନଜର ରଖାଯିବାକୁ ହୋଇଥିବା ନିଷ୍ପତ୍ତି ଅତ୍ୟନ୍ତ ଗୁରୁତ୍ତ୍ବପୂର୍ଣ୍ଣ| ଏହାର ଉପଯୁକ୍ତ କାର୍ଯ୍ୟାନ୍ବୟନ ଆହୁରି ମହତ୍ତ୍ବ ରଖେ|

( ସ୍ତମ୍ଭକାର ଜଣେ ବରିଷ୍ଠ ସାମ୍ବାଦିକ )

ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି Odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।

Leave A Reply

Your email address will not be published.