Latest Odisha News

BREAKING NEWS

ଓଡିଆ ସିନେ ପତ୍ରିକାର ପ୍ରଚ୍ଛଦକୁ ନେଇ ଆସୁଛି ‘ଛାୟାଲିପି’

ଭୁବନେଶ୍ୱର: ଚଳଚ୍ଚିତ୍ର ଅବା ସିନେମା କାହାକୁ ଦେଖିବାକୁ ଭଲନଲାଗେ । ଫିଲ୍ମଟି ପ୍ରେକ୍ଷାଳୟକୁ ଆସିବା ପରେ ତଥା ପୂର୍ବରୁ ତତସମ୍ବନ୍ଧୀୟ ଟିକିନିଖି ରୋଚକ ଖବର ପ୍ରକାଶ ପାଇଥାଏ ପତ୍ରିକା ମାଧ୍ୟମରେ । ଖାସକରି ସେସମୟରେ ପତ୍ରିକା ଗୁଡିକର ଚାହିଦା ମଧ୍ୟ ଖୁବ୍ ରହିଥିଲା । ଆଉ କିଛିକିଛି ପତ୍ରିକା ସମ୍ପୂର୍ଣ୍ଣ ଭାବେ ସିନେମା ଉପରେ ସମର୍ପିତ ରହିଥିଲା ।

ଗତ ୧୯୫୧ ମସିହାରେ ପ୍ରକାଶିତ ହୋଇଥିବା ପ୍ରଥମ ସିନେମା ପତ୍ରିକା ‘ସିନେ ଓଡିଶା’ଠୁ ଆରମ୍ଭ କରି ଓଲିଉଡ୍ ମିରର ଯାଏଁ ସର୍ବଦା ଗ୍ରାହକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇ ଆସିଛି । ଏହିଭଳି ଓଡିଆ ସିନେମା ସମ୍ବନ୍ଧୀୟ ମୋଟ୍ ୮୦ଟି ପତ୍ରିକା ପ୍ରକାଶ ପାଇଥିବା ବେଳେ ସେଥିମଧ୍ୟରୁ ୭୫ଟି ପତ୍ରିକାର ପ୍ରଚ୍ଛଦକୁ ନେଇ ଏକ ପ୍ରଦର୍ଶନୀ ଅନୁଷ୍ଠିତ ହେବାକୁ ଯାଉଛି ।

ଏଭଳି ଅଭିନବ ପ୍ରୟାସ କରିଛନ୍ତି ଓଡିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସହାୟତାରେ ‘ଫିଲ୍ମ ଜର୍ଣ୍ଣାଲିଷ୍ଟ ଫୋରମ’ । ଏହି ପତ୍ରିକା ଗୁଡିକୁ ସଂଗ୍ରହ କରାଯାଇ ରାଜ୍ୟ ଅଭିଲେଖାଗାରରେ ଆସନ୍ତା ୧୮ରୁ ୨୪ ତାରିଖ ପର୍ଯ୍ୟନ୍ତ ଏକ ପ୍ରଦର୍ଶନୀ ଆୟୋଜିତ କରାଯାଇଛି ।

ଏହି ପ୍ରଦର୍ଶନୀକୁ ‘ଛାୟାଲିପି’ ନାମରେ ନାମିତ କରାଯାଇଥିବା ବେଳେ ସିନେପ୍ରେମୀ ତଥା ଦର୍ଶକମାନେ ବିଗତ ଦିନର ଏବଂ ବର୍ତ୍ତମାନର ପ୍ରିଣ୍ଟିଂ ଶୈଳୀ, ଡିଜାଇନ୍‌, ଅକ୍ଷର, ଫଟୋ, ଉପସ୍ଥାପନା ଶୈଳୀ ମଧ୍ୟରେ ତଫାତ୍ ଜାଣିବାର ସୁଯୋଗ ପାଇପାରିବେ ।

ଜଣେ ଚଳଚ୍ଚିତ୍ର ସାମ୍ବାଦିକଙ୍କ କହିବାନୁଯାୟୀ, ଆଗରୁ ଯେଉଁସବୁ ପତ୍ରିକା ପ୍ରକାଶ ପାଉଥିଲା, ସେସବୁ କେବଳ ଓଡିଶାରୁ ନୁହେଁ ବରଂ ବମ୍ବେ ଓ କୋଲକାତାରୁ ମଧ୍ୟ ପ୍ରକାଶିତ ହେଉଥିଲା । ଏହି ପ୍ରଦର୍ଶନୀ ଦ୍ୱାରା ପତ୍ରିକା ସବୁ କେଉଁଠୁ, କାହା ସମ୍ପାଦନାରେ ତଥା କେଉଁ ମସିହାରେ ପ୍ରକାଶ ପାଇଥିଲା ସେନେଇ ଦର୍ଶକମାନେ ଜାଣିବାର ସୁଯୋଗ ମଧ୍ୟ ପାଇପାରିବେ।

 

Leave A Reply

Your email address will not be published.