Latest Odisha News

BREAKING NEWS

ଜାନୁଆରୀ ୧୪ରୁ ଆଇଆଇଏମ୍‍ସିରେ ‘ଫିଲ୍ମି ଚକ୍କର-୩’

ଢେଙ୍କାନାଳ: ଚଳଚ୍ଚିତ୍ରକୁ ନେଇ ଚର୍ଚ୍ଚା । ଚଳଚ୍ଚିତ୍ର ଉପରେ ଆଲୋଚନା । ପୁଣି ଚଳଚ୍ଚିତ୍ରର ବିଭିନ୍ନ ବିଭବକୁ ନେଇ କର୍ମଶାଳା । ଏସବୁର ସୁଯୋଗ ଆଣିଦେଇଛି ଭାରତୀୟ ଜନ ସଞ୍ଚାର ସଂସ୍ଥାନ, ଢେଙ୍କାନାଳ ପକ୍ଷରୁ ଆୟୋଜିତ ହେବାକୁ ଥିବା ଚଳଚ୍ଚିତ୍ର ସମ୍ପର୍କିତ କାର୍ଯ୍ୟକ୍ରମ ‘ଫିଲ୍ମି ଚକ୍କର’ । ତିନିଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ସ୍ଥାନରୁ ବିଶେଷଜ୍ଞ ଓ ଅଂଶଗ୍ରହଣକାରୀ ଆସି ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ପ୍ରଥମ ଦିନରେ ‘ଓଟିଟି ଯୁଗରେ ସିନେମା’ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହେଉଛି । ଏଥିରେ ଓଟିଟି (ଓଭର୍‍ ଦି ଟପ୍‍) ଅର୍ଥାତ୍‍ ଅନ୍‍ଲାଇନ୍‍ ଷ୍ଟ୍ରିମିଂ ମାଧ୍ୟମରେ ପ୍ରଦର୍ଶିତ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସହ ପାରମ୍ପରିକ ଚଳଚ୍ଚିତ୍ରର ଭୂମିକା, ଆଦର ଆଦି କେତୋଟି ତୁଳନାତ୍ମକ ଦିଗ ଉପରେ ଆଲୋଚନା ହେବ । ଏଥିରେ କିଟ୍‍ ସ୍କୁଲ୍‍ ଅଫ୍‍ ସିନେମାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଚଳଚ୍ଚିତ୍ର ନିର୍ଦ୍ଦେଶକ ହିମାଂଶୁ ଖଟୁଆ, ସୁଲେଖକ ତଥା ଆଇଆଇଏମ୍‍ସି ଅମରାବତିର ପୂର୍ବତନ ନିର୍ଦ୍ଦେଶକ ନଦିମ୍‍ ଖାଁ, ଜାତୀୟ ପୁରସ୍କାରପ୍ରାପ୍ତ ଚଳଚ୍ଚିତ୍ର ଲେଖକ ଡ. ପିୟୁଷ ରାୟ, କୋଲ୍‍କାତା ଜାଭିୟର କଲେଜ୍‍ର ପ୍ରଫେସର ତଥା ଚଳଚ୍ଚିତ୍ର ନିର୍ମାତା ଉତ୍ସବ ଚାଟାର୍ଜୀ ଓ ସମ୍ବଲପୁର ମହିଳା ମହାବିଦ୍ୟାଳୟ ହିନ୍ଦୀ ବିଭାଗୀୟ ମୁଖ୍ୟ ଡ. ଜୟନ୍ତ କର ଶର୍ମା ଯୋଗଦେଇ ଆଲୋଚନା କରିବେ । ଏହାସହ କିଛି ଶିକ୍ଷାବିତ୍‍ ଓ ଶିକ୍ଷାର୍ଥୀ ଏ ବିଷୟ ଉପରେ ସନ୍ଦର୍ଭ ଉପସ୍ଥାପନ କରିବେ ।

ସେହିପରି ଦ୍ୱିତୀୟ ଦିନ ହେବାକୁ ଥିବା ଚଳଚ୍ଚିତ୍ର ଆପ୍ରିସିଏସନ୍‍ କର୍ମଶାଳାରେ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରୁ ଛାତ୍ରଛାତ୍ରୀ ଯୋଗଦେଉଛନ୍ତି । କର୍ମଶାଳାକୁ ପିୟୁଷ ରାୟଙ୍କ ସଂଯୋଜନାରେ ହେବାକୁ ଥିବା ଏହି କର୍ମଶାଳାରେ ଚଳଚ୍ଚିତ୍ର ସମ୍ପର୍କିତ ରିପୋର୍ଟିଂଠାରୁ ଆରମ୍ଭ କରି ଚଳଚ୍ଚିତ୍ର ସମୀକ୍ଷା, ଚଳଚ୍ଚିତ୍ର ସମାଲୋଚନା ତଥା ଅନ୍ୟାନ୍ୟ ବୈଷୟିକ ଦିଗ ଉପରେ ଆଲୋଚନା ହେବ । ଏହାସହ କେତୋଟି ଉପାଦେୟ ପ୍ରାମାଣିକ ଚଳଚ୍ଚିତ୍ର ଓ ଫିଚର ଫିଲ୍ମ ମଧ୍ୟ ପ୍ରଦର୍ଶିତ ହେବାର କାର୍ଯ୍ୟସୂଚୀ ରହିଛି ।

ଚଳଚ୍ଚିତ୍ର ସାମ୍ବାଦିକତା ପାଇଁ ଇଚ୍ଛୁକ ଛାତ୍ରଛାତ୍ରୀଙ୍କୁ ଏହି କର୍ମଶାଳା ବେଶ୍‍ ସହାୟକ ହେବ ବୋଲି ସଂସ୍ଥାନର ଆଞ୍ଚଳିକ ନିର୍ଦ୍ଦେଶକ ଡ. ମୃଣାଳ ଚାଟାର୍ଜୀ କହିଛନ୍ତି ।

Leave A Reply

Your email address will not be published.